ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଚିତ୍ର: ୧୩୪ଟି ଖଣି ଠପ୍‌, ୯ଗୋଟି ଖିଲାପି

ଏନ୍‌ଜିଟି, କୋର୍ଟ ମାମଲାରେ ଫସିଛି ବହୁ ଖଣି: କାଗଜପତ୍ରରେ ଖଣି ବନ୍ଦ, ଭିତିରିଆ ଚାଲିଛି ଲୁଟ୍‌ପାଟ୍‌

ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଚିତ୍ର: ୧୩୪ଟି ଖଣି ଠପ୍‌, ୯ଗୋଟି ଖିଲାପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଖଣି ଖାଦାନ ଧିମା। ଜିଲ୍ଲାର ମୋଟ୍ ୧୬୨ଟି ପଥର ଖାଦାନ ମଧ୍ୟରୁ ୧୩୪ଟି ଖଣିରେ ଖଣି ଖନନ ହୋଇଛି ଠପ୍‌। ତା’ ମଧ୍ୟରେ ୯ଜଣ ଖଣି ମାଲିକ ରୟାଲିଟିରେ ଖିଲାପି ଥିବା ବେଳେ ଏନ୍‌ଜିଟି, ପରିବେଶ ମଞ୍ଜୁରୀ ଏବଂ ହାଇକୋର୍ଟ ଭଳି ନ୍ୟାୟିକ ଫନ୍ଦିରେ ବହୁ ଖଣି ଫସିଛି। ଜିଲ୍ଲାର ୮୨ପ୍ରତିଶତ ଖଣି ଏମିତି ବିଭିନ୍ନ କାରଣ ପାଇଁ ଖନନ ହୋଇପାରୁନାହିଁ ବୋଲି ଖଣି ବିଭାଗର ରିପୋର୍ଟ ଯଦିଓ ସ୍ପଷ୍ଟ କରୁଛି, କିନ୍ତୁ ବାସ୍ତବତା ପୂରା ଭିନ୍ନ। ସରକାରୀ ରେକର୍ଡରେ ଜିଲ୍ଲାର ଏତେ ସଂଖ୍ୟକ ଖଣି ସିନା ବନ୍ଦ ପଡ଼ିଛି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ସରକାରଙ୍କୁ ଫାଙ୍କି ବେଆଇନ୍‌ ଖଣି ଖାଦାନ ସବୁ ଲୁଟ୍‌ପାଟ୍ ଚାଲିଛି। ସୂଚନା ମୁତାବକ, ପୂର୍ବରୁ ଲଘୁ ଖଣିଜ ସମ୍ପଦ ରାଜସ୍ବ ବିଭାଗ ଅଧୀନରେ ଥିଲା। କିନ୍ତୁ, ସରକାରଙ୍କ ନୂଆ ନିଷ୍ପତ୍ତି ମୁତାବକ ଲାଟେରାଇଟ୍, କଳା ପଥର ଏବଂ ମୋରମ ଭଳି ଖଣି ଖାଦାନ ରାଜ୍ୟ ଖଣି ବିଭାଗ ଅଧୀନକୁ ଆସିଛି। ଖଣି ବିଭାଗ ତଥ୍ୟ ମୁତାବକ, ଖୋର୍ଦ୍ଧା ଜିଲ୍ଲାର ୧୦ଟି ତହସିଲ୍ ଅଧୀନରେ ମୋଟ୍ ୧୬୨ଟି ଖଣି ଉତ୍ସ ଠାବ କରାଯାଇଥିଲା। ରାଜସ୍ବ ବିଭାଗ ଏ ଖଣି ସବୁ ଲିଜ୍‌ ଆକାରରେ ଦେଉଥିଲା। ରାଜସ୍ବ ବିଭାଗ ହାତରୁ ଖଣିର କାଗଜପତ୍ର ଖଣି ବିଭାଗ ହାତକୁ ଆସିଲା ବେଳକୁ ବିଭିନ୍ନ ଖଣି ଥିବା ବିଭିନ୍ନ ଖିଲାପି କଥା ପଦାକୁ ଆସିଛି।

ବିଭାଗୀୟ ତଥ୍ୟ ମୁତାବକ, ଜିଲ୍ଲାର ମୋଟ୍ ୧୬୨ଟି ଖଣି ମଧ୍ୟରୁ ମାତ୍ର ୩୭ଟି ଖଣି ହେଉଛି ଅପରେସନାଲ୍। ଯାହାର କାଗଜପତ୍ର ସବୁ ଠିକ୍‌ ଅଛି ଏବଂ ଚାଲିବାକୁ ଯୋଗ୍ୟ। ଏମିତିକି, ଏହି ଖଣି ସବୁ ନିଲାମ ଦିଆସରିଛି। ନିଲାମ ନେଲା ପରେ ବି ୯ଗୋଟି ଖଣି ରୟାଲିଟିରେ ଖିଲାପି ଅଛନ୍ତି। ମୁଣ୍ଡ ପିଛା ପ୍ରାୟ କୋଟିଏ ଟଙ୍କାର ଖିଲାପି ରହିଥିବାରୁ ବିଭାଗ ସେମାନଙ୍କର ଇ-ପାସ୍‌ ଇସ୍ୟୁ କରିନାହିଁ। ମୋଟ୍ ଉପରେ କହିବାକୁ ଗଲେ, ୩୭ଗୋଟି ଅପରେସନାଲ୍ ଖଣି ମଧ୍ୟରୁ ସରକାରୀ ହିସାବରେ ଚାଲିଛି ମାତ୍ର ୨୮ଗୋଟି ଖଣି। ଅବଶିଷ୍ଟ ୧୩୪ଟି ଖଣି ଖାଦାନ ମଧ୍ୟରୁ ୧୦୮ଗୋଟି ଖଣି ହେଉଛି ନନ୍‌-ଅପରେସନାଲ୍। ଖଣି ଖନନ ପାଇଁ ଏ ଉତ୍ସ ଗୁଡ଼ିକ ଯଦିଓ ଯୋଗ୍ୟ, କିନ୍ତୁ କାହାରିକୁ ଲିଜ୍‌ ଦିଆଯାଇନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏ ଖଣିଗୁଡ଼ିକ କାହାରିକୁ ଦିଆଯାଇନାହିଁ କି ଏହା ବାବଦକୁ ସରକାର ଟଙ୍କାଟିଏ ବି ରୟାଲିଟି ପାଉ ନାହାନ୍ତି। କିନ୍ତୁ, ବାସ୍ତବତା ହେଉଛି ପୂରା ଭିନ୍ନ। ସରକାରୀ ଖାତାରେ ବନ୍ଦ ଥିବା ଖଣି ସବୁ ବେଆଇନ ଭାବେ ଲୁଟ୍‌ପାଟ୍‌ ଚାଲିଛି।

ଖୋର୍ଦ୍ଧା ସଦର ଥାନାଠାରୁ ଆରମ୍ଭ କରି ଟାଙ୍ଗୀ, ବୋଲଗଡ଼ ଯାଏ, ଦୈନନ୍ଦିନ ବିଭିନ୍ନ ଥାନା ପୁଲିସ ଚଢ଼ଉ କରି ଗଣ୍ଡା ଗଣ୍ଡା ଟ୍ରକ୍‌, ଟ୍ରାକ୍ଟର ଏବଂ ହାଇୱା ଗାଡି ସବୁ ଜବତ ହେବା ଘଟଣା ଏହା ବୟାନ କରୁଛି। ଏ ପ୍ରକାର ବେଆଇନ୍‌ ଖଣି ଖନନ ଜିଲ୍ଲାର ପରିବେଶ ପ୍ରତି କେବଳ ବିପଦ ସୃଷ୍ଟି କରୁନାହିଁ, ବରଂ ସରକାରଙ୍କ ରାଜକୋଷକୁ ଲୁଟ୍‌ପାଟ୍‌ କରାଯାଉଛି। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଖଣି ବିଭାଗର ଡେପୁଟି ଡାଇରେକ୍ଟର ଦିଲ୍ଲୀପ ସାହୁ କହିଛନ୍ତି, ଖଣି ବିଭାଗକୁ ଲଘୁ ଖଣିଜ ସମ୍ପଦ ଆସିଲା ପରେ ଆମେ ତହସିଲ୍‌ରୁ ଧୀରେ ଧୀରେ ଖଣିର ରେକର୍ଡ ନିଜ କବ୍‌ଜାକୁ ଆଣୁଛୁ। ଜିଲ୍ଲାର ଖଣି ଖାଦାନ ଉପରେ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe