ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଭୋଟରଙ୍କ ସହଯୋଗ, ଭୋଟ ଦେବା ଆଗରୁ ନୋଟ୍‌ ଦେଲେ

Advertisment
ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଭୋଟରଙ୍କ ସହଯୋଗ, ଭୋଟ ଦେବା ଆଗରୁ ନୋଟ୍‌ ଦେଲେ

ବୀରମହାରାଜପୁର : ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସହଯୋଗ କରୁଛନ୍ତି ଭୋଟର। ଭୋଟ୍‌ ଦେବା ପୂର୍ବରୁ ନେତାଙ୍କୁ ଦେଉଛନ୍ତି ନୋଟ୍। ଗାଁ ମଝିରେ ହାତଯୋଡ଼ି ଠିଆ ହୋଇଛନ୍ତି ନେତା। ଆଉ ନେତାଙ୍କ ଆଗରେ ନୂଆଁ କପଡ଼ାରେ ପଡ଼ିଛି ପୁଳା ପୁଳା ଟଙ୍କା। ନେତା ଏଠି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ଦେଇ ନାହାନ୍ତି, ବରଂ ଲୋକମାନେ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବୁଠିପଦର ଗାଁରେ ।

ବୀରମହାରାଜପୁର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ-୨ର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ରାଜଗୋପାଳ ପାଣିଗ୍ରାହୀ। ସୋମବାର ଅପରାହ୍ଣରେ ରାଜଗୋପାଳ ନିର୍ବାଚନ ପ୍ରଚାର ପାଇଁ ବୁଠିପଦର ଗାଁରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହି ସମୟରେ ଗ୍ରାମବାସୀ ଗାଁର ମନ୍ଦିର ଉନ୍ନତୀକରଣ ପାଇଁ ରାଜଗୋପାଳଙ୍କୁ କହିଥିଲେ। ସେ କହିଥିଲେ, ତାଙ୍କ ପାଖରେ ଟଙ୍କା ନାହିଁ, ତାଙ୍କୁ ଗ୍ରାମବାସୀ ବିଜୟୀ କରାଇଲେ ନିଶ୍ଚୟ ମନ୍ଦିର ଉନ୍ନତୀକରଣ କାମ କରାଇବେ। ରାଜଗୋପାଳଙ୍କ ସେତିକି କଥାରେ ଗ୍ରାମବାସୀ ପ୍ରଭାବିତ ହୋଇ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ଏକ ନୂଆ ଗାମୁଛା ଆଣି ଗାଁ ଦାଣ୍ଡରେ ପକାଯାଇଥିଲା। ଗ୍ରାମବାସୀ ନିଜ ନିଜର ଶକ୍ତି ମୁତାବକ ଅର୍ଥ ଦାନ କରିଥିଲେ। ବର୍ତ୍ତମାନ ଗାଁ ଗାଁରେ ନିର୍ବାଚନ ଜିଣିବାକୁ ସବୁଠି ଟଙ୍କା ବାଣ୍ଟୁଛନ୍ତି ନେତା। ହେଲେ ବୁଠିପଦର ଗାଁର ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe