‘ମୋ ଘର’ ଯୋଜନା ପ୍ରହସନ: ବ‌ର୍ଷକରେ ଆବେଦନ ୭୩୦, ଅନୁମୋଦନ ୪୬୪, ମିଳିଛି ୧୨ଜଣଙ୍କୁ

Advertisment
‘ମୋ ଘର’ ଯୋଜନା ପ୍ରହସନ: ବ‌ର୍ଷକରେ ଆବେଦନ ୭୩୦, ଅନୁମୋଦନ ୪୬୪, ମିଳିଛି ୧୨ଜଣଙ୍କୁ

ଜୟପୁର: ‘ମୋ ଘର’ ଯୋଜନା କାର୍ଯ୍ୟକାରୀ ହୋଇ ଏ ଭିତରେ ବର୍ଷକ  ବିତିଯାଇଛି। ଏବେ ସୁଦ୍ଧା ଏହି ଯୋଜନାରେ ୭ ଶହରୁ ଅଧିକ ଆବେଦନ କରିଥିଲେ ହେଁ ମାତ୍ର ୧୨ ଜଣ ଋଣ ପାଇଛନ୍ତି। ବ୍ୟାଙ୍କ ଏବଂ ବ୍ଳକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏହା ବିଫଳ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ମାସେ ହେଲା ଜିଓ ଟ୍ୟାଟ୍‌ରେ ସମସ୍ୟା ଦେଖାଦେଇଛି। ଜିଓ ଟ୍ୟାଗରେ ହିତାଧିକାରୀଙ୍କ ଫଟୋ ଉଠାଯାଉଥିଲେ ହେଁ ଏହା ମୋ ଘର ଯୋଜନା ସାଇଟରେ ଦେଖାଯାଉନି। ଫଳରେ ଏହି ଯୋଜନା ଏକପ୍ରକାର ଅଚଳ ହୋଇଯାଇଛି। ଗ୍ରାମୀଣ ଆବାସ ଯୋଜନାରେ ସମସ୍ତ ପରିବାରକୁ ଘର ଯୋଗାଇବା ସମ୍ଭବ ନଥିବାରୁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଥିଲେ। ଗତବର୍ଷ ମେ ମାସରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା।

ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ସରଳ କିସ୍ତିରେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା କରାଯାଇଛି। ୧ ଲକ୍ଷ ଋଣ ନେଇଥିବା ସାଧରଣ ବର୍ଗର ହିତାଧିକାରୀଙ୍କୁ ୩୦ ହଜାର ଏବଂ ଅନୂସୂଚିତ ଜନଜାତି ଓ ଅନୂସୂଚିତ ଜାତି ବର୍ଗଙ୍କୁ ୪୦ ହଜାର ସବସିଡି ସୁବିଧା ରହିଛି। ଦେଢ ଲକ୍ଷ ଟଙ୍କା ଋଣରେ ସାଧାରଣବର୍ଗର ହିତାଧିକାରୀକୁ ୪୫ ହଜାର ଏବଂ ଅନୂସୂଚିତ ଜନଜାତି ଓ ଅନୂସୂଚିତ ଜାତି ବର୍ଗଙ୍କୁ ୫୫ ହଜାର ସବସିଡି ରହିଛି। ସେଭଳି  ୨ ଲକ୍ଷ ଋଣରେ ସାଧାରଣ ବର୍ଗର ହିତାଧିକାରୀଙ୍କୁ ୬୦ ହଜାର ଏବଂ ଅନୂସୂଚିତ ଜନଜାତି ଓ ଅନୂସୂଚିତ ଜାତି ବର୍ଗଙ୍କୁ ୭୦ ହଜାର ଏବଂ ସର୍ବାଧିକ ୩ ଲକ୍ଷ ଟଙ୍କା ଋଣ ନେଇଥିବା ସାଧରଣବର୍ଗର ହିତାଧିକାରୀଙ୍କୁ ୬୦ ହଜାର ଏବଂ ଅନୂସୂଚିତ ଜନଜାତି ଓ ଅନୂସୂଚିତ ଜାତି ବର୍ଗଙ୍କୁ ୭୦ ହଜାର ଟଙ୍କାର ସବସିଡି ଦେବାକୁ ଘୋଷଣା କରାଯାଇଛି। ଋଣ ନେବାର ବର୍ଷକ ପରେ ହିତାଧିକାରୀ ମାସିକ କିସ୍ତିରେ ୧୦ ବର୍ଷ ପର୍ଯ୍ୟନ୍ତ ଶୁଝିବାର ବ୍ୟବସ୍ଥା ରହିଛି। ହିତାଧିକାରୀଙ୍କୁ ଋଣ ଦେବା ବ୍ୟାଙ୍କ ଉପରେ ନିର୍ଭର କରୁଛି। ସିଭିଲ ସ୍କୋର, ହିତାଧିକାରୀଙ୍କ ଋଣ ସୁଝିବାର କ୍ଷମତା ଓ ଅନ୍ୟାନ୍ୟ କାଗଜପତ୍ରକୁ ଯାଞ୍ଚ କରିବା ପରେ ବ୍ୟାଙ୍କ ଋଣ ଦେଉଛି। ଯାହାଫଳରେ ବୃକ କର୍ତ୍ତୃପକ୍ଷ ଋଣ ଦେବାକୁ ସୁପାରିସ କରୁଥିଲେ ବି ବିଭିନ୍ନ କାରଣ ଦର୍ଶାଇ ବ୍ୟାଙ୍କ ପକ୍ଷରୁ ଋଣ ଦିଆଯାଉନି।

ଏହି ଯୋଜନାରେ ଋଣ ପାଇବା ଲାଗି ଏବେସୁଦ୍ଧା ଆବେଦନ କରିଛନ୍ତି ୭୩୦ ଜଣ । ସେମାନଙ୍କ ମଧ୍ୟରୁ ୪୬୪ ଜଣ ଋଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ନାଁ ବ୍ୟାଙ୍କଗୁଡିକୁ ସୁପାରିସ କରିଛନ୍ତି ବ୍ଳକ କର୍ତ୍ତୃପକ୍ଷ। ପରିତାପର ବିଷୟ, ମାତ୍ର ୧୨ ଜଣଙ୍କ ନାଁରେ ଋଣ ମଞ୍ଜୁର କରିଛନ୍ତି ବ୍ୟାଙ୍କ।  ମୁଖ୍ୟତଃ ବ୍ୟାଙ୍କ ଗୁଡିକ ସିଭିଲ୍ ସ୍କୋର ସହ ଆଇନଗତ ପରାମର୍ଶ, ଇଂଜନିୟରଙ୍କ ପରାମର୍ଶ ମାଗୁଛନ୍ତି। ଆଇନଗତ ପରାମର୍ଶରେ ବେଶି ସଂଖ୍ୟକ ଆବେଦନପତ୍ର ପଶି ରହିଛି ବୋଲି କହିଛନ୍ତି ଜୟପୁର ବିଡିଓ ଶକ୍ତି ମହାପାତ୍ର। ତେବେ କିଛି ଆବେଦନପତ୍ର ଦାଖଲ କରିଥିବା ହିତାଧିକାରୀଙ୍କ ନିଜ ନାଁରେ ପଟ୍ଟା ବା ମାଲିକାନାସତ୍ତ୍ବ ନଥିବାରୁ ବ୍ୟାଙ୍କ ଗୁଡିକ ବି ଋଣ ଦେବାକୁ ଅମଙ୍ଗ ହେଉଛନ୍ତି ବୋଲି କହିଛନ୍ତି ବିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe