ଚଣ୍ଡିଖୋଲ: ତିନି ସନ୍ତାନ ଥିବାରୁ ବଡ଼ଚଣା ବ୍ଲକ୍ ଭୂଷଣ୍ଡପୁର ପଞ୍ଚାୟତର ସମିତି ସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ପଦବି ରଦ୍ଦ ହୋଇଛି। ସେ ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟି ସନ୍ତାନ ଥିବା ଦର୍ଶାଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏନେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ମହେଶ୍ୱର ବେହେରା ଚଣ୍ଡିଖୋଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଗତ ୧୭ ତାରିଖରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଥିଲା।
ତିନି ସନ୍ତାନଙ୍କ ଜନକ ହୋଇଥିବାରୁ କୋର୍ଟ ଏହାର ବିଚାର କରି ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରିଦେଇଥିଲେ। ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୯୫ ଓ ସେକ୍ସନ ୪୫ (ଭି) ଅନୁଯାୟୀ ମିଥ୍ୟା ତଥ୍ୟ ପ୍ରଦାନ ଓ ୨୧/୦୪/୧୯୯୫ ପରେ ଦୁଇରୁ ଅଧିକ ସନ୍ତାନ ଥିଲେ ସଭ୍ୟ ପଦ ରଦ୍ଦ ହେବାର ନିୟମ ରହିଛି। ଏହି ମାମଲାରେ ମହେଶ୍ୱରଙ୍କ ପକ୍ଷରୁ ଆଇନଜୀବୀ ସୁରେଶ ଚନ୍ଦ୍ର ପଣ୍ଡା ଓ ଜଗନ୍ନାଥଙ୍କ ପକ୍ଷରୁ ଆଇନଜୀବୀ ଶଶାଙ୍କ ଶତପଥୀ ମାମଲା ପରିଚାଳନା କରୁଥିଲେ।
ଗତ ପଞ୍ଚାୟତ ନିର୍ବାଚନରେ ୨୦୨୨ ଫେବ୍ରୁଆରି ୧୮ ତାରିଖ ଦିନ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ଏହି ପଞ୍ଚାୟତରୁ ତିନିଜଣ ପ୍ରାର୍ଥୀ ସମିତି ସଭ୍ୟ ପଦବି ପାଇଁ ନିର୍ବାଚନ ଲଢ଼ିଥିଲେ।
Follow Us