ମାଳିଗାଁରେ ମନ୍‌‌ରେଗା ମହାଦୁର୍ନୀତି, ମଲାଲୋକ ନାଁରେ ଉଠିଛି ବିଲ୍‌

Advertisment

୫ଲକ୍ଷ ୮୭ ହଜାର ଟଙ୍କା ଚଳୁ, ଟଙ୍କା ଫେରସ୍ତ ପାଇଁ ବିଡିଓଙ୍କ ନିର୍ଦେଶ

୫ଲକ୍ଷ ୮୭ ହଜାର ଟଙ୍କା ଚଳୁ, ଟଙ୍କା ଫେରସ୍ତ ପାଇଁ ବିଡିଓଙ୍କ ନିର୍ଦେଶ

ମାଳିଗାଁରେ ମନ୍‌‌ରେଗା ମହାଦୁର୍ନୀତି, ମଲାଲୋକ ନାଁରେ ଉଠିଛି ବିଲ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ମାଳିଗାଁ ପଞ୍ଚାୟତରେ ମନ୍‌ରେଗା ମହାଦୁର୍ନୀତି ସାମନାକୁ ଆସିଛି। ମଲାଲୋକ ଓ କାମକରି ନଥିବା ବ୍ୟକ୍ତିଙ୍କ ନାଁରେ ବି ବିଲ୍‌ ଉଠିଛି। ଚଞ୍ଚକତା କରି ମିଥ୍ୟା‌ ବିଲ୍‌ ଭାଉଚରରେ ୫ ଲକ୍ଷ ୮୭ ହଜାରରୁ ଅଧିକ ଟଙ୍କା ଚଳୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଥୁଆମୂଳ ରାମପୁର ବିଡିଓ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ସରକାରୀ ଜମାଖାତାକୁ ଉକ୍ତ ଟଙ୍କା ଫେରସ୍ତ କରିବାକୁ କଡ଼ା ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ମାଳିଗାଁ ପଞ୍ଚାୟତରେ ୨୦୨୦-୨୧ବର୍ଷରେ ମନ୍‌ରେଗା ଯୋଜନାରେ ସରଦାଫାସ ଗ୍ରାମର ଭାଲୁଘାଟି, ବାଗଡ଼ଙ୍ଗର ଏବଂ କଣାସୁକଲି ଗ୍ରାମର କଣାସୁକଲିଠାରୁ ନାରଙ୍ଗିଝୁଲା ରାସ୍ତା, ଭୁଲିଆଗଛଠାରୁ ବଡ଼ଝାକର ରାସ୍ତାରେ ଅଳ୍ପ କିଛିକାମ କରାଯାଇଛି। ଏହି ରାସ୍ତା କାମରେ ଚଞ୍ଚକତା କରି ଗାଁରେ ରହୁନଥିବା ଓ ମୃତ ବ୍ୟକ୍ତିମାନଙ୍କ ଜବ୍‌କାର୍ଡ଼ ଓ ପାସ୍‌ବୁକ୍‌ ହାତେଇ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ସଙ୍ଗିନ ଅଭିଯୋଗ ହୋଇଥିଲା। ସରଦାଫାସ ଗ୍ରାମବାସୀ ଥୁଆମୂଳ ରାମପୁର ବିଡିଓଙ୍କୁ ଏ ଦୁର୍ନୀତିର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ବିଡିଓ ଶୁଭକାନ୍ତ ନାଏକ ବ୍ଲକ୍‌ର ସହକାରୀ ଯନ୍ତ୍ରୀ, ଏପିଓ ଓ ଜିପିଟିଏଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଗତ ୨୭ ତାରିଖରେ ଘଟଣାସ୍ଥଳକୁ ପଠାଇଥିଲେ। ସେତେବେଳେ ୨୦ଜଣ ଶ୍ରମିକ ତିନି ସପ୍ତାହ ଧରି କାର୍ଯ୍ୟ କରିଥିଲେ। ଜିଆର୍‌ଏସ୍‌ ଏହାକୁ ତିନୋଟି ପର୍ଯ୍ୟାୟରେ କାମ ହୋଇଥିବା ଦର୍ଶାଇଥିଲେ। ଏହି କାର୍ଯ୍ୟରେ ୫ଲକ୍ଷ ୮୭ ହଜାର ୩୮୨ ଟଙ୍କା ୪୦ ପଇସା ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କଣାସୁକୁଲି ଗ୍ରାମର ୨୨ଜଣ ଶ୍ରମିକଙ୍କୁ ମଜୁରି ଦିଆଯାଇଥିବା ବେଳେ ସରଦାଫାସ ଗ୍ରାମର ୮ଜଣ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଛି। ମାଧବ କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ନାମରେ ବିଲ୍‌ ଉଠାଣ ହୋଇଛି। ସେହିଭଳି ବଣ୍ଡା ବାଗ, ମୁସ୍କୁଟା, ମୂଷା ଜାଲ, କେ. ଚେପଟାଘାଟ, ଡି. ଚେପଟାଘାଟ ଗ୍ରାମର ଲୋକମାନଙ୍କ ନାଁରେ ବିଲ୍‌ ଉଠାଣ ହୋଇଥିବା ବେଳେ ସେମାନେ ପ୍ରକୃତରେ କାମ କରି ନଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ବିଡିଓ ଚିଠି ନଂ-୧୩୮୫/୧୭.୬.୨୧ରେ ପିଇଓ ମନୋରଞ୍ଜନ ନାଗ, ଜିପିଟିଏ ପ୍ରଜାନନ୍ଦ ପ୍ରକାଶ ସିଂହ, ଜିଆର୍‌ଏସ୍‌ ଅଦବାରୁ ମାଝୀ, ସରଦାଫାସ ଗାଁର ମେଟ୍‌ ଖଗପତି କୁମ୍ଭାର, କଣାସୁକୁଲି ଗାଁର ମେଟ୍‌ ଜୟ ଗଉଡ଼ ଓ ମାଳିଗାଁ ପଞ୍ଚାୟତର କମ୍ୟୁନିଟି ମୋବିଲାଇଜର୍‌ ତିଲୋତ୍ତମା ଗଉଡ଼ଙ୍କୁ ୫ଲକ୍ଷ ୮୭ ହଜାର ୩୮୨ ଟଙ୍କା ୪୦ ପଇସା ସରକାରୀ ଜମାଖାତାକୁ ଫେରସ୍ତ ପାଇଁ ଗୁରୁବାର କଡ଼ା ନିର୍ଦେଶ ଦେଇଛନ୍ତି। ଏହିଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍‌ରେଗା ଦୁର୍ନୀତିର ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe