Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମ) କର୍ମଚାରୀଙ୍କ ପ୍ରତି କ୍ରମାଗତ ଅବହେଳା ଜାରି ରହିଛି । ଏହାର ପ୍ରତିଦାବରେ ଆତ୍ମ କର୍ମଚାରୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଜରିଆରେ କୃଷି ନିର୍ଦେଶକ ଏବଂ ଅନ୍ୟାନ୍ୟ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଜିଲ୍ଲାର ୭ଟି ବ୍ଲକରେ କାର୍ଯ୍ୟ ଆତ୍ମର ୧୬ ଜଣ କର୍ମଚାରୀ ଓ ଜିଲ୍ଲା କାର୍ଯ୍ୟାଳୟରେ ୨ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି କର୍ମଚାରୀମାନେ ଦୀର୍ଘ ୫ ମାସ ଧରି ବେତନ ପାଇନଥିବା ଯୋଗୁଁ ସେମାନଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କରୋନା ଭଳି ଜଟିଳ ପରିସ୍ଥିତିରେ ବେତନ ନମିଳିବା ଯୋଗୁଁ ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।
ସେହିପରି ଆତ୍ମ ଗାଇଡଲାଇନ ୨୦୧୪ ଓ ୨୦୧୮ ଅନୁଯାୟୀ କର୍ମଚାରୀମାନେ ବାର୍ଷିକ ୧୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବା ପାଇଁ ନିର୍ଦେଶ ଥିବା ସତ୍ବେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଏହି ପ୍ରାପ୍ୟ ନମିଳିବା ଦୁର୍ଭାଗ୍ୟ ଜନକ ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, କର୍ମଚାରୀମାନେ ଆତ୍ମ କାର୍ଯ୍ୟ ସହ ସରକାରଙ୍କର ଅନ୍ୟାନ୍ୟ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯଥା କାଳିଆ, ବଳରାମ, ଚାଷୀ ପଞ୍ଜିକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଡିଭିଟି, ପିଏମକିଷାନ, ଆରକେ ଭିଵାଇ, ଏନଏଫଏସଏମ ଆଦି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରୁଛନ୍ତି। ମାତ୍ର ମହାମାରୀ ସମୟରେ ଦୀର୍ଘ ସମୟଧରି ଦରମା ପାଇ ନଥିବା ଯୋଗୁଁ କର୍ମଚାରୀମାନେ ଆର୍ଥିକ ସଂକଟରେ ଗତି କରୁଛନ୍ତି। ୨୦୨୦ଠାରୁ ହିସାବ ମୁତାବକ ବର୍ଦ୍ଧିତ ଦରମା ସହ ବକେୟା ୫ ମାସର ବେତନ ତୁରନ୍ତ ପ୍ରଦାନ କରିବା ନିମନ୍ତେ ଦାବି ହୋଇଛି।
Follow Us