Representational image: The Express Tribune
କେନ୍ଦୁଝର: ମହୁଲି ମଦ ପିଇ ଘରେ ସବୁଦିନ ଝଗଡ଼ା କରୁଥିଲେ ବାପା। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ମଧ୍ୟ ବାପା ମହୁଲି ପିଇ ଘରକୁ ଆସିଥିଲା। ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ପୁଅ ଏକ ଲୁହାରଡ୍ ଓ ଟାଙ୍ଗିଆରେ ପିଟି ପିଟି ବାପାକୁ ହତ୍ୟା କରିଛି। ଏଭଳି ଅଭାବନୀୟ ଏବଂ ବିଶ୍ବାସ ହେଉ ନଥିବା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ବୋଦାପଳସା ଗ୍ରାମର ମୁଣ୍ଡାସାହିରେ। ମୃତକ ଜଣଙ୍କ ହେଲେ ଲଙ୍କେଶ୍ବର ମୁଣ୍ଡ (୫୫)।
ମିଳିଥିବା ସୂଚନା ଅନୁସାରେ, ଲଙ୍କେଶ୍ବରଙ୍କ ପରିବାର କହିଲେ ପତ୍ନୀ, ଦୁଇପୁଅ ଓ ଦୁଇଝିଅ। ଲଙ୍କେଶ୍ବର ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ। ଏଥିରେ ପରିବାର ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଗତକାଲି ସନ୍ଧ୍ୟାରେ ୧୭ ବର୍ଷୀୟ ବଡ଼ପୁଅ ସହ ଲଙ୍କେଶ୍ବରଙ୍କ ଝଗଡ଼ା ହୋଇଥିଲା। ଝଗଡ଼ା ଚରମ ସୀମାରେ ପହଞ୍ଚି ଯାଇଥିଲା। ପରିବାର ଲୋକ ବି ହତବାକ ହୋଇଯାଇଥିଲେ। ଉତ୍ତ୍ୟକ୍ତ ପୁଅ ଏକ ଲୁହାରଡ୍ ଓ ଟାଙ୍ଗିଆରେ ବାପାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଛଡ଼ାଛଡ଼ି କରିଥିଲେ ହେଁ ଝଡ଼ାଇ ପାରି ନଥିଲେ। ବାପାଙ୍କୁ ପିଟିବାରୁ ନିର୍ବୃତ୍ତ ନହେବାରୁ ପରିବାର ଲୋକେ ପୁଅକୁ କାବୁ କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଲିଙ୍ଗେଶ୍ବର ଘରେ ଖାଇପିଇ ଶୋଇଥିଲେ। ଆଜି ସକାଳୁ ଉଠିଲା ବେଳକୁ ଶୋଇବା ଘରେ ଲଙ୍କେଶ୍ବରଙ୍କ ମୃତଦେହ ପଡ଼ିଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ନାବାଳକ ପୁଅଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏ ସଂପର୍କରେ ସଦର ଥାନାଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Follow Us