ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼, ତାତିଲେ ଲୋକ, ରାସ୍ତା‌ରେ ବସିଲେ

Advertisment
ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼, ତାତିଲେ ଲୋକ, ରାସ୍ତା‌ରେ ବସିଲେ

Sambad

ଚାନ୍ଦୋଳ: ଡେରାବିଶ ବ୍ଲକ୍‌ର କେତେକ ପଞ୍ଚାୟତରେ ଏବେ ମାଙ୍କଡ଼ଙ୍କୁ ନେଇ ଲୋକେ ଅତିଷ୍ଠ। ଏହି ମାଙ୍କଡ଼ ପଲ ଖାଲି ବିଲବାଡ଼ିରେ ପଶି ଫସଲ ନଷ୍ଟ କରୁନାହାନ୍ତି, ବରଂ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। କଟକ–ଚାନ୍ଦବାଲି ରାଜରାସ୍ତାର ଚଣ୍ତୀବଜାରଠାରେ ଆଜି ପୂର୍ବାହ୍ନରେ ଏକ ମାଙ୍କଡ଼ ଜଣେ ଆଇସ୍‌କ୍ରିମ୍ ବିକାଳୀଙ୍କୁ କାମୁଡ଼ି ଆହତ କରିଛି। ଏହି ଘଟଣାକୁ ଲୋକେ ତାତିଛନ୍ତି। ମାସେ ହେଲା ସ୍ଥାନୀୟ ଅଂଚଳରେ ଏହି ମାଙ୍କଡ଼ ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଗୁରୁତର କରି ସାରିଲାଣି। ତଥାପି ବନ ବିଭାଗ ନିଦ ଭାଙ୍ଗୁନି। ଏମିତି ଅଭିଯୋଗ ଆଣି ଉତ୍ତେଜିତ ଗ୍ରାମବାସୀ ଓ ଚଣ୍ତୀବଜାରର ବ୍ୟବସାୟୀ କଟକ–ଚାନ୍ଦବାଲି ରାଜରାସ୍ତାକୁ ଦୀର୍ଘ ସମୟ ଧରି ଅଚଳ କରି ଦେଇଥିଲେ। ସୂଚନା ନେବାରେ ଜଣାପଡ଼ିଛି, ପ୍ରାୟ ମାସେହେଲା ଭାଗବତପୁର ପଞ୍ଚ‌ାୟତର କିଜାଙ୍ଗପଡ଼ା, କମିଲୋ ଓ ଖମୋଳ ପଂଚାୟତର ମେଳକସାହି ଏବଂ ଚଣ୍ତୀବଜାର ଅଂଚଳରେ ଏକ ମାଙ୍କଡ଼ ପଲ ଆତଙ୍କରାଜ ଚଳାଇଛନ୍ତି। ଗ୍ରାମର ବାଡ଼ିଘରେ ପନିପରିବା ଫସଲ ଉଜାଡ଼ି ଦେଉଛନ୍ତି। ଏପରିକି, ଘରେ ବି ପଶି ଯାଉଛନ୍ତି। ଏହି ପଲରେ ଥିବା ଏକ ମାଙ୍କଡ଼ ଲୋକଙ୍କୁ କାମୁଡ଼ି ଗୋଡ଼ାଉଛି। ଗୋରୁମାନଙ୍କୁ କାମୁଡ଼ି କ୍ଷତାକ୍ତ ଗୁରୁତର କରିଦେଉଛି। ଏବେସୁଦ୍ଧା ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଲୋକ ଗୁରୁତର ଆହାତ ହେଲେଣି।

ସ୍ଥାନୀୟ ଲୋକମାନେ ଭୟରେ କାଳାତିପାତ କରିବା ସହିତ ମହିଳା ଓ ଛୋଟପିଲାମାନେ ଦିନରେ ଘରୁ ବାହାରୁ ନାହାନ୍ତି। ଲୋକେ ଘରୁ ବାହାରିଲେ ଠେଙ୍ଗା ଧରୁଛନ୍ତି। ଏ ସମ୍ପର୍କରେ ବନବିଭାଗକୁ ଜଣାଇବା ପରେ ବି କର୍ମଚାରୀମାନେ ଆସି ମାଙ୍କଡ଼ଟିକୁ ଧରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପ୍ରତିଥର ମାଙ୍କଡ଼କୁ କଦଳୀରେ ନିଶା ଔଷଧ ଦେଇ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧରି ପାରିନାହାନ୍ତି। ବରଂ ମାଙ୍କଡ଼ ନିଶା ଔଷଧ ଖାଇ ଅଧିକ ଉତ୍ପାତ କରୁଛି। ଆଜି ସକାଳେ ଡେରାବିଶ ବ୍ଳକ ଅଧୀନ ବାଘିଲୋ ଗ୍ରାମର ଆଇସ୍‌କ୍ରିମ୍ ବିକାଳୀ ରଙ୍ଗାଧର ଦାସ ଆଇସ୍‌କ୍ରିମ୍ ପେଟି ଧରି ଆସୁଥିବା ବେଳେ ଚଣ୍ତୀବଜାରଠାରେ ମାଙ୍କଡ଼ଟି ତାଙ୍କ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କରି ପକାଇଥିଲା। ଫଳରେ ସେ ସେଠାରେ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ମାଙ୍କଡ଼ଟିକୁ ଘଉଡ଼ାଇ ରଙ୍ଗାଧରକୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ପଠାଇଥିଲେ। ତେବେ ଆତଙ୍କ ଚଳାଇଥିବା ଏହି ମାଙ୍କଡ଼କୁ ବନବିଭାଗ ଧରିବାରେ ଟାଳଟୁଳ ନୀତିର ପ୍ରତିବାଦ କରି ଗ୍ରାମବାସୀ ଓ ବ୍ୟବସାୟୀମାନେ ଆଜି କଟକ-ଚାନ୍ଦବାଲି ରାସ୍ତାରୋକ କରିଥିଲେ। କିଛି ଘଂଟା ଧରି ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା। ଖବର ପାଇ ବନବିଭାଗ ଅଧିକାରୀ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ଖୁବ୍‌ଶୀଘ୍ର ମାଙ୍କଡ଼କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe