ବେଧଡ଼କ ଖଣିଜ ଚୋରା ଚାଲାଣ : ଜଙ୍ଗଲରୁ ମିଳିଲା ୧୦ଲକ୍ଷ ଟଙ୍କାର ମାଙ୍ଗାନିଜ

Advertisment
ବେଧଡ଼କ ଖଣିଜ ଚୋରା ଚାଲାଣ : ଜଙ୍ଗଲରୁ ମିଳିଲା ୧୦ଲକ୍ଷ ଟଙ୍କାର ମାଙ୍ଗାନିଜ

କେନ୍ଦୁଝର/ବଡ଼ବିଲ : ଜଂଗଲରେ ଗଦା ହୋଇଛି ଲକ୍ଷଲକ୍ଷ ଟଙ୍କାର ମାଙ୍ଗନିଜ। କିଛି ପଲିଥିନ୍ ଅଖାରେ ଭର୍ତ୍ତି ହୋଇଛି ତ ଆଉ କିଛି ଖୋଲାମେଲାରେ ପଡ଼ିଛି। ଏହା ସୂଚାଇ ଦେଉଛି ଯେ କେନ୍ଦୁଝର ଜିଲ୍ଲାରେ ବେଧଡ଼କ ଭାବେ ଚାଲିଛି ଖଣିଜ ଚୋରା ଚାଲାଣ। ମାଫିଆ ଗଳା ବାଟରେ ଲୁଟି ନେଇ ଜଂଗଲରେ ଗଦା କରୁଛନ୍ତି। ଖଣି ବିଭାଗର ଏହା ଉପରେ ନଜର ନଥିବା ବେଳେ ବନବିଭାଗ ଜବତ କରୁଛି। କେନ୍ଦୁଝର ଜିଲ୍ଲାର ବଡବିଲ ରେଞ୍ଜ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଆଜି ପ୍ରାୟ ୧୦ଲକ୍ଷ ଟଙ୍କାର ମାଙ୍ଗାନିଜ ଉଦ୍ଧାର ହେବା ଘଟଣା ଅନେକ ପ୍ରଶ୍ନ ଠିଆ କରିଛି ।

ଠାକୁରାଣୀ ଜଙ୍ଗଲରେ ଚୋରା ମାଙ୍ଗାନିଜ୍ ଗଚ୍ଛିତ ଥିବା ସଂପର୍କରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। କେନ୍ଦୁଝର ଡିଏଫଓ ସ୍ୱୟମ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବଡବିଲ ରେଞ୍ଜର ସୁରଜିତ୍ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଠାକୁରାଣୀ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ଖାନତଲାସ କରିଥିଲେ । ସକାଳୁ ଜଙ୍ଗଲ ମଧ୍ୟରେ ତଲାସି ଚାଲିଥିବା ବେଳେ ଦିନ ପ୍ରାୟ ୨ଟା ସମୟରେ ସଂରକ୍ଷିତ ଜଙ୍ଗଲର ବନେଇକଳା ବସ୍ତି ନିକଟରେ ବହୁ ପରିମାଣର ମାଙ୍ଗାନିଜ ଗଚ୍ଛିତ ଥିବା ବନ କର୍ମଚାରୀମାନେ ଠାବ କରିଥିଲେ। ମାଫିଆମାନେ ମାଙ୍ଗାନିଜ ପଥରକୁ ପଲିଥିନ୍ ବ୍ୟାଗରେ ଭର୍ତ୍ତି କରି ରଖିଥିବା ବେଳେ ଆଉ କିଛି ଖୋଲାରେ ପଡ଼ିଥିଲା। ଜବତ ମାଙ୍ଗାନିଜର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଜିର ଏହି ଚଢଉରେ ବଡବିଲ ରେଞ୍ଜର ସୁରଜିତ୍ କୁମାର ସାହୁ, ଗୁଆଲି ଫରେଷ୍ଟର ସନ୍ତୋଷ କୁମାର ପହି, ଫରେଷ୍ଟର ପୁଷ୍ପାଞ୍ଜଳି ଦାସ, ବିଲେଇପଦା ଫରେଷ୍ଟର ପ୍ରଦୀପ ବେହେରା, ବଡବିଲ ଫରେଷ୍ଟର ଦାଶରଥୀ ଗିରି, ଫରେଷ୍ଟ ଗାର୍ଡ ରତ୍ନାକର ମହାନ୍ତ, ଦୋଳଗୋବିନ୍ଦ ଦେଓ ଏବଂ ଅନ୍ୟ ସ୍କ୍ବାଡ୍ କର୍ମଚାରୀ ସାମିଲ ଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳରୁ ନିୟମିତ ଭାବେ ଖଣିଜ ପଦାର୍ଥ ଚୋରା ଚାଲାଣ ହେଉଛି। ଝାଡଖଣ୍ଡ ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ମାଫିଆଙ୍କୁ ଏହା ସୁହାଉଛି। ବିଭିନ୍ନ ଖଣିରୁ ମାଙ୍ଗାନିଜ ଚୋରି କରି ଜଂଗଲ ମଧ୍ୟରେ ଗଚ୍ଛିତ ରଖିବା ପରେ ସୁବିଧା ଦେଖି ଏହାକୁ ଚାଲାଣ କରାଯାଉଛି। ବନ୍ଦ ଖଣିଗୁଡ଼ିକ ମୁଖ୍ୟତଃ ମାଫିଆଙ୍କ ଟାର୍ଗେଟରେ ରହିଛି। କିଛି ଅସାଧୁ ଖଣି କର୍ମଚାରୀ, ପୁଲିସ ଏବଂ ବନ କର୍ମଚାରୀଙ୍କ ମେଣ୍ଟ ଏହି କାରବାରକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଏଥିସହ ଖଣିଜ ପରିବହନ ପାଇଁ ଟ୍ରକ୍‌ରେ ଜିପିଏସ୍ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ କିଛି ଟ୍ରକ୍‌ରୁ ମାଲ୍ ବାଟରୁ ଗାଏବ କରି ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ଏହା ପୂର୍ବରୁ ମଧ୍ୟ ନିକଟରେ ଯୋଡ଼ା ଅଞ୍ଚଳରୁ ଚୋରା ଖଣିଜ ପଦାର୍ଥ ଜବତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe