Sambad
ଖୋର୍ଦ୍ଧା: ଜିଲ୍ଲାର ଜଟଣୀ ଓ ଖୋର୍ଦ୍ଧା ବ୍ଲକ ଦେଇ ଯାଇଥିବା ରାଜୁଆ ନଦୀ ଓ ବାଣପୁର, ଚିଲିକା ଦେଇ ଯାଇଥିବା ସାଳିଆ ନଦୀରେ ପ୍ରତିବର୍ଷ ଅବପାତ ଜନିତ ଝଡ଼ବର୍ଷା ଓ ମୌସୁମୀ ବର୍ଷାରେ ଦୁର୍ବଳ ନଦୀବନ୍ଧ ଯୋଗୁଁ ବନ୍ୟା ହେଉଛି, କିନ୍ତୁ ବିଭାଗୀୟ କର୍ତୃପକ୍ଷ କୌଣସି ବ୍ୟବସ୍ଥିତ ପଦକ୍ଷେପ ନେଉ ନାହାନ୍ତି। ପ୍ରତିବର୍ଷ କାମଚଳା ବ୍ୟବସ୍ଥା ନକରି ଏକ ସ୍ଥାୟୀ ପଦକ୍ଷେପ ନେବାକୁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି।
ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ଓ ବୈଠକର ବିବରଣୀ ଉପସ୍ଥାପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପ-ସଭାପତି ଗୋପିନାଥ ମହାରଣା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଆପତ୍କାଳୀନ ଅଧିକାରୀ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଯନ୍ତ୍ରୀ, ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ମଇ ୧ ତାରିଖ ଠାରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଚାଲୁଥିବା ଚବିଶି ଘଂଟିଆ ଫୋନ ଓ ୧୦୭୭ ଟୋଲ୍ଫ୍ରି ନମ୍ବର ସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସେବା ନଭେମ୍ବର ଶେଷ ସୁଦ୍ଧା ଯେଭଳି ନିୟମିତ ଭାବେ ଚାଲିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଏହା ବ୍ୟତୀତ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି, ସଠିକ ଓ ନିର୍ଦ୍ଧାରିତ ସମୟରେ ବୃଷ୍ଟିପାତ ତଥ୍ୟ ପ୍ରଦାନ, ପୋତି ହୋଇଥିବା ବିଭିନ୍ନ ନାଳ ଓ କେନାଲଗୁଡ଼ିକୁ ଖୋଳି ପରିଷ୍କାର କରିବା, ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧର ଯୁଗ୍ମ ଯାଞ୍ଚ ସହ ଏହାର ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବୈଠକରେ ନିର୍ଦେଶ ଦିଆଯାଇଥିଲା। ସେହିଭଳି ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ଥିବା ୩୮୦ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଓ ୫୦ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ନେଇ ଆଲୋଚନା କରାଯାଇଥିଲା। ଆଶ୍ରୟସ୍ଥଳରେ ଥିବା ଆଲୋକ, ଗଛକାଟିବା ଯନ୍ତ୍ର ଆଦିକୁ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର କରିବା ଓ ବ୍ଲକସ୍ତରରେ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିସନ ପକ୍ଷରୁ ମିଳିଥିବା ୮ଟି ପାୱାର ବୋଟ ମଧ୍ୟରୁ ୩ଟି ବାଲିପାଟଣା, ୨ଟି ବାଲିଅନ୍ତା, ୨ଟି ଖୋର୍ଦ୍ଧା, ଓ ଗୋଟିଏ ଜଟଣୀରେ ମହଜୁଦ ରହିଛି ବୋଲି ଆପତକାଳୀନ ଅଧିକାରୀ ତଥା ଡେପୁଟି ଜିଲ୍ଲାପାଳ ମମତା ସାହୁ ସୂଚନା ଦେଇଥିଲେ। ବନ୍ୟାପ୍ରବଣ ଅଞ୍ଚଳରେ ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏନ୍ଡିଆରଏଫ୍, ଓଡ୍ରାଫ୍ ଟିମ୍ ଦ୍ୱାରା ତାଲିମ ଓ ସମନ୍ୱୟ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍ଓ ଡଃ. ଆର୍ତବନ୍ଧୁ ନାୟକ, ଡିସିପିଓ ବାଣିଶ୍ରୀ ପଟ୍ଟନାୟକ, ଏଆର୍ଟିଓ ଅରବିନ୍ଦ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧୀ ତନୟା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us