ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ୧୧ ଦଫା ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ

Advertisment
ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ୧୧ ଦଫା ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ

Sambad

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଓ ଗଣଧାରଣାରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ୧୧ ଦଫା ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ବସ୍ତି ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନଙ୍କ ସମେତ ସେମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ କରିଥିବା ଅନ୍ୟାନ୍ୟ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଗ୍ରାମାଞ୍ଚଳରେ କର୍ମ ନିଯୁକ୍ତିର ଘୋର ଅଭାବ ସାଥେ ସାଥେ ବିକାଶ ନାଁରେ ବିସ୍ଥାପିତ ହେବା ଯୋଗୁଁ ସାଧାରଣ ଗରିବ, ଆଦିବାସୀ ଓ ଦଳିତ ଜନସାଧାରଣ ଜୀବନ ଜୀବିକା ଆଶାରେ ସହର ମୁହାଁ ହେଉଛନ୍ତି। ସହର ଗଢିବାରେ ସେମାନଙ୍କର ସର୍ବାଧିକ ଅବଦାନ ରହିଥିବା ବେଳେ ସେମାନଙ୍କ ଉପରେ ମଧ୍ୟ ବିକାଶର ସୁଲଡୋଜର ଚାଲିଛି ଓ ମୁଣ୍ଡ ଗୁଞ୍ଜିବା ପାଇଁ ତଥା ଜାଗା ଖଣ୍ଡେ ପାଇଁ ସେମାନେ ଦହଗଞ୍ଜ ହେଉଛନ୍ତି। ବହୁ ବିଳମ୍ବରେ ହେଲେ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ସରକାର ‘ଜାଗା ମିଶନ୍’ ନାମରେ ଯେଉଁ ଘୋଷଣା କରିଛନ୍ତି, ତାହା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସ୍ବଚ୍ଛତାର ଅଭାବ ରହିଛି। ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ପାଇଁ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି, ତାହା ସମ୍ପୂର୍ଣ୍ଣ ଉଲଂଘନ କରାଯାଉଛି। କେଉଁ ବସ୍ତି ବାସିନ୍ଦା ଭୂମି ଅଧିକାର ପ୍ରମାଣପତ୍ର, କେଉଁ ମାନେ ବାସଗୃହ ଅଧିକାର ପାଇବେ ଓ ସେମାନେ କେତେ ଜମିରେ ଘର କରି ରହିଛନ୍ତି, ତା’ର କୌଣସି ମାପଚୁପ କରାଯାଇ ନାହିଁ। ଏପରିକି ଜାଗା ମିଶନ୍‌ କାର୍ଯ୍ୟକ୍ରମ ୫-ଟି  ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ବସ୍ତି ବାସିନ୍ଦା ମାନଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଯାଇଛି। ସାଲିଆ ସାହି ଭଳି ଅନେକ ବସ୍ତୁ ଗୁଡିକରେ ଆଦୌ ସର୍ଭେ କରାଯାଇ ନାହିଁ।

ସାଲିଆ ସାହି ବସ୍ତି ଜଙ୍ଗଲ ଜମିରେ ଗଢି ଉଠିଛି ବୋଲି କୁହାଯାଉଛି, କିନ୍ତୁ ସେହି ଅଞ୍ଚଳରେ ବହୁ ଅନୁଷ୍ଠାନ, ବାସଗୃହ ଓ ହୋଟେଲ ପାଇଁ ଜମି ଆବଣ୍ଟନ କରାଯାଇଛି। ସାଲିଆ ସାହି ବସ୍ତି ଯଦି ଜଙ୍ଗଲ ଜମିରେ ରହିଛି, ତେବେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ସେଠାରେ ରହୁଥିବା ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବାକୁ ବସ୍ତି ସୁରକ୍ଷା ମଞ୍ଚ ଦାବି କରିଛି। ଅନ୍ୟ ପକ୍ଷରେ ଭୂମି ଅଧିକାର ପ୍ରମାଣପତ୍ର ଥାଇ ମଧ୍ୟ ଓୟୁଏଟି ଏବଂ ୟୁନିଟ-୪ ଅଞ୍ଚଳରେ ବୁଲଡୋଜର ଲଗାଇ ଘର ଭାଙ୍ଗି ଦେବା ଘଟଣା ଶ୍ରମଜୀବି ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଘୋର ଆଶଙ୍କା ସୃଷ୍ଟି କରୁଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ ସହିତ ରାଜସ୍ୱ ବିଭାଗରେ ତାହାର ଦାଖଲ-ଖାରଜ କରିବା ଓ ଖଜଣା ଆଦାୟ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଉପରୋକ୍ତ ଦାବି ଗୁଡିକ ଅବିଳମ୍ବେ ପୁରଣ କରାନଗଲେ ଆନ୍ଦୋଳନକୁ ଅଧିକରୁ ଅଧିକ ତୀବ୍ରତର କରାଯିବ ବୋଲି ମଞ୍ଚ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe