ବାଲିଅନ୍ତା: ହଂସପାଳ-ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ପାରିବାସୁଦେଇପୁର ଗ୍ରାମ ନିକଟରେ ୩ ଜଣ ଦୁର୍ବୃତ୍ତ ସିରାଜ ଅଲ୍ଲୀ ଖାନ ନାମକ ଜଣେ ବ୍ୟବସାୟୀଙ୍କ ବେକରେ ଛୁରା ଲଗାଇ ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଲୁଟି ନେଇଛନ୍ତି। ଟଙ୍କା ଏବଂ ଫୋନ ଝାମ୍ପି ନେବା ପରେ ଦୁର୍ବୃତ୍ତ ମାନେ ଦ୍ରୁତବେଗରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିରାଜ ଅଲ୍ଲୀ ଚୋର ଚୋର ବୋଲି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚି ସେମାନଙ୍କ ପିଛା କରିଥିଲେ ହେଁ କାବୁ କରିବାରେ ବିଫଳ ହୋଇଥିଲେ।
ଅଭିଯୋଗ ଅନୁସାରେ ସିରାଜ ଅଲ୍ଲୀଙ୍କୁ ସାଇଫନ ଛକ ନିକଟରୁ ଦୁର୍ବୃତ୍ତମାନେ ପିଛା କରିଥିଲେ। ପାରିବାସୁଦେଇପୁର ଗ୍ରାମ ନିକଟରେ ତାଙ୍କୁ ଅଟକାଇଥିଲେ। ସିରାଜ ଅଲ୍ଲୀ ରହିବା ପରେ ହଠାତ ବେକରେ ଛୁରା ଲଗାଇ ଟଙ୍କା ଏବଂ ମୋବାଇଲ ଫୋନ ଛଡ଼ାଇ ନେବାରେ ସଫଳ ହୋଇଥିଲେ। ଅଭିଯୋଗରେ ଦର୍ଶାଇଥିବା ହୁଲିଆ ଆଧାରରେ ପୁଲିସ ଦୁଇଜଣ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ବାଲିପାଟଣା ଥାନା ଅଧୀନ ସିରାଜ ଅଲ୍ଲୀ ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ। ସିରାଜଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା ରୁଜୁ ହୋଇଛି।
Follow Us