ଧର୍ମଶାଳା: ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କୁ ଗତକାଲି ପୂର୍ବାହ୍ଣରେ କୁମାରୀ ପଞ୍ଚାୟତର ଦେଉଳି ଗାଁ ଛକରେ ଦୁର୍ବ୍ୟବହାର କରିଥିବା ଜଣେ ଯୁବକଙ୍କୁ ପୁଲିସ୍ ଆଜି ଗିରଫ କରିଛି। ଗିରଫ ଯୁବକ ଦେଉଳି ଗ୍ରାମର ରଞ୍ଜନ କୁମାର ପାଳ। ତାଙ୍କୁ ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଗଡ଼ି ଜେଲ୍କୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୫ଜଣ ଫେରାର୍ ହୋଇ ଯାଇଛନ୍ତି।
ପ୍ରକାଶ ଯେ କୁମାରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ଶ୍ରୀ ବଳବନ୍ତରାୟ ସାଙ୍ଗରେ କେତେକ ସମର୍ଥକକୁ ସାଙ୍ଗରେ ନେଇ ଦେଉଳି ଗାଁକୁ ଯାଇଥିଲେ। ଗାଁ ମୁଣ୍ତରେ କିଛି ଯୁବକ ତାଙ୍କ କାରକୁ ଅଟକାଇ ଆଗକୁ ଯିବାକୁ ଦେଇ ନଥିଲେ। ନିର୍ବାଚନ ଜିତିବାର ଦେଢ଼ବର୍ଷ ପରେ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଅଧ୍ୟକ୍ଷଙ୍କ ସମର୍ଥକ ଓ ଯୁବକଙ୍କ ମଧ୍ୟରେ କଥା କଟାକଟି ଓ ବଚସା ହୋଇଥିଲା। ବାଧ୍ୟହୋଇ ଶ୍ରୀ ବଳବନ୍ତରାୟ ଦେଉଳି ଗାଁରୁ ଫେରି ଯାଇଥିଲେ। ଘଟଣା ସଂପର୍କରେ ଅଧ୍ୟକ୍ଷଙ୍କ ସମର୍ଥକ କୁମାରୀ ଗ୍ରାମର ମନୋଜ ଦାସ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ସେହିପରି ଅଧ୍ୟକ୍ଷଙ୍କୁ ବିରୋଧ କରିଥିବା ଯୁବକମାନେ ମଧ୍ୟ ଅଧ୍ୟକ୍ଷ ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଅଧ୍ୟକ୍ଷଙ୍କ ସମର୍ଥକ ଶ୍ରୀ ଦାସଙ୍କ ଏତଲା ଆଧାରରେ ପୁଲିସ୍ ଏକ କେସ (ନମ୍ବର-୩୯୮/୨୩, ଦଫା-୨୯୪, ୩୦୭, ୩୨୩, ୩୪, ୩୪୧, ୩୭୯ ଓ ୫୦୬) ରୁଜୁ କରି ରଞ୍ଜନଙ୍କୁ ଗିରଫ କରିଛି। ଦେଉଳି ଗାଁର ଯୁବକଙ୍କ ଏତଲାକୁ ତଦନ୍ତ ଆଳରେ ଗୁରୁତ୍ବ ଦିଆ ନଯିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
Follow Us