ଧାନ ଦେବାର ଦେଢ଼ ମାସ ପରେ ମିଲର୍ସଙ୍କ ଧମକ; କୁଇଣ୍ଟାଲ ପିଛା ୧୩ଶହରୁ ୧୩୫୦ ଟଙ୍କା ନିଅ, ନଚେତ ଫେରାଇ ନିଅ

Advertisment
ଧାନ ଦେବାର ଦେଢ଼ ମାସ ପରେ ମିଲର୍ସଙ୍କ ଧମକ; କୁଇଣ୍ଟାଲ ପିଛା ୧୩ଶହରୁ ୧୩୫୦ ଟଙ୍କା ନିଅ, ନଚେତ ଫେରାଇ ନିଅ

Sambad

ଜୟପୁର: ଧାନ ଦେବାର ଦେଢ଼ ମାସ ପରେ ଚାଷୀଙ୍କୁ ମିଲରଙ୍କ ଧମକ ତୁମର ଧାନ ଆଉ ସରକାର ନେବେ ନି। ତୁମେ ଟୋକନ୍ ପାଇଥିଲେ କଣ ହେବ। ଟାର୍ଗେଟ ସରିଲାଣି, ମଣ୍ଡି ବି ବନ୍ଦ ହେଲାଣି। ଆମେ ନେଲେ କୁଇଣ୍ଟାଲ ପିଛା ୧୧କିଲୋ ଅଧିକା ଧାନ ଦେବାକୁ ପଡ଼ିବ। କୁଇଣ୍ଟାଲ ପିଛା ୧୩୦୦ରୁ ୧୩୫୦ଟଙ୍କା ହିସାବରେ ଟଙ୍କା ନିଅ ନଚେତ ତୁମ ଧାନ ତୁମେ ଫେରାଇ ନିଅ। ଏପରି ଚେତାବନୀ ଓ ଅଭାବି ବିକ୍ରୀର ଶୀକାର ହୋଇଛନ୍ତି କୁନ୍ଦ୍ରା ବ୍ଲକର ବାଣୁଆଗୁଡା ପଂଚାୟତର ଦିଶାରୀଗୁଡା, ବୁଟୁଗୁଡା ଗାଁର ଛୋଟ ଏବଂ ନାମକୁ ମାତ୍ର ଚାଷୀ। ଏହି ଚାଷୀ ମାନେ ଆଜି ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବାକୁ ଆସିଥିଲେ। ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଅନୁପସ୍ଥିତ ଥିବାରୁ ଏମାନେ ଭେଟି ନ ପାରି ନିରାଶ ହୋଇ ଫେରିଯାଇଥିଲେ।

ମଳିଥିବା ସୂଚନା ମୁତାବକ, କୁନ୍ଦ୍ରା ବ୍ଲକର ଦିଶାରୀଗୁଡା ନିକଟସ୍ଥ ବୁଟୁଗୁଡା ଗାଁର କେଶବ ହରିଜନ ୬୦କୁଇଣ୍ଟାଲ, ରାମ ଚନ୍ଦ୍ର ଦାଶ ୮୫କୁଇଣ୍ଟାଲ, ବିପନବିହାରୀ ଦାଶ ୬୫କୁଇଣ୍ଟାଲ, ବୃନ୍ଦାବତୀ ହରିଜନ ୯୬ କୁଇଣ୍ଟାଲ ଏଭଳି ୬୫୦ କୁଇଣ୍ଟାଲ ଧାନ ଛୋଟ ଚାଷୀ ମାନେ ଜିଲ୍ଲା ପ୍ରଶାସନର ନିର୍ଦେଶମୁତାବକ ୧୫ତାରିଖ ସୁଦ୍ଧା ତାରାପୁଟ ମଣ୍ଡିରେ ଜମା କରି ରଖିଥିଲେ। ୧୫ଦିନ କାଳ ଧାନ ମଣ୍ଡିରେ ପକାଇ ରଖିବା ପରେ ସରକାର ଧାନ କିଣିବା ପାଇଁ ଟାର୍ଗେଟ ଦେଇଥିଲେ।

publive-image Sambad

ଟାର୍ଗେଟ ଆସିବା ପରେ କ୍ରୟକାରୀ ସଂସ୍ଥା ଲ୍ୟାମ୍ପ ଚାଷୀ ମାନେ ନିଜର ବ୍ୟବସ୍ଥାରେ ଧାନକୁ ମଣ୍ଡିରୁ ପରିବହନ କରି ମିଲରେ ପହଚାଂଇବାକୁ କହିଥିଲେ। କମ୍ କୁଇଣ୍ଟାଲ ଧାନ ରହିଥିବାରୁ ଚାଷୀ ମାନଙ୍କୁ ଗାଡ଼ି ମିଳିବା କଷ୍ଠ ହୋଇଥିଲା। ବହୁ ଚେଷ୍ଟା କରିବା ପରେ ୩ରୁ ୪ଟି ଚାଷୀ ମିଶି ଗାଡ଼ି ଭଡ଼ା କରି ଓଜନ ଯନ୍ତ୍ରରେ ଓଜନ କରାଇ ମିଲରେ ଧାନ ପହଚାଂଇଥିଲେ। ଧାନ ପହଚାଂଇବା ପରେ ମିଲର ଧାନ ଭଲ ନଥିବା ଅଭିଯୋଗ କରି କଟନି ଛଟନି ନାଁରେ ୧୧କିଲୋ ଧାନ କାଟିବା ସହ କେତେ ଧାନ ଚାଷୀ ଦେଇଛନ୍ତି ତାହାର ଚିଠ୍ ଦେଇଥିଲେ। ଏହା ପରେ ଚାଷୀ ମାନେ ଚିଠ୍ ପଇସା ରହିଥିବାରୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ସରକାରୀ ଧାର୍ଯ୍ୟ ଦର ଟଙ୍କା ଜମା ହେବ ବୋଲି ଭାବି ନେଇଥିଲେ।

ତେବେ ସପ୍ତାହ କି ଦୁଇ ସପ୍ତାହ ନୁହେଁ ଦେଢ଼ ମାସ ହେବ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇ ନଥିଲା। ଚାଷୀ ମାନେ ମିଲରଙ୍କ ନିକଟକୁ ବାରମ୍ବାର ଯାଇ ପଚାରିବାରେ ଟଙ୍କା ଜମା ହେବ ବୋଲି କହି ଶେଷକୁ ଲ୍ୟାମ୍ପର ଟାର୍ଗେଟ ସରିଯାଇଛି। ତେଣୁ ମିଲର ସରକାରୀ ଭାବେ ଆଉ ଧାନ ରଖି ପାରିବେ ନି ବୋଲି କହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ମିଲରଙ୍କ ଉପରୋକ୍ତ ପ୍ରସ୍ତାବ ମୁତାବକ ଧାନ ବିକ୍ରୀ କରିଲେ ମିଲରେ ଧାନ ରଖ ନଚେତ ଧାନ ନେଇ ଯାଅ ବୋଲି କହିଥିବା ଚାଷୀ ମାନେ କହିଛନ୍ତି। ଏହି ପରିସ୍ଥିତିରେ ଚାଷୀ ମାନେ ଅଭାବିବିକ୍ରୀର ଶୀକାର ହେବା ସହ କଣ କରିବେ କଣ ନାହିଁ କିଛି ଚିନ୍ତା କରି ନ ପାରି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ଯାଇଛନ୍ତି। କୁନ୍ଦ୍ରା ଲ୍ୟାମ୍ପ ପରିଚାଳକଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବାରୁ ତାଙ୍କ ମତ ଏଠାରେ ଦିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe