ପରିବା ଦେକାନୀଙ୍କୁ ଥଇଥାନ ଦାବି ନେଇ ରାଲି ଓ ଦାବିପତ୍ର ପ୍ରଦାନ

ପରିବା ଦେକାନୀଙ୍କୁ ଥଇଥାନ ଦାବି ନେଇ ରାଲି ଓ ଦାବିପତ୍ର ପ୍ରଦାନ

Sambad

ଖୋର୍ଦ୍ଧା: ଚଳିତବର୍ଷ ଜାନୁଆରି ୨୪ ତାରିଖରେ ପ୍ରଶାସନ, ବୁଦ୍ଧିଜୀବୀ ଓ ଦୋକାନୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ପରିବା ଦୋକାନୀଙ୍କୁ ଟିଏଲ୍‌ସି ପଡ଼ିଆ ନିକଟରେ ଦୋକାନ ଘର ଯୋଗାଇ ଦେବା ଦାବିରେ ଆଜି ପରିବା ବ୍ୟବସାୟୀଙ୍କ ପକ୍ଷରୁ ଏକ ବିକ୍ଷୋଭ ରାଲି ଓ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ, ୧ଶହରୁ ଉର୍ଦ୍ଧ୍ବ ପରିବା ବ୍ୟବସାୟୀ, ଖୋର୍ଦ୍ଧା ବିକାଶମଞ୍ଚର ନରେନ୍ଦ୍ର ପୃଷ୍ଟି, ଚକ୍ରଧର ସାହୁ ପ୍ରମୁଖ ହାତରେ ବ୍ୟାନର ଆଦି ଧରି ଏକ ରାଲିରେ ସହର ପରିକ୍ରମା କରିଥିଲେ। ପରେ ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବା ସହ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରିବା ବ୍ୟବସାୟୀଙ୍କ କହିବା କଥା ହେଲା, ଜାନୁଆରୀ ୨୪ ତାରିଖରେ ଖୋର୍ଦ୍ଧା ବ୍ଲକ ସଭାଗୃହରେ ଆଲୋଚନା କରାଯାଇ ୭ ଦିନ ମଧ୍ୟରେ ଅତିରିକ୍ତ ଜବରଦଖଲ ହଟାଇବା ଓ ୩ ମାସ ମଧ୍ୟରେ ପରିବା ବ୍ୟବସାୟୀଙ୍କ ନିମନ୍ତେ ଟିଏଲ୍‌ସି ପଡ଼ିଆ ସମ୍ମୁଖସ୍ଥ ସରକାରୀ ଜମିରେ ପିଣ୍ଡି ଓ ଦୋକାନଘର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା।

ବର୍ତ୍ତମାନ ଦିନକୁ ଦିନ ସହରର ମୁଖ୍ୟରାସ୍ତା କଡ଼ରେ ଗାଁଗହଳିରୁ ରୋଜଗାର ପାଇଁ ଆସୁଥିବା କ୍ଷୁଦ୍ର ପରିବା ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏଣୁ ତୁରନ୍ତ ନିଷ୍ପତ୍ତି ଅନୁସାରେ ପରିବା ବ୍ୟବସାୟୀଙ୍କୁ ଥଇଥାନର ବ୍ୟବସ୍ଥା କରାଯାଉ। ଯଦି ଆଗାମୀ ୧୫ ଦିନ ମଧ୍ୟରେ ସେମାନଙ୍କ ଦାବି ସମ୍ପର୍କରେ କୌଣସି ପଦକ୍ଷେପ ନନେଲେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପୌର ପରିଷଦ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ। ଏନେଇ ଶ୍ରୀପୃଷ୍ଟି କହିଛନ୍ତି ଯେ ପୌର ନିର୍ବାହୀ ଅଧିକାରୀ ଏନେଇ ପଦକ୍ଷେପ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଏକ ପ୍ରତିନିଧି ଦଳ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଭେଟି ଅନୁରୂପ ଦାବିପତ୍ର ଦେଇଛନ୍ତି। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ରମେଶ ବେହେରା, ବଂଶୀଧର ବେହେରା, ଈଶ୍ୱର ମଙ୍ଗରାଜ, ଗୌରୀ ଶଙ୍କର ତ୍ରିପାଠୀ, ମଧୁସୂଦନ ଦାସ, ସୁବାସ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe