ନାବାଳିକାଙ୍କୁ ଅପହରଣ ଓ ନିର୍ଯାତନା; ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଅଭିଯୁକ୍ତଙ୍କୁ ପୁଲିସର ସହାୟତା ଅଭିଯୋଗ

ନାବାଳିକାଙ୍କୁ ଅପହରଣ ଓ ନିର୍ଯାତନା; ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜଣେ ନାବାଳିକାଙ୍କୁ ଅପହରଣ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇ ଧମକଚମକ ଦେବା ସହ ଏକ କୋଠରୀ ମଧ୍ୟରେ ରଖି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଏନେଇ ଗତ ଅକ୍ଟୋବର ୨୪ ତାରିଖରେ ନାବାଳିକାଙ୍କ ବାପା ବୋଡ଼େନ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟା ଅଭିଯୁକ୍ତଙ୍କୁ ସହାୟତା କରୁଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ମଙ୍ଗଳବାର ନାବାଳିକାଙ୍କ ସହ ପରିବାର ଲୋକେ ନୂଆପଡ଼ା ଆସି ଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ଏହି ଅଭିଯୋଗ ପତ୍ର ଦେଇଛନ୍ତି।

ଅଭିଯୋଗ ଅନୁସାରେ ଗତ ୨୩ ଅକ୍ଟୋବରରେ ଭବାନୀ ଦୀପ, ଅମିତ ତାଣ୍ଡି ଓ ସୁନିଲ ତାଣ୍ଡି ନାମକ ୩ ଜଣ ଯୁବକ ନାବାଳିକାଙ୍କୁ ବାଇକରେ ବସାଇ ଖଡ଼ିଆଳ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ଗୋଟିଏ କୋଠରୀ ମଧ୍ୟରେ ରଖି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ପରିବାର ଲୋକ କୌଣସି ସୂତ୍ରରୁ ଖବର ପାଇ ସେଠାରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୀଡ଼ିତାଙ୍କ ବାପା ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୁଲିସ ନାବାଳିକାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ନ୍ୟାୟ ଦେବା ବଦଳରେ ପୁଲିସ ଅଭିଯୁକ୍ତଙ୍କୁ ସହାୟତା କରି ନାବାଳିକାଙ୍କୁ ବୟାନ ବଦଳାଇବାକୁ ଚାପ ପକାଇଥିଲା। ଏକ ଫର୍ମରେ ଦସ୍ତଖତ କରାଇଥିଲା। ପରେ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଛଡ଼ାଯାଇଥିଲା।

ବର୍ତ୍ତମାନ ଏହି ଅଭିଯୁକ୍ତମାନେ ନାବାଳିକାଙ୍କ ବାପା ଓ ମା’ଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି। ଜିଲ୍ଲାପାଳ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ନାବାଳିକା ଦାବି କରିଛନ୍ତି।
ଏନେଇ ବୋଡ଼େନ ଥାନା ଅଧିକାରୀ ଶୁଭଙ୍କର ସେଠ୍ କହିଛନ୍ତି, ନାବାଳିକାଙ୍କୁ ପୁଲିସ ପଚରାଉଚରା କରିଥିଲା। ସେହି ସମୟରେ ସେ କୌଣସି କଥା କହି ନଥିଲେ। ପୁଲିସକୁ ଅଯଥାରେ ବଦନାମ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe