ରାୟଗଡା ପୌରାଞ୍ଚଳ ଭିତରେ ଟ୍ରାଫିକ ବ୍ୟବସ୍ଥାର ସହଜତା ସୁନିଶ୍ଚିତ ନେଇ ଦାବିପତ୍ର

Advertisment

୩୨୬ ଜାତୀୟ ରାଜପଥ ସହର ଭିତରେ ଯାଇଥିବାରୁ ଦୁର୍ଘଟଣା ବଢୁଛି

୩୨୬ ଜାତୀୟ ରାଜପଥ ସହର ଭିତରେ ଯାଇଥିବାରୁ ଦୁର୍ଘଟଣା ବଢୁଛି

ରାୟଗଡା ପୌରାଞ୍ଚଳ ଭିତରେ ଟ୍ରାଫିକ ବ୍ୟବସ୍ଥାର ସହଜତା ସୁନିଶ୍ଚିତ ନେଇ ଦାବିପତ୍ର

Sambad

ରାୟଗଡା: ରାୟଗଡା ପୈାରସଂସ୍ଥା ଅଧିନରେ ଥିବା ପୈାରାଂଚଳ ଭିତର ଟ୍ରାଫିକ୍ ରାସ୍ତାର ସହଜତା ସୁନିଶ୍ଚିତା କରିବା ପାଇଁ ରାୟଗଡା ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନଙ୍କୁ ରାୟଗଡା ସହରର ବିଭିନ୍ନ ସଂଗଠନ ଗୁଡିକ ପକ୍ଷରୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି। ରାୟଗଡା ସହରକୁ ପୂର୍ବତଟ ରେଳବାଇର ଟ୍ରେନ୍ ଟ୍ରାକ୍ ପୁରୁଣା ସହର ଓ ନୂଆ ଟାଉନ ଭାବେ ଦୁଇ ଭାଗରେ ବିଭକ୍ତ କରୁଥିବା ବେଳେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କାରଣରୁ ସହରର ଅଭିବୃଦ୍ଧି ହେତୁ ଜନସଂଖ୍ୟା ବୃଦ୍ଧି ପାଉଛି। ଯାହାଦ୍ୱାରା ଯାତ୍ରୀ ଏବଂ ଯାନବାହନ ବୃଦ୍ଧି ହେଉଛି ଏବଂ ରାସ୍ତାରେ ଯାତାୟାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଆଗାମୀ ଦିନରେ ରେଳବାଇ ଡିଆରଏମ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ସହରରେ ଯାତାୟାତ ଦ୍ୱିଗୁଣିତ ହୋଇଯିବ। ବର୍ତ୍ତମାନ ସହରର ଉଭୟ ଭାଗ ସହିତ କେବଳ ଗୋଟିଏ ଓଭରବ୍ରିଜ ଏବଂ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ସବ୍‌ୱେ ରହିଛି। ସହର ମଧ୍ୟ ଦେଇ ୩୨୬ନମ୍ବର ଜାତୀୟ ରାଜପଥ ମଧ୍ୟ ରହିଛି। ପୁରୁଣା ସହରରୁ ନୂଆ ଟାଉନକୁ ଜନସାଧାରଣଙ୍କ ଗତିବିଧି ବୃଦ୍ଧି ହେତୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରେ ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ଲାଗି ରହିଛି। ବିଶେଷ କରି ପୁରୁଣା ସହରରେ ଥିବା ଜିଲ୍ଳା କୋର୍ଟ, ତହସିଲ କାର୍ଯ୍ୟାଳୟ, ‌ପୌର ସଂସ୍ଥା କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ ବିଭାଗ, ପୁଲିସ ଷ୍ଟେସନ, ରେଳବାଇ କାର୍ଯ୍ୟାଳୟ, ବସଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଅବସ୍ଥିତ ଥିବା ବେଳେ ନୂତନ ଟାଉନରେ ଜିଲ୍ଳାପାଳ, ଏସ.ପି, ଡିଏଫଓ, ଉପଜିଲ୍ଳାପାଳ, ଦମକଳ କେନ୍ଦ୍ର ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି।ଯାହାଦ୍ୱାରା ଲୋକେ ନିଜ କାର୍ଯ୍ୟ ପାଇଁ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଯାଉଛନ୍ତି। ଏଠାରେ ପୌରପାଳିକାର ସଡକ ଏବଂ ରେଳ ବିଭାଗ ରାସ୍ତା ସଡକ ସୁରକ୍ଷା ପ୍ରୋଟୋକଲକୁ ପୂରଣ ନ କରି ସିଧାସଳଖ ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଯାହାଫଳରେ ସଡକ ଦୁର୍ଘଟଣାକୁ ଏହା ଆମନ୍ତ୍ରିତ କରିଥାଏ। ତେଣୁ ଏହାକୁ ଗୁରୁତ୍ୱ ଦିଆଯାଇ ରାସ୍ତାର ଭିତିଭୂମିକୁ ମଜବୁତ କରିବାର ଆବଶ୍ୟକ ଅଛି ବୋଲି ଦାବିପତ୍ରରେ ଉଲ୍ଳେଖ କରାଯିବା ସହ ସହରରେ ୩୨୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଅନେକ ସବୱେ, ବାଇ-ଲେନ, ଡାଇଭର୍ସନ ସଡକ ଆଦି ନିର୍ମାଣର ଆବଶ୍ୟକତା ରହିଛି।

ତେଣୁ ଜିଲ୍ଳାପାଳ ଏଥି ନିମନ୍ତେ ଯାତାୟାତର ସହଜତା ପାଇଁ ଏକ ଡିପିଆର ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଛି। ମା’ ମଝିଘରିଆଣୀ ମନ୍ଦିର ଅଣ୍ଡରଗ୍ରାଉଣ୍ଡ ରାସ୍ତାଟି ସିଧାସଳଖ ରାଜ୍ୟ ସଡକପଥ ସହ ସଂଯୋଗ କରୁଥିବାରୁ ଏଠାରେ ମଧ୍ୟ ଅନେକ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ଏହାର ଉତ୍ତର ଆଡକୁ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ରାସ୍ତାରେ ବେକେରୀ ନିକଟରେ ରେଳବାଇ ଟ୍ରାକ ତଳେ ଏକ ସବୱେ ରାସ୍ତା ନିର୍ମାଣ କରାଗଲେ ଉକ୍ତ ରାସ୍ତାରେ ୫୦ ପ୍ରତିଶତ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇପାରିବ ବୋଲି ଉଲ୍ଳେଖ କରାଯାଇଛି।

publive-image Sambad

ସେହିପରି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଛକ ଠାରେ ଥିବା ସବୱେ ସବୁବେଳେ ଟ୍ରାଫିକ୍ ସମସ୍ୟାରେ ରହିଥିବା ବେଳେ ଭବିଷ୍ୟତରେ ଯଦି ବାଇପାସ ରାସ୍ତା ନିର୍ମାଣ ହୁଏ ତେବେ ପ୍ରସ୍ତାବିତ ସବୱେ ସ୍ଥାନୀୟ ହାଲୁକା ଦୁଇ/ତିନି ଚକିଆ ଯାନ ପାଇଁ ବ୍ୟବହାର କରି ହେବ ଏବଂ ଏଥିରେ ମଧ୍ୟ ଟ୍ରାଫିକ୍ ହ୍ରାସ ପାଇବ। ପୂର୍ବରୁ ରେଳବାଇ ଷ୍ଟେସନକୁ ଯିବା ପାଇଁ ଏକମାତ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଥିବା ବେଳେ ବର୍ତମାନ ସର୍ବନିମ୍ନ ଗୁଣାତ୍ମକ ମାନ ସହିତ ସମାନ ନ ଥିବା ଏବଂ ଜାତୀୟ ରାଜପଥ ବିଭାଗର ଅନୁମୋଦନ ବିନା  ରେଳବାଇର ପ୍ରସ୍ଥାନ ରାସ୍ତା ସିଧାସଳଖ ସଂଯୁକ୍ତ ଯାହାକି ସଂପୂର୍ଣ୍ଣ ଭାବେ ବିପଜ୍ୱନକ ଅଟେ ବୋଲି ଉଲ୍ଳେଖ କରାଯାଇଛି। ତେଣୁ ରେଳବାଇର ପଶ୍ଚମି ପାଶ୍ୱର୍ରେ ଅନ୍ୟ ଏକ ପ୍ଳାଟଫର୍ମ ପ୍ରସ୍ତାବ ଦିଆ ଯାଇପାରେ।

ଫଳରେ ପୁରୁଣା ଟାଉନ ଜନସାଧାରଣ ପଶ୍ଚିମ ପ୍ଳାଟଫର୍ମକୁ ବାଛିବେ ଏବଂ ପୂର୍ବପ୍ରବେଶରୁ ଷ୍ଟେସନରେ ପଂହଚିବା ପାଇଁ ଜାତୀୟ ରାଜପଥ ତଥା ଓଭରବ୍ରିଜକୁ ଏଡାଇବେ ଯଦ୍ୱାରା ନୂତନ ସହରର ଟ୍ରାଫିକ୍ ଭାର ହ୍ରାସ ପାଇବ।ସେହିପରି ଗଜପତି ଛକରୁ ରେଳ ଷ୍ଟେସନ ଏବଂ ରେଳଷ୍ଟେସନରୁ ସାଇ ଇଂଟରନ୍ୟାସନାଲ ଛକ ପର୍ଯ୍ୟନ୍ତ ରେଳବାଇ ଦ୍ୱାରା ସେବା ରୋଡ୍ ନିର୍ମାଣ କରାଗଲେ ହାଲୁଆ ଯାନ ଗୁଡିକର ଟ୍ରାଫିକ୍ ଭାର ଜାତୀୟ ରାଜପଥରୁ ହ୍ରାସ ପାଇବ ଏବଂ ସଡକ ଦୁର୍ଘଟଣାକୁ ଏଡାଇ ଯାଇ ପାରିବ ବୋଲି ଉଲ୍ଳେଖ ରହିଛି। କୋରାପୁଟ ଛକ  ଠାରୁ ଶାସ୍ତ୍ରୀ ନଗର ମଧ୍ୟରେ ରେଳବାଇ ସହ ବୁଝାମଣା କରି ରେଳବାଇ ଜମିରେ ଘରୋଇ ବସ ପାଇଁ ବସଷ୍ଟାଣ୍ଡ ନିର୍ମାଣ କରିବା, ଶାରଳା ଛକ ଠାରେ ଥିବା ରେଳବାଇର ନୀଳଗିରି ଗଛ ଲଗାଯାଇଥିବା ସ୍ଥାନରେ ଉଠା ବ୍ୟବସାୟୀଙ୍କୁ ସାମୟିକ ଭାବରେ ଅନୁମତି ଦିଆଗଲେ ଟ୍ରାଫିକ୍ ସମସ୍ୟା ଅନେକମାତ୍ରାରେ ହ୍ରାସ ହୋଇ ପାରିବ ବୋଲି ଉଲ୍ଳେଖ ରହିବା ସହ ଅନ୍ୟାନ୍ୟ ଟ୍ରାଫିକ୍ ସମସ୍ୟାର ସମାଧାନ ନିମନ୍ତେ ସହର ମଧ୍ୟରେ ଅନେକ ସବୱେ ନିର୍ମାଣ ପାଇଁ ପ୍ରସ୍ତାବ ସହ ସ୍କେଚ ମ୍ୟାପ୍ ପ୍ରଦାନ କରାଯାଇ ନିବେଦନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ବାଦଲ କୁମାର ତା’, ବ୍ରଜସୁନ୍ଦର ନାୟକ, ଦୁର୍ଗା ପ୍ରସାଦ ପଣ୍ଡା, ଶିବାଜୀ ଦାସ, କେ. ଆପଲାସ୍ୱାମୀ, ବସନ୍ତ କୁମାର ଉଲାକା, ଶିବ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ସୁନୀଲ ଚନ୍ଦ୍ର ପଣ୍ଡା, ପ୍ରଭାକର ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe