କରମଡିହି ମନରେଗା ଦୁର୍ନୀତି ଗୁମର ଫିଟୁଛି: ମୃତ ଓ କାମ କରି ନଥିବା ଶ୍ରମିକଙ୍କ ନାମରେ ଜାଲ୍ ବିଲ୍

Advertisment
କରମଡିହି ମନରେଗା ଦୁର୍ନୀତି ଗୁମର ଫିଟୁଛି: ମୃତ ଓ କାମ କରି ନଥିବା ଶ୍ରମିକଙ୍କ ନାମରେ ଜାଲ୍ ବିଲ୍

ସୁନ୍ଦରଗଡ଼: ସବଡେଗା ବ୍ଲକ୍ କରମଡିହି ପଞ୍ଚାୟତର ଫଗୁଆପଡ଼ା ଠାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନରେ ହୋଇଥିବା ପୋଖରୀ ଖନନରେ ବ୍ୟାପକ ଦୁର୍ନୀତି, ଜାଲ୍ ବିଲରେ ଯୋଜନାର ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଲୋକପାଳ (ମନରେଗା) ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହା ମଧ୍ୟରେ ଦୁର୍ନୀତି ଗୁମର ସବୁ ଫିଟିବାରେ ଲାଗିଛି। ପ୍ରକଳ୍ପ କାମ ସମ୍ପାଦନ କରିଥିବା ପଞ୍ଚାୟତ କର୍ତ୍ତୃପକ୍ଷ ପୋଖରୀ ଖନନ ପାଇଁ ଜାଲ୍ ପଲ୍ଲୀସଭା ଓ ପ୍ରକଳ୍ପ ପ୍ରାରମ୍ଭିକ ବୈଠକ କରିଥିବା ଜଣାପଡ଼ିଛି। ସବୁଠାରୁ ଉଦବେଗଜନକ କଥା ହେଲା, ମନରେଗାର କଡ଼ା ଆଇନକୁ ଫାଙ୍କି କର୍ତ୍ତୃପକ୍ଷ ମୃତକ ଓ କାମ କରି ନଥିବା ଶ୍ରମିକଙ୍କ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷରେ ୯ ଲକ୍ଷ ୯୦ ହଜାର ଟଙ୍କା ଅଟକଳରେ ଫଗୁଆପଡ଼ା ପୋଖରୀ ଖନନ ଓ ଗାଧୁଆ ଘାଟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ତେବେ ଏଥିପାଇଁ ୨୫.୪.୨୦୨୨ରେ ୱାର୍ଡସଭ୍ୟା ଯୁଗେଶ୍ବରୀ କଣ୍ଡରାଙ୍କ ସଭାପତିତ୍ବରେ ପଲ୍ଲୀସଭା କରି ସୁଧିର ନାଏକଙ୍କୁ ଶ୍ରମିକ ମୁଖ୍ୟ ମନୋନୀତ କରାଯାଇଥିବାର ମିଛ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

publive-image

ଗାଁରେ ପୋଖରୀ ଖନନ ନେଇ କୌଣସି ପଲ୍ଲୀସଭା ହୋଇ ନଥିବା ଲୋକେ ପ୍ରକାଶ କରିଛନ୍ତି। ସେହିପରି ୨.୫.୨୦୨୨ରେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକଙ୍କ ଉପସ୍ଥିତିରେ ପ୍ରକଳ୍ପ ପ୍ରାରମ୍ଭିକ ବୈଠକ କରି କାମ ସମ୍ପାଦନ ପାଇଁ ଗ୍ରାମ ସଂଯୋଜକ ଭାବେ ସୁଧିର ନାଏକଙ୍କୁ ନିୟୋଜିତ କରାଯାଇଥିବା ଓ ତଦାରଖ କମିଟିରେ ସମୀର ନାଏକ, ସୁରତ ପଟେଲ, ଭରତ ପଟେଲ, ମାଧବ ଭୈସାଲ, ଇଶ୍ବର ପେରେଙ୍କ ମନୋନୀତ କରାଯାଇଥିବା ଦର୍ଶାଯାଇଛି। ଯାହାକୁ ଗାଁ ଲୋକେ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଏପରିକି ତଦାରଖ କମିଟିରେ ନାମ ଥିବା ଲୋକେ ମଧ୍ୟ ସେମାନଙ୍କ ଅଜ୍ଞାତରେ ଏସବୁ ମିଛ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଏହା ମଧ୍ୟରେ ମୃତ ବୃଷଭ ପେରେଙ୍କ ନାମରେ ଜାଲ୍ ମଷ୍ଟରରୁଲ୍ ରେ ୩୧.୫.୨୦୨୨ରୁ ୨୦.୬.୨୦୨୨ ଯାଏ କାମ କରିଥିବା ଦର୍ଶାଇ ୩୧.୫.୨୦୨୨ରେ ଗୋଟିଏ ଦିନର ମଜୁରି ପ୍ରଦାନ କରାଯାଇଛି।

ସେହିପରି କାମ କରି ନଥିବା ପରମେଶ୍ବର ମାଝୀ, ଯୁଗେଶ୍ବର ମାଝୀ, ଦେବେନ୍ଦ୍ର ମାଝୀ, ଦୁଃଶାସନ ମାଝୀ, ଉପେନ୍ଦ୍ର ମାଝୀ, ପିନୁ ସେନାପତି, ମୀରା ନାଏକ, ସ୍ବପ୍ନା ନାଏକ, ସୁଜିତ କୁମାର ପଟେଲ, ମନୋରମା ପଟେଲ, ଭରତ ପଟେଲଙ୍କ ନାମରେ ମାଟି କାମ କରିଥିବା ଦର୍ଶାଇ ମିଛ ବିଲରେ ଲକ୍ଷାଧିକ ଟଙ୍କା ଉଠାଇ ନିଆଯାଇଛି। ଶ୍ରମିକମାନଙ୍କୁ ସେମାନଙ୍କ ଜବକାର୍ଡ ନବୀକରଣ କରା ନଗଲେ ଭତ୍ତା, ରାସନ, ଆବାସ, ଗୁହାଳ ଆଦି କଟିଯିବାର ଡର ଦେଖାଇ ଗ୍ରାମ ସଂଯୋଜକ କାର୍ଡ ନେଇ ଜାଲ୍ ମଷ୍ଟରରୁଲ୍ ତିଆରି କରିଥିବା ଓ ସେମାନଙ୍କ ପାସବୁକରେ ମଜୁରି ଟଙ୍କା ଜମା କରି ପରବର୍ତ୍ତୀ ସମୟରେ ସରକାରୀ ଟଙ୍କା କହି ଉଠାଇ ନେଇଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ତେବେ ଏଯାଏ ବିଡିଓ ଲୋକପାଳଙ୍କୁ ରିପୋର୍ଟ ଦେଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe