ଜିଲ୍ଲା ବେସରକାରୀ ଅଧ୍ୟାପକ ସଂଘର ଆନ୍ଦୋଳନ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Advertisment
ଜିଲ୍ଲା ବେସରକାରୀ ଅଧ୍ୟାପକ ସଂଘର ଆନ୍ଦୋଳନ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାୟଗଡା: ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ରାଜ୍ୟ ସଂଘ ଡାକରାରେ ରାୟଗଡା ଜିଲ୍ଳା ଶାଖା ସଂଯୋଜକ ସଂଗ୍ରାମ କେଶରୀ ନାୟକଙ୍କ ନେତୃତ୍ୱରେ ଆଜି ଶତାଧିକ ଅଧ୍ୟାପକ କର୍ମଚାରୀମାନେ ସଂଘର ଏକ ଦଫା ଦାବି ପୂରଣ ଦିଗରେ ସରକାର ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ରାଜ୍ୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିବା ସଂଘର ଏକମାତ୍ର ଦାବି ବୋଲି ଜିଲ୍ଳା ସଂଯୋଜକ ଶ୍ରୀ ନାୟକ ପ୍ରକାଶ କରିଥିଲେ। ଦାବି ପୂରଣ ନେଇ ରାଜ୍ୟ ସଂଘ ପକ୍ଷରୁ ଗତ ୪୦୦ଦିନ ଧରି ଭୁବନେଶ୍ୱର ସ୍ଥିତ ଲୋଏର ପିଏମଜି ଠାରେ ଅହୋରାତ୍ର ଧାରଣା ଦିଆଯାଇଥିଲା। ତଥାପି ରାଜ୍ୟ ସରକାର ସଂଘର ଦାବି ପୂରଣ ଦିଗରେ ଅଣଦେଖା କରୁଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ।

ଏକ ଦଫା ଦାବି ପୂରଣ ପାଇଁ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ,ରାଲି,ଧାରଣା ଓ ବିକ୍ଷୋଭ ମାଧ୍ୟମରେ ସରକାରଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶୃତି ହିଁ ସରକାରଙ୍କ ଏକ ମାତ୍ର ପନ୍ଥା ରହିଥିବା ଯୁକ୍ତି ବାଢିଥିଲେ। ଏପରିକି ରାଜ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ, ଅର୍ଥ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ସରକାରଙ୍କ ନିଷ୍କ୍ରିୟତା ଅବଲମ୍ବନ କାରଣରୁ ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଉଛି। ଦୀର୍ଘ ଦିନର ଧାରଣା ପରେ ବି ସରକାର ଚୁପ ରହି ବସି ଥିବାରୁ ସଂଘ ତରଫରୁ ପୁର୍ନବାର ଦାବି ପୁରଣ ପାଇଁ ଆନ୍ଦୋଳନକୁ ଓହ୍ଳାଇବାକୁ ରାଜ୍ୟ ସଂଘ ନିଷ୍ପତି ନେଇଥିବା ରାୟଗଡା ଜିଲ୍ଳା ଶାଖା ସଂଯୋଜକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ରାଜ୍ୟ ସଂଘ ଆହ୍ୱାନ କ୍ରମେ ଆଜି ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ସହ ଜିଲ୍ଳାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ରାୟଗଡା ଜିଲ୍ଳାରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ସଂଖ୍ୟା ୧୪୦ରୁ ଉର୍ଦ୍ଧ ରହିଥିବା ଜଣାପଡିଛି। ଆଜି ଠାରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପ୍ରତି ଜିଲ୍ଳାରେ ଜିଲ୍ଳାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ଥିବା ବେଳେ ଯଦି ଦାବି ପୂରଣ ଦିଗରେ ସରକାର କୈାଣସି ବିଚାର ନ କରନ୍ତି ତେବେ ଆସନ୍ତା ଜାନୁଆରୀ ୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବାର ନିଷ୍ପତି ରାଜ୍ୟ ସଂଘ କରିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe