ଭଦ୍ରକ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ଭଦ୍ରକ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାର ପ୍ରତି ପଞ୍ଚାୟତରେ ପ୍ରାଣୀଧନ ନିରୀକ୍ଷକ ଓ ତାର କ୍ୟାଡର ଭାଇଭଉଣୀମାନେ ପ୍ରାଣୀସମ୍ପଦର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି । ବିଭାଗର ୮୦ ଭାଗ କାମ ଆମଦ୍ୱାରା ହୋଇଥାଏ। ଦୀର୍ଘବର୍ଷର ପୁରୁଣା ଭିତ୍ତିଭୂମି ଉପରେ ଆମେମାନେ ବହୁକଷ୍ଟରେ କାର୍ଯ୍ୟକରିଆସୁଛୁ। ବିଭାଗରେ ଵିଭିନ୍ନ ବର୍ଗର କର୍ମଚାରୀମାନଙ୍କର ସୁବିଧା ସୁଯୋଗ ନିମିତ୍ତ ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ଆମ କ୍ୟାଡର ପାଇଁ କୌଣସି ସୁବିଧା କରିନାହାନ୍ତି । ସଂଘର ଦୀର୍ଘଦିନର ଦାବି ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଂଗତି ଦୂର କରିବା, କ୍ୟାଡର ପୁନର୍ଗଠନ କରିବା, ଦୁଇ ବର୍ଷିଆ ଡିପ୍ଲୋମା ଓ ତାର ନାମକରଣ କରିବା, କାର୍ଯ୍ୟସାରଣୀର ସଂଶୋଧନ କରିବା ଆଦି ଦାବିକୁ ନେଇ ସଂଘ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିଆସୁଛି।

ଫଳସ୍ୱରୂପ ୨୦୧୮ ମସିହା ଫେବ୍ରୁଆରୀ ମାସରେ ସଂଘ ତାର ୩୦୦୦ କର୍ମଚାରୀଙ୍କୁ ନେଇ ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲା ।ସଂଘର ଆନ୍ଦୋଳନର ଦ୍ଵିତୀୟ ଦିନରେ ସରକାର ସଂଘ ସହ ଆଲୋଚନା କରି ତିନି ମାସ ମଧ୍ୟରେ ସଂଘର ଦାବିକୁ ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ସମସ୍ତ ଦାବି ଗୁଡିକ ପ୍ରତି ଉଦାସୀନତା ଦେଖେଇଆସିଛନ୍ତି ।ଏହାର ପ୍ରତିବାଦରେ ରାଜ୍ୟ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ରଂଜନ ବିଶ୍ୱାଳ, ସଭାପତି ଉପେନ୍ଦ୍ର ନାଥ ରଣା ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁଙ୍କ ସମେତ ୩୦ ଗୋଟି ଜିଲ୍ଲାର ସଭାପତି ଓ ସଂପାଦକ ଯୋଗଦେଇ ସରକାରଙ୍କ ଉଦାସୀନତା ପ୍ରତି ପ୍ରତିବାଦ ଜଣାଇଥିଲେ। ଆଗାମୀ ମାର୍ଚ୍ଚ ୨ ତାରିଖ ସୁଦ୍ଧା ସରକାର କିଛି ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଭଦ୍ରକ ଜିଲ୍ଲା ସଂଘର ସଭାପତି ପ୍ରିୟବ୍ରତ ରାଉତ, ସଂପାଦକ ଭାସ୍କର ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ଭକ୍ତ ରଂଜନ ମଲ୍ଲିକ, ଉପସଭାପତି ବିଶ୍ଵନାଥ ପ୍ରତାପ ବଳ ଓ ସଂଗଠନ ସମ୍ପାଦକ ବିଶ୍ବଭୂଷଣ ଦାସ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe