ଗୋଇପଦରରେ ମୃତ ଦୁଇ ଶିଶୁକନ୍ୟା ପରିବାରକୁ ଭେଟିଲେ କୋରାପୁଟ ବିଧାୟକ

ଗୋଇପଦରରେ ମୃତ ଦୁଇ ଶିଶୁକନ୍ୟା ପରିବାରକୁ ଭେଟିଲେ କୋରାପୁଟ ବିଧାୟକ

Sambad

ବୈପାରିଗୁଡା:  ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଗୋଇପଦର ଠାରେ ପହଞ୍ଚି ମୃତ ଦୁଇ ଶିଶୁକନ୍ୟାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସୂଚନାଅନୁଯାୟୀ ଗତକାଲି ମାଠପଡା ପଞ୍ଚାୟତ ଅନ୍ତର୍ଗତ ଗୋଇପଦର ଗ୍ରାମର ଦୁଇ ଶିଶୁ ନନ୍ଦିନୀ ଖିଲ (୫) ଏବଂ ମଙ୍ଗଳଦେଇ ଗୋଲରୀ (୫) ଅଂଗନବାଡି କେନ୍ଦ୍ରରୁ ଖାଦ୍ୟ ଆଣି ଘରେ ରଖିବା ପରେ ଅନ୍ୟ ଚାରିଜଣ ଝିଅଙ୍କ ସହ ଗାଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀ ହୁଡ଼ାରେ ଠିଆ ହୋଇଥିବା ଚାରିଜଣ ଝିଅ ନନ୍ଦିନୀ ଏବଂ ମଙ୍ଗଳଦେଇ ବାହାରକୁ ଆସିବା ବିଳମ୍ବ ହେବାରୁ ଭୟରେ ଡାକ ପକାଇଥିଲେ। ନିକଟରେ ଗୋରୁ ଚରାଉଥିବା ଜଣେ ବ୍ୟକ୍ତି ପୋଖରୀ ଭିତରକୁ ଓହ୍ଲାଇ ଦୁଇ ଜଣକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଗାଁରେ ପହଞ୍ଚି ଖବର ଦେଇଥିଲେ। ଅଂଗନବାଡି କେନ୍ଦ୍ରରେ ଟୀକାକରଣ ଚାଲିଥିବାରୁ ଗ୍ରାମବାସୀ ମାନେ ସେଠାରେ ଏକତ୍ରିତ ହୋଇଥିବା ବେଳେ ଏଭଳି ଅଘଟଣ ଖବର ଶୁଣି ପୋଖରୀ କୂଳକୁ ଧାଇଁଥିଲେ। କେତେକ ସାହାସୀ ଯୁବକ ଦୁଇ ଶିଶୁଙ୍କୁ କୂଳକୁ ଉଠାଇ ଆଣିଥିଲେ ମଧ୍ୟ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ଏଭଳି ଦୁଃଖ ସମ୍ବାଦ ଜାଣିବା ପରେ ବିଧାୟକ ଶ୍ରୀ ପାଡାଲ ବ୍ୟକ୍ତିଗତ ଭାବେ ଗୋଇପଦର ଠାରେ ପହଞ୍ଚି ଲକ୍ଷ୍ମଣ ଗୋଲରୀ ଏବଂ କେଶବ ଖିଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

publive-image Sambad

ଏଥିସହ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଦୁଇ ପରିବାରକୁ ଚାରି ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ସହ ଛୋଟ ଛୁଆଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ପାଡଲଙ୍କ ସହ ବ୍ଲକ ବିଜେଡ଼ି ଆବାହକ ହେମନ୍ତ କୁମାର ମହାପାତ୍ର, ଜିଲ୍ଲା ବିଜେଡ଼ି ଯୁବ ଉପସଭାପତି ବିଶ୍ବଜିତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ବାବୁନି ମହାନ୍ତି, ବ୍ଲକ ବିଜେଡ଼ି ଯୁବ ସଭାପତି ରମେଶ ସ୍ୱାଇଁ, ଲମ୍ବୋଦର ଖରା ଏବଂ ନର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe