United News Of India
ଫୁଲବାଣୀ: ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି। କ୍ଷମତା ବଳରେ ବିଭିନ୍ନ ସୂତ୍ରରୁ ସେ ଉପାର୍ଜନ କରିଥିବା ବିପୁଳ ଧନ କେଉଁ କେଉଁ ସୂତ୍ରରୁ ଆସିଛି ତାହାର ଛାନ୍ଭିନ୍ କରୁଛି କ୍ରାଇମ୍ବ୍ରାଞ୍ଚ୍। ଏଥିରେ ତାଙ୍କୁ କନ୍ଧମାଳର ଜଣେ ଅଧ୍ୟାପକ ସହଯୋଗ କରିଛନ୍ତି ବୋଲି ପ୍ରାଥମିକ ପ୍ରମାଣ ମିଳିଥିଲା। ପ୍ରଦୀପଙ୍କ ଲିଙ୍କ୍ରେ ଥିବା ଏହି ଅଧ୍ୟାପକଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ୍ ଟିମ ୫ ଦିନ ହେଲା କନ୍ଧମାଳରେ ଡେରା ପକାଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି।
ଏକ ଅସମର୍ଥିତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରଦୀପ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଅଧ୍ୟାପକ ତାଙ୍କ ପାଖକୁ ନିୟମିତ ଯାଉଥିଲେ। ଏହା ପରେ ଦୁଇ ଜଣଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଦାରିଙ୍ଗବାଡ଼ି ଓ ସୋରଡ଼ା ରାସ୍ତାରେ ପ୍ରଦୀପ ୨ଶହ ଏକର ଜାଗା କିଣିବା ହେଉ କି ଅସଦ୍ ଉପାୟରେ ବିପୁଳ ଧନ ଉପାର୍ଜନ ଅଭିଯୋଗ ହେଉ, ଏ ସବୁ କାମରେ ଅଧ୍ୟାପକ ଜଣକ କାଳେ ପ୍ରଦୀପଙ୍କୁ ସାହାଯ୍ୟ କରିଛନ୍ତି। ପ୍ରଦୀପଙ୍କ ଆର୍ଥିକ କାରବାର କେଳେଙ୍କାରୀ ସମ୍ପର୍କରେ ଅଧ୍ୟାପକ ଜଣକ କାଳେ ସବୁ ଜାଣିଛନ୍ତି। ଏହି ମାମଲାରେ ଅଧିକ ତଦନ୍ତ ଓ ଜେରା ପାଇଁ ଅଧ୍ୟାପକଙ୍କୁ ଧରିବା ନିମନ୍ତେ ୫ ଦିନ ହେଲା କ୍ରାଇମବ୍ରାଞ୍ଚ୍ ଟିମ ଏଠାରେ ଡେରା ପକାଇଛି।
ଜଣେ ସରକାରୀ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଜିଲ୍ଲା ସଦର ମହକୁମାରେ ରାତିରେ ରହୁଛି କ୍ରାଇମବ୍ରାଞ୍ଚ ଟିମ। ଆଉ ରାତି ପାହିଲେ ଯାଇ ଟିମ ପହଞ୍ଚି ଯାଉଛି ଦାରିଙ୍ଗବାଡିରେ। ମିଳିଥିବା ସୂଚନା ପ୍ରକାରେ ୫ ଦିନ ଖୋଳତାଡ ପରେ ପରେ ଅଧ୍ୟାପକଙ୍କ ସନ୍ଧାନ ନ ପାଇ ଆଜି କ୍ରାଇମବ୍ରାଞ୍ଚ ଟିମ ଫେରି ଯାଇଛି। ହେଲେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପ୍ରଦୀପଙ୍କ କଳା ସାମ୍ରାଜ୍ୟରେ ସହଯୋଗ କରିଥିବା ଏବଂ ସବୁ ଜାଣିଥିବା ଏହି ଅଧ୍ୟାପକ ଜଣକ କିଏ ? ଏହା ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
Follow Us