ପୁଲିସ ଉପସ୍ଥିତିରେ କୋଭିଡ୍‌ ନିୟମ ଭଙ୍ଗ, ସଭା ପାଇଁ କରୋନା କଟକଣାକୁ ଫୁ!

Advertisment
ପୁଲିସ ଉପସ୍ଥିତିରେ କୋଭିଡ୍‌ ନିୟମ ଭଙ୍ଗ, ସଭା ପାଇଁ କରୋନା କଟକଣାକୁ ଫୁ!

Sambad

ବିରିଡ଼ି: ରାଜ୍ୟରେ କରୋନାର ୩ୟ ଲହର ଶିଖର ଛୁଇଁଥିବାରୁ ଏଥିପ୍ରତି ସତର୍କ ରହିବା ପାଇଁ ସରକାର ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ କୋଭିଡ୍‌ ସଂକ୍ରମିତ ୧୦୦ ଟପିଥିବା ବେଳେ ବିରିଡ଼ି ବ୍ଲକରେ ପୂର୍ବରୁ ଜଣେ ଓମିକ୍ରନ୍‌ ସଂକ୍ରମିତ ଓ ଏବେ ସୁଦ୍ଧା କରୋନରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ନିର୍ବାଚନ ବିଗୁଲ ବାଜି ସାରିଲାଣି। ହେଲେ ସରକାରଙ୍କ ମାର୍ଗଦର୍ଶିକାକୁ ଯେପରି ଏହି ରାଜନୈତିକ ଦଳ ସବୁ ଫୁ’ କରିଦେଇଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତ ରବିବାର ବିରିଡ଼ି ବ୍ଲକ୍‌ ଜୋନ-୨ର ବାଗଲପୁର, ପୁରଣ, ବାରେଡ଼ିଆ ବାସନ୍ଦରା, ଉକୁନ୍ଦରା, ମଙ୍ଗୁଲି ଆଦି ୬ଟି ପଞ୍ଚାୟତ କର୍ମୀ ସମ୍ମିଳନୀରୁ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ବରେ ଚାଲିଥିବା ଏହି କର୍ମୀ ସମ୍ମିଳନୀରେ ଶହଶହ କର୍ମୀ ସାମାଜିକ ଦୂରତ୍ବ ବଜାୟ ନରଖି ବିନା ମାସ୍କରେ କାରବାର ହେଉଥିଲେ। ତା ପୁଣି ପୁଲିସ ଉପସ୍ଥିତିରେ। ସମସ୍ତେ ଏକାକାର ହୋଇଯାଇଥିଲେ। ତେବେ କେଉଁ ସ୍ବାର୍ଥରେ ବିଧାୟକ ଜନ ସମାଗମ କରି ବହୁ ଲୋକଙ୍କୁ ଏକତ୍ରିତ କରି କରୋନା ମହାମାରୀ ମୁହଁ ଭିତରକୁ ଠେଲି ଦେଉଛନ୍ତି ବୋଲି ବିରୋଧୀ କଟାକ୍ଷ କରିଛନ୍ତି। ଏଣେ ତିର୍ତ୍ତୋଲ ବ୍ଲକରେ ସାଂସଦ ଡା. ରାଜଶ୍ରୀ ମଲ୍ଲିକ ସଭାସମିତି କରୁଥିବା ବେଳେ ବିରିଡ଼ି ବ୍ଲକରେ ତାଙ୍କୁ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁ ନାହିଁ।

ଦଳୀୟ ସଂଗଠନ ନିଜ ହାତକୁ ନେବା ପାଇଁ ବିଧାୟକ ଶ୍ରୀ ଦାସ ପ୍ରଚେଷ୍ଟା ଜାରି ରଖିଛନ୍ତି। ସୂଚନା ଯୋଗ୍ୟ ବିରିଡ଼ିରେ ପୂର୍ବପରି ବିଷ୍ଣୁ-ରାଜଶ୍ରୀ ଗୋଷ୍ଠୀ ମୁଣ୍ଡଟେକିଛି। କିଛି ଛାମୁଆ ନେତା ଓ କର୍ମୀଙ୍କ ଗତିବିଧିରୁ ଦଳ ଭିତର ଫାଟ ସାମ୍ନାକୁ ଆସିଲାଣି। ଗତ ରବିବାର ବିରିଡ଼ି ବ୍ଲକର ୬ଟି ପଞ୍ଚାୟତରେ ବିଧାୟକ ବୁଲି ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ରାଜ୍ୟ ସରକାର କୋଭିଡ ନିୟମ ମାନିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଖୋଦ୍‌ ବିଧାୟକ ଏହାର ଅବମାନନା କରିଥିବା ଆଲୋଚନା ହେଉଛି। ଗତ କିଛି ମାସ ତଳେ ସ୍ଥାନୀୟ ଭଗବତୀ ପୀଠରେ ଅନୁଷ୍ଠିତ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ ଓ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସମୀର ରଞ୍ଜନ ଦାଶ ଯୋଗ ଦେଇ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ଆହ୍ବାନ ଏବେ ‘ପାଣିର ଗାର’ ହୋଇଛି। ସେହିପରି ଡିସେମ୍ବର ୯ତାରିଖରେ ବ୍ଲକ କଂଗ୍ରେସର ଏକ ଶକ୍ତିଶାଳୀ ଗୋଷ୍ଠୀ ସମେତ ପଞ୍ଚାୟତ ସମିତି ଅଧକ୍ଷ ,ସରପଞ୍ଚ, ସମିତି ସଭ୍ୟସଭ୍ୟା ବିଜେଡିରେ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ। ବିରିଡ଼ି ବିଜେଡିର ଶକ୍ତି ବୃଦ୍ଧି ପାଇଲା। ଏହା‌ସତ୍ତ୍ବେ ଦଳର ଅନ୍ତର୍ଦ୍ୱନ୍ଦ୍ବରୁ ବିଜେପି ଓ କଂଗ୍ରେସ ଫାଇଦା ନେବାକୁ ଏବେ ରଣନୀତି ଆରମ୍ଭ କରିଦେଲେଣି। ଏହା ବିଚାରକୁ ନେଲେ ବିରିଡ଼ି ବ୍ଲକ ବିଜେଡିର ଆଗାମୀ ପଞ୍ଚାୟତ ନିର୍ବାଚନରେ କେତେ ସଫଳ ହେବ ସେନେଇ ରାଜନୈତିକ ବିଶ୍ଲେଷକମାନେ ଶଙ୍କା ପ୍ରକାଶ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe