ଅବାଟରେ ଯାଉଛି ଭଦ୍ରକରେ ବସୁଧା ଯୋଜନାର ଟଙ୍କା!

Advertisment
ଅବାଟରେ ଯାଉଛି ଭଦ୍ରକରେ ବସୁଧା ଯୋଜନାର ଟଙ୍କା!

Sambad

ଭଦ୍ରକ: ଭଦ୍ରକ ସହରକୁ ଅମୃତ ସହର ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲୋକଙ୍କୁ ପାଇପ ଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏଇ ଯୋଜନାର ସଫଳ ରୁପାୟନ ଭଦ୍ରକ ସହରରେ କାର୍ଯ୍ୟକାରୀ‌ ହୋଇପାରୁ ନାହିଁ। ମଞ୍ଜୁର ହୋଇଥିବା ୯୫ କୋଟି ଟଙ୍କାରେ ସହରରେ ମୋଟ ୨୧୩ କିମି ପାଇପ ବିଛାଯାଇ ପ୍ରତି ଲୋକଙ୍କ ଘରକୁ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯୋଜନାରେ ବିପିଏଲ ପରିବାରଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଯୋଜନା ପାଇଁ ୬ଟି ବୃହତ୍ତ ଭୁତଳ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଏଇ ଯୋଜନାରେ ମାଟି ତଳେ ବିଛା ଯାଇଥିବା ପାଇପ ନିମ୍ନମାନର ହୋଇଥିବା ବେଳେ ଅନେକ ସ୍ଥାନରେ ପାଇପ ଫାଟି ପାଣି ରାସ୍ତାରେ ଭାସୁଛି। ଲୋକଙ୍କ ଘରକୁ ଏବେସୁଦ୍ଧା ପାନୀୟ ଜଳ ସଂଯୋଗ କରାଯାଇ ପାରିନାହିଁ । ୨୦୧୭ ମସିହାରୁ ଭଦ୍ରକ ସହରରେ ଏଇ ଯୋଜନା କାର୍ଯ୍ୟକାରୀ ହେବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଭଦ୍ରକ ସହରର ୨୧ ହଜାର ପଞ୍ଜୀକୃତ ପରିବାର ଓ ବସ୍ତି ବାସିନ୍ଦାଙ୍କୁ ଏଇ ପାନୀୟ ଜଳ ଯୋଜନାରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବାକୁ ଘୋଷଣା କରାଯାଇଥିଲା। ପଞ୍ଜୀକୃତ ପରିବାର ଠାରୁ ସହରରେ ଅଣପଞ୍ଜୀକୃତ ପରିବାର ସଂଖ୍ୟା ଢେର ଅଧିକ ହୋଇଛି। ଏବେ ସୁଦ୍ଧା ସହରରେ ପ୍ରାୟ ୪୦ ହଜାର ପରିବାର ବସତି ସ୍ଥାପନ କରି ରହୁଛନ୍ତି। ମାତ୍ର ଏବେ ଏଇ ଯୋଜନାରେ ମାତ୍ର ୧୫ ହଜାର ପରିବାରକୁ ସାମିଲ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରିବା ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ବର୍ଷ ପରେ ବର୍ଷ ବିତି ଯାଉଥିବା ବେଳେ ଏଇ ଯୋଜନାର ସଫଳ ରୂପାୟନ ଭଦ୍ରକବାସୀଙ୍କୁ ମିଳି ପାରୁ ନଥିବାରୁ ଏହାକୁ ଦେଇ ସହରବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କର ପାନୀୟ ଜଳ ପ୍ରକଳ୍ପ ଜିଲ୍ଲାରେ ପ୍ରହସନରେ ପରିଣତ ହୋଇଥିବା ବେଳେ ଅବାଟରେ ଯାଉଛି କେବଳ ପ୍ରକଳ୍ପ ଟଙ୍କା। ଏଦିଗରେ ବିଭାଗୀୟ ଅଧିକାରୀ ଯେତିକି ତତ୍ପରତା ପ୍ରକାଶ କରିବା କଥା ତାହା କରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ। ଏବେ ଖରା ତାତି ବଢିଛି। ଭଦ୍ରକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଲୋକମାନେ ପାଣି ଶଙ୍କଟରେ ରହୁଥିବା ବେଳେ ବସ୍ତିବାସୀନ୍ଦା ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe