ମେଦିନାପୁରରେ ଓଡ଼ିଶା-ପଶ୍ଚିମବଙ୍ଗ ଅଧିକାରୀଙ୍କ ବୈଠକ: ବିବାଦୀୟ ଜାଗା ଉପରେ ଆଲୋଚନା, ସାଟେଲାଇଟ୍‌ ମ୍ୟାପିଂ

Advertisment
ମେଦିନାପୁରରେ ଓଡ଼ିଶା-ପଶ୍ଚିମବଙ୍ଗ ଅଧିକାରୀଙ୍କ ବୈଠକ: ବିବାଦୀୟ ଜାଗା ଉପରେ ଆଲୋଚନା, ସାଟେଲାଇଟ୍‌ ମ୍ୟାପିଂ

ବାଲେଶ୍ବର/ଜଳେଶ୍ବର: ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ସୈରାତରୁ ବାଲି ଉତ୍ତୋଳନ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ନିମନ୍ତେ ଗୁରୁବାର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ସର୍କିଟ୍‌ହାଉସଠାରେ ଆୟୋଜିତ ଏହି ବୈଠକରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ଈଶ୍ୱର ଆଶିଷ ପାଟିଲ, ଅତିରିକ୍ତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ‘ଓରସାକ୍‌’ର ଦୁଇ ବୈଜ୍ଞାନିକ ପ୍ରମୋଦ କୁମାର ପରିଡ଼ା ଓ ମନୋଜ କୁମାର ସାନବଡ଼, ରାଜ୍ୟ ସରକାରଙ୍କ କଟକ ଡିଏଲଆର୍‌ଏସରୁ ଅତିରିକ୍ତ ଡିଏଲ୍‌ଆରଓ ନିଗମାନନ୍ଦ ପଣ୍ଡା, ଜିଲ୍ଲା ହେଡ୍‌ ଡ୍ରାଫ୍ଟସ୍‌ମେନ୍‌ ଦେବଦତ୍ତ ମହାଳିକ, ଜଳେଶ୍ୱର ତହସିଲର ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ଚନ୍ଦ, ଇନ୍ସପେକ୍ଟର ଗୌରାଙ୍ଗ ଜେନା, ପଶ୍ଚିମ ମେଦିନାପୁର ଜିଲ୍ଲାର ଲ୍ୟାଣ୍ଡ ରେକର୍ଡ୍ସର ଏଡିଏମ୍‌ ତୁଷାର ସିଂଲା, ପଶ୍ଚିମବଙ୍ଗ ରାଜ୍ୟର ଅତିରିକ୍ତ ଡିଏଲଆର୍‌ଏସ ଅରିନ୍ଦମ ମାନି, ସର୍ଭେକ୍ଷଣ ଅଧିକାରୀ ସମର କୁମାର ଦାସ, ଡିଏଲଏଲ୍‌ଆର୍‌ ସନ୍ତୋଷ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକର ଶେଷସୀମାରେ ରହିଛି ପଶ୍ଚିମବଙ୍ଗ।

ଏହି ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀକୂଳ ବିଳାସପୁର, ଗୋପାଳପୁର, ମାକିଡ଼ିଆ, କୁଅଁରପୁର, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣପ୍ରହରାଜପୁର, ମକ୍ରମପୁର ଆଦି ୯ଟି ସୈରାତରୁ ବାଲି ଉତ୍ତୋଳନକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଶାସନ ମଧ୍ୟରେ ବିବାଦ ଉପୁଜିଥିଲା। ଆଲୋଚନା ମାଧ୍ୟମରେ କୌଣସି ନିଷ୍କର୍ସ ନ ବାହାରିବାରୁ ମାମଲା ଯାଇ ପହଞ୍ଚିଥିଲା ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବୁନାଲରେ। ଅନ୍ୟାଦେଶ ଯାଏ ଉକ୍ତ ସୈରାତଗୁଡ଼ିକରୁ ବାଲି ଉତ୍ତୋଳନ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେବା ପରେ ଆଜିକୁ ୩ ବର୍ଷ ହେଲା ଏହି ବାଲିଖାଦାନଗୁଡ଼ିକ ବନ୍ଦ ରହିଛି। ପ୍ରଥମେ ନିଜ ନିଜର ସୀମା ନିର୍ଦ୍ଧାରଣ କରିବା ପରେ ଯାଇ ବାଲି ଉତ୍ତୋଳନ କରାଯିବ କି ନାହିଁ, ସେ ସଂପର୍କରେ ବିଚାର କରାଯିବ ବୋଲି ଉଭୟ ରାଜ୍ୟକୁ ଏନ୍‌ଜିଟି ନିର୍ଦେଶ ଦେଇଥିଲେ।

publive-image

ଏ ନେଇ ଉଭୟ ରାଜ୍ୟ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଯୁଗ୍ମ ରିପୋର୍ଟ ଆଧାରରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଆଜି ଆଲୋଚନା କରିଥିଲେ। ପରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ମହାରୁଇ ଏବଂ ଓଡ଼ିଶାର ଜଳେଶ୍ୱର ବ୍ଲକ ଦକ୍ଷିଣପ୍ରହରାଜପୁର ନଦୀତଟ ମାଗୁଣିଆପଡ଼ା ଗାଁ’ରେ ପହଞ୍ଚି ଡିଜିପିଏସ୍ ସାଟେଲାଇଟ୍ ସର୍ଭେ ମାଧ୍ୟମରେ ସୀମା ସ୍ଥିତି ପରଖିଥିଲେ। ଏହି ସର୍ଭେ ସମ୍ପୂର୍ଣ୍ଣ କରାଯିବା ପରେ ପ୍ରସ୍ତୁତ ଯୁଗ୍ମ ରିପୋର୍ଟ ଏନଜିଟିର ପ୍ରିନ୍ସିପାଲ ବେଞ୍ଚ୍‌ରେ ଦାଖଲ କରାଯିବ ବୋଲି ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଉପରୋକ୍ତ ବାଲି ସୈରାତ୍‌ଗୁଡ଼ିକୁ ପଶ୍ଚିମବଙ୍ଗର ବାଲି ମାଫିଆମାନେ ନିଜ ରାଜ୍ୟର ସୈରାତ୍‌ ଦାବି କରି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲେ। ଫଳରେ ଓଡ଼ିଶା ସରକାରଙ୍କୁ ବିପୁଳ ରାଜସ୍ବ କ୍ଷତି ସହିବାକୁ ପଡ଼ୁଥିଲା। ସମାଜସେବୀ ତଥା ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଏ ନେଇ ନୂଆଦିଲ୍ଲୀସ୍ଥିତ ଏନ୍‌ଜିଟିରେ (ଓଏ କେସ୍‌ ନଂ.୧୭୩/୨୦୧୮) ପିଟିସନ୍‌ ଦାଏର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe