ବୀରମିତ୍ରପୁର ପୀଡିତା ନିଖୋଜ ଘଟଣା: ୨୬ ଘଣ୍ଟା ପରେ ଉଦ୍ଧାର

Advertisment

ଗତ ଜୁଲାଇ ମାସରୁ ଏସ୍‌ଓଏସ୍‌ ଭିଲେଜରେ ରହୁଥିଲେ

ଗତ ଜୁଲାଇ ମାସରୁ ଏସ୍‌ଓଏସ୍‌ ଭିଲେଜରେ ରହୁଥିଲେ

ବୀରମିତ୍ରପୁର ପୀଡିତା ନିଖୋଜ ଘଟଣା: ୨୬ ଘଣ୍ଟା ପରେ ଉଦ୍ଧାର

ରାଉରକେଲା: ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଦୁଷ୍କର୍ମ ଘଟଣାର ନାବାଳିକା ପୀଡିତା ଗତକାଲି ରାତିରେ ନିଖୋଜ ହୋଇ ପ୍ରାୟ ୨୬ ଘଣ୍ଟା ପରେ ଆଜି ରାତିରେ ଉଦ୍ଧାର ହୋଇଛନ୍ତି। ବୀରମିତ୍ରପୁର ନିକଟସ୍ଥ ଏକ ଗାଁରେ ଲୋକେ ତାଙ୍କୁ ବୁଲୁଥିବାର ଦେଖି ଅଟକ ଖବର ଦେଇଥିଲେ। ଏ ଖବର ଲେଖା ହେବାବେଳକୁ ରାଉରକେଲା ଓ ବୀରମିତ୍ରପୁର ପୁଲିସ ଏବଂ ସେ ରହୁଥିବା ଛେଣ୍ଡ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ତାଙ୍କୁ ଆଣିବାକୁ ଯାଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ପକ୍ଷରୁ ନାବାଳିକା ପୀଡିତାଙ୍କୁ ଗତ ଜୁଲାଇ ୨୦ରେ ଚାଇଲ୍‌ଡ ଲାଇନ୍‌ ‘ଦିଶା’ରୁ ଅଣାଯାଇ ରାଉରକେଲା ଛେଣ୍ଡ ସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ରଖାଯାଇଥିଲା। ଗତକାଲି ରାତିରେ ସେ ସେଠାରୁ ନିଖୋଜ ହୋଇ ଯାଇଥିଲେ। ତା’ପରେ ଏସ୍‌ଓଏସ୍‌ ଭିଲେଜ ପକ୍ଷରୁ ପୀଡିତାଙ୍କୁ ଖୋଜାଖୋଜି କରାଯାଇଥିଲା। ପତ୍ତା ନ ମିଳିବାରୁ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସିଡବ୍ଲ୍ୟୁସିଙ୍କୁ ଜଣାଇଥିଲେ। ଆଜି ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏସ୍‌ଓଏସ୍‌ ଭିଲେଜରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା।

ତେବେ ଆଜି ବିଳମ୍ବିତ ସନ୍ଧ୍ୟାରେ ବୀରମିତ୍ରପୁର ଅଞ୍ଚଳର ଝୁରୁମୁର ଗାଁରେ ତାଙ୍କୁ ବୁଲୁଥିବାର ଗାଁଲୋକେ ଚିହ୍ନି ପାରିଥିଲେ। ସେମାନେ ନାବାଳିକାଙ୍କୁ ଅଟକାଇ ତାଙ୍କ ମାଆଙ୍କୁ ଖବର ଦେଇଥିଲେ। ମାଆ ସେ ଖବର ଛେଣ୍ଡ ଏସ୍‌ଓଏସ୍‌ ଭିଲେଜକୁ ଜଣା ଦେଇଥିଲେ ଓ ଛେଣ୍ଡ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତେ ଯଦିଓ ଆଶ୍ବସ୍ଥ ହୋଇଛନ୍ତି, କିନ୍ତୁ ନାବାଳିକା ଫେରାର ହେବା ଏସ୍‌ଓଏସ୍‌ ଭିଲେଜର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖନୀୟ ଯେ ଏହି ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ଚାକିରିରୁ ବହିଷ୍କୃତ ହେବା ସହିତ ପରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ପୁଣି ‌ନାବାଳିକାଙ୍କର ବେଆଇନ ଗର୍ଭପାତ କରିଥିବା ଅଭିଯୋଗରେ ବୀରମିତ୍ରପୁର ସିଏଚ୍‌ଏସ୍‌ସିର ଜଣେ ଡାକ୍ତର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଏଭଳି ଏକ ସଙ୍ଗୀନ ମାମଲାର ନାବାଳିକା ପୀଡ଼ିତାଙ୍କ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବିଷୟରେ ପ୍ରଶାସନ ଯେତିକି ଗମ୍ଭୀର ହେବାକଥା, ତାହା ହୋଇ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଇଛି। ଏ ଭଳି ମାମଲାରେ ଏତେ ଅବହେଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଏସ୍‌ଓଏସ୍‌ ଭିଲେଜରେ ରହିବା ପରେ ଅଧିକାଂଶ ସମୟରେ ଘରକୁ ଯିବାକୁ ଚାହୁଁଥିଲେ। ବାରମ୍ବାର ଏସ୍‌ଓଏସ୍‌ସ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ (ମା’)ଙ୍କ ପାଖରେ ଜିଦ୍‌ କରୁଥିଲେ। ଗତକାଲି ଅପରାହ୍ନରେ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷଙ୍କୁ ଭେଟି ଘରକୁ ଯିବାକୁ କହିଥିଲେ। କର୍ତ୍ତୃପକ୍ଷ ସିଡବ୍ଲ୍ୟୁଏସ୍‌ର ବିନା ଅନୁମତିରେ ଘରକୁ ଯିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ। ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଏପରି କଥା ଶୁଣିବା ପରେ ପୀଡିତା ରହୁଥିବା ଘରକୁ ଫେରି ଆସିଥିଲେ। କିଛି ସମୟ ପରେ ନୂଆ ଡ୍ରେସ୍‌ ପିନ୍ଧି ଘରୁ ବାହାରି ଏସ୍‌ଓଏସ୍‌ ଭିଲେଜ କ୍ୟାମ୍ପସ ପରିସରରେ ବୁଲାବୁଲି କରିଥିଲେ। ପ୍ରାୟ ଅଧଘଣ୍ଟା ବୁଲାବୁଲି କରିବା ପରେ ଭିଲେଜ କ୍ୟାମ୍ପସ ପରିସରରୁ କୁଆଡେ ନିଖୋଜ ହୋଇଯାଇଥିଲେ। ଏସ୍‌ଓଏସ୍‌ ଭିଲେଜର ମା’ ପୀଡିତାଙ୍କୁ ନ ପାଇ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ଏସ୍‌ଓଏସ୍‌ ଭିଲେଜର ନିର୍ଦ୍ଦେଶକ ତପନ କୁମାର ସୁନାଙ୍କ କହିବାନୁଯାୟୀ, ପୀଡିତାଙ୍କ ନିଜ ମାଆ ପୀଡିତାଙ୍କୁ ଦୁଇଥର ଦେଖା କରିବାକୁ ଆସିଛନ୍ତି। ପୀଡିତା ସବୁବେଳେ ତାଙ୍କ ମାଆଙ୍କ ପାଖକୁ ଯିବାକୁ ଜିଦ୍‌ ଧରୁଥିଲେ। ଏ ସଂକ୍ରାନ୍ତରେ ଏସ୍‌ଓଏସ୍‌ ଭିଲେଜ ପକ୍ଷରୁ ସିଡବ୍ଲ୍ୟୁସିଙ୍କୁ ଅବଗତ କରାଯାଇଥିଲା। ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ପୀଡିତା ମାଆଙ୍କର ଘର ନଥିଲା। ଏହା ସହିତ ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଘରକୁ ଛଡା ଯାଉ ନଥିଲା। ତଥାପି ସେ ଜିଦ୍ କରୁଥିଲେ। ଏହି କାରଣରୁ ସେ ଗତକାଲି ଏସ୍ଓଏସ୍‌ ଭିଲେଜରୁ ପଳାଇ ଯାଇଥିଲେ ବୋଲି ଅନୁମାନ କରାଯାଉଛି। ତେବେ ନାବାଳିକା ତାଙ୍କ ମାଆଙ୍କ ପାଖକୁ ଯାଇ ନଥିବା ନିଜେ ମାଆ କହିଥିଲେ। ତେଣୁ ସେ ଏସ୍‌ଓଏସ୍‌ ଭିଲେଜରୁ ପଳାଇ ଉକ୍ତ ଗାଁକୁ କାହିଁକି ଓ କେମିତି ଯାଇଥିଲେ, ଉକ୍ତ ଗାଁରେ କ’ଣ କରୁଥିଲେ, ଏଯାଏ ରହସ୍ୟମୟ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୧୪ ରାତି ପ୍ରାୟ ୯ଟାରେ ନାବାଳିକା ପୀଡିତା ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରେ ଏକାକୀ ବୁଲୁଥିବା ଦେଖି ତାଙ୍କୁ ସେଠାରୁ ବୀରମିତ୍ର୍ରପୁର ପୁଲିସ ଉଦ୍ଧାର କରିଥିଲା। ପୀଡିତା ଗର୍ଭପାତ ଜଣାପଡିବା ପରେ ବୀରମିତ୍ରପୁର ସିଏଚ୍‌ସିକୁ ଆଣି ଜୋରଜବରଦସ୍ତ ଗର୍ଭପାତ କରାଯାଇଥିଲା। ଦୁଇ ଦିନ ପରେ ଅର୍ଥାତ୍‌ ୧୬ରେ ପୁଲିସ ପୀଡିତାଙ୍କୁ ଚାଇଲ୍‌ଡ ଲାଇନରେ ନେଇ ଛାଡିଦେଇଥିଲେ। ନାବାଳିକାଙ୍କୁ ଥାନା କୋଠାର ଉପର ମହଲାରେ ଥାନା ଅଧିକାରୀ ଦୀର୍ଘ ଦିନଧରି ଦୁଷ୍ମର୍ମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ରାଏବୋଗା ଥାନାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି, ବୀରମିତ୍ରପୁର ସିଏଚ୍‌ସି ଡାକ୍ତର, ସାବତ ବାପ, ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଲିଖିତ ଏତଲା ଦେଇଥିଲେ। ଦୁଷ୍କର୍ମ, ବେଆଇନ ଗର୍ଭପାତ ଓ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ପରେ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଯାଇଥିଲା। ଥାନା ଅଧିକାରୀଙ୍କ ସମେତ ବୀରମିତ୍ରପୁର ସିଏଚ୍‌ଏସ୍‌ସି ଡାକ୍ତର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe