ପାରାଦୀପ ବନ୍ଦର ପ୍ଲଟ୍‌ରୁ ଚାଲିଛି ବେଧଡ଼କ କୋଇଲା ଚୋରି , ଗୁଣ୍ଡ ବଦଳରେ କଠିନ କୋଇଲା ଉଠାଇ ୧୮ ଟ୍ରକ୍ ଅଟକ

Advertisment
ପାରାଦୀପ ବନ୍ଦର ପ୍ଲଟ୍‌ରୁ ଚାଲିଛି ବେଧଡ଼କ କୋଇଲା ଚୋରି , ଗୁଣ୍ଡ ବଦଳରେ କଠିନ କୋଇଲା ଉଠାଇ ୧୮ ଟ୍ରକ୍ ଅଟକ

Sambad

ଜଗତସିଂହପୁର: ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ବେ ଚୋରିକୁ ରୋକିବା ସମ୍ଭବ ହେଉ ନାହିଁ। ବିଶେଷ କରି ରାତିରେ ଦଲାଲମାନଙ୍କ ରାଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଲାଲମାନେ ମୋଟା ଅଙ୍କର ଟଙ୍କା କାରବାର କରି ବନ୍ଦରରେ ଥିବା ବିଭିନ୍ନ ପ୍ଲଟରୁ ମାଲ୍ ଚୋରି କରୁଥିବା ବାରମ୍ବାର ଅଭିଯୋଗ ହୁଏ। ଗତ ୫ ତାରିଖ ବିଳମ୍ବିତ ରାତିରେ ବେଆଇନ ଭାବେ ଗୁଣ୍ଡ ବଦଳରେ କଠିନ କୋଇଲା ନେଉଥିବା ୧୮ଟି ଗାଡ଼ିକୁ ବନ୍ଦର ଟ୍ରାଫିକ୍ ବିଭାଗ ଜବତ ‌କରିବା ପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଛି।

ପାରାଦୀପ ବନ୍ଦରରେ ଏକାଧିକ ରପ୍ତାନୀ ଓ ଆମଦାନି କମ୍ପାନିର ଜାଗା (ପ୍ଲଟ) ସଂରକ୍ଷିତ ରହିଛି। ଜାହାଜରୁ ଏଠାକୁ ମାଲ୍ ଆସିବା ପରେ ବହୁ ପ୍ରକ୍ରିୟା ଶେଷ ହେବା ପରେ ଏଠାରୁ ମାଲ୍ ବାହାରକୁ ଯାଏ। ଏମିତି ପ୍ରକ୍ରିୟାରେ ପ୍ରତ୍ୟେକ ଦିନ ଶତାଧିକ ଟ୍ରକ୍, ହାଇୱା ଓ ଅନ୍ୟାନ୍ୟ ପରିବହନ ଗାଡ଼ି ଦ୍ବାରା ଉକ୍ତ ସଂରକ୍ଷିତ ଜାଗାରୁ ମାଲ୍ ଯାଏ। ତେବେ ସେହି ପ୍ଲଟ୍ ଗୁଡ଼ିକରେ କେଉଁଠି ଦାମୀ ଓ କମ୍ ଦର ଭଳି ମାଲ୍ ରହିଛି। ଚୁକ୍ତି ମୁତାବକ ପରିବହନ କମ୍ପାନି ଗୁଡ଼ିକ ଦ୍ବାରା ମାଲ୍ ଏଠାରୁ ନିଅନ୍ତି। ସାଧାରଣତଃ ଗୁଣ୍ଡ କୋଇଲା ଦର କମ୍। କଠିନ କୋଇଲା ଦର ଅଧିକ। ଗତ ୫ ତାରିଖ ବିଳମ୍ବିତ ରାତିରେ ଗୁଣ୍ଡ କୋଇଲା ନେବା ପାଇଁ ଏକ ପରିବହନ ସଂସ୍ଥା ପାରାଦୀପରେ ଥିବା ସଂଘରୁ ଟ୍ରକ୍ ଆଣିଥିଲା।

ମାତ୍ର ବେଆଇନ ଭାବେ ୧୮ଟି ଟ୍ରକ୍ ଗୁଣ୍ଡ ବଦଳରେ କଠିନ କୋଇଲା ଲୋଡ୍ କରିଥିଲେ। ଏ ନେଇ ଖବର ମିଳିବା ପରେ ବନ୍ଦର ଟ୍ରାଫିକ୍ ବିଭାଗ ଏହି ଟ୍ରକ୍ ଗୁଡ଼ିକୁ ଅଟକ ରଖିଥିଲା। ମାଲ୍ ବୋଝେଇ ହୋଇ ତିନି ଦିନ ହେଲା ଏହି ଟ୍ରକ୍ ଗୁଡ଼ିକ ଛିଡ଼ା ହୋଇ ରହିଛି। ମାତ୍ର ଅଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଏ ନେଇ କେହି ବି ଯୋଗାଯୋଗ କରୁ ନାହାନ୍ତି। ପରିବହନ ସଂସ୍ଥା ଏହି ଟ୍ରକ୍ ଗୁଡ଼ିକୁ ମାଲ୍ ପରିବହନ ପାଇଁ ଆଣିଥିବାରୁ ମାଲିକମାନଙ୍କର ଏଥିରେ କୌଣସି ସମ୍ପୃକ୍ତି ନଥାଏ। ତେଣୁ ସେମାନେ ଚୁପ୍ ରହିଛନ୍ତି।

ମାତ୍ର ଏପର୍ଯ୍ୟନ୍ତ ପରିବହନ ସଂସ୍ଥା ହେଉ ଅବା ଯେଉଁ ପ୍ଲଟରୁ ଏହି ମାଲ୍ ବେଆଇନ ଭାବେ ଉଠାଯାଇଛି, ଉକ୍ତ କମ୍ପାନି ମଧ୍ୟ ଅଭିଯୋଗ କରୁ ନାହାନ୍ତି। ଫଳରେ ଏହି ଚୋରା କାରବାରକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ବନ୍ଦର ଟ୍ରାଫିକ୍ ବିଭାଗର ଉପମହାପ୍ରବନ୍ଧକ ଶ୍ରୀମନ ନାରାୟଣ ମିଶ୍ର କୁହନ୍ତି ଯେ, ଗତ ୫ ତାରିଖ ବିଳମ୍ବିତ ରାତିରେ ସିଆଇଏସଏଫ୍ ଗୁଇନ୍ଦା ବିଭାଗ ବେଆଇନ ଭାବେ ଏହି ମାଲ୍ ଉଠାଯାଇଥିବା ନେଇ ଜଣାଇଥିଲେ। ଏଣୁ ତୁରନ୍ତ ମାଲ୍ ଉଠାଇଥିବା ୧୮ଟି ଟ୍ରକକୁ ଅଟକ ରଖଯାଇଛି। ବର୍ତ୍ତମାନ ସୁଦ୍ଧା ଏହି କାରବାର ସହ ସମ୍ପୃକ୍ତ କୌଣସି ବି ସଂସ୍ଥା ଯୋଗାଯୋଗ କରି ନାହାନ୍ତି। ଏଣୁ ବାଧ୍ୟ ହୋଇ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବା ସହ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe