ଆଇନଜୀବୀଙ୍କ ସୁରକ୍ଷା ଆଇନ ନିମନ୍ତେ ଦାବିପତ୍ର

ଆଇନଜୀବୀଙ୍କ ସୁରକ୍ଷା ଆଇନ ନିମନ୍ତେ ଦାବିପତ୍ର

Sambad

ଖୋର୍ଦ୍ଧା: ଦେଶରେ ଆଇନଜୀବୀଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣା ନିନ୍ଦା କରିବା ସହ ଆଇନଜୀବୀଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ଲାଗୁ କରିବା ଦାବିରେ ଆଜି ସୋମବାର ଖୋର୍ଦ୍ଧା ଓକିଲ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଜି ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଓକିଲ ସଂଘର ସର୍ବେଶ୍ବର ସାହୁ, ସମ୍ପାଦକ ମନ୍ମଥ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ାଙ୍କ ସମେତ ଅନ୍ୟ ସଂଘର ଅନ୍ୟ କର୍ମକର୍ତା ଓ ସଦସ୍ୟଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ସମ୍ପର୍କରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ଶ୍ରୀ ପାତ୍ର କହିଛନ୍ତି ଯେ, ନିକଟରେ ଉତ୍ତରପ୍ରଦେଶ ଗାଜିଆବାଦରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଘଟଣା ଘଟିଛି।

ଆଇନଜୀବୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ଦେଶେରେ ନୂଆଁ ନୁହେଁ, କିନ୍ତୁ ଆକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାରେ ଆଜି ଓଡ଼ିଶା ହାଇକୋର୍ଟ ଓକିଲ ସଂଘର ଜରୁରୀ ସାଧାରଣ ବୈଠକରେ ଆଇନଜୀବୀଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣର ନିନ୍ଦା କରାଯାଇଥିଲା। ଆଇନଜୀବୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବାକୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ଦାବିପତ୍ର ଦିଆଯାଇଛି। ଏହା ସହ ଏହାର ନକଲ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe