ଅଜାଣତରେ ଟଙ୍କା ଉଠାଇ ନେଇଗଲେ, ଓସ୍ତିଆ ସେବା ସମବାୟ ସମିତିରେ ଧାନ କିଣା ନାଁରେ ଦୁର୍ନୀତି

Advertisment

ଚାଷୀଙ୍କ ଟୋକନରେ ଧାନ ବିକିଲେ ସଂପାଦକ

ଚାଷୀଙ୍କ ଟୋକନରେ ଧାନ ବିକିଲେ ସଂପାଦକ

ଅଜାଣତରେ ଟଙ୍କା ଉଠାଇ ନେଇଗଲେ, ଓସ୍ତିଆ ସେବା ସମବାୟ ସମିତିରେ ଧାନ କିଣା ନାଁରେ ଦୁର୍ନୀତି

Sambad

ରାଜନଗର: ବାତ୍ୟା, ବନ୍ୟା ଓ ଅଦିନିଆ ବର୍ଷାରେ ଫସଲ କ୍ଷତି ଯୋଗୁଁ ଚାଷୀ ଆଖିରୁ ଲୁହ ଶୁଖିନି। ଚାଷୀ ଧାର କରଜ ଓ ଋଣ କରି ଚାଷ କରିଥିବାରୁ କିପରି ଋଣ ଶୁଝିବ, ସେ ନେଇ ଦିନ ରାତି ଆଖିରୁ ଲୁହ ଗଡାଉଛି। ଏପଟେ ଚାଷୀଙ୍କୁ ସହାୟତା ଓ ଚାଷୀଙ୍କ ସମସ୍ୟା ବୁଝିବାକୁ ଥିବା ପ୍ରାଥମିକ କୃଷି ସେବା ସମବାୟ ସମିତିର ସଂପାଦକଙ୍କ ନିଷ୍ଠୁରତାର ଚିତ୍ର ସାମ୍ନାକୁ ଆସିଛି। ଆଖି ତରାଟି ଦେଲା ଭଳି ଦୁର୍ନୀତିର ଅଭିଯୋଗ ହୋଇଥିଲେ ବି ସମବାୟ ବିଭାଗ କାର୍ଯ୍ୟାନୁଷ୍ଠାନ ବଦଳରେ ହାତ ବାନ୍ଧି ବସିଛି। ଚାଷୀ ଅଳ୍ପ ଧାନ ଦେଇଥିବା ବେଳେ ତା ନାଁରେ ଆସିଥିବା ଟୋକନ ଅନୁଯାୟୀ ସମସ୍ତ ଧାନ ବିକ୍ରି କରି ଚାଷୀର ଅଜାଣତରେ ତା ଆକାଉଣ୍ଟ୍‌ରୁ ସଂପାଦକ ଟଙ୍କା ଉଠାଇ ନେଇଛନ୍ତି। ଏପରି ଅନିୟମିତତା ଓ ଦୁର୍ନୀତିର ଚିତ୍ର ରାଜନଗର ବ୍ଲକ ଓସ୍ତିଆ ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ଆସିଛି।
ରାଜନଗର ବ୍ଲକ ଓସ୍ତିଆ ଗାଁର ନିରଂଜନ ବଳ ଚାଷ କରି ପରିବାର ଚଳାନ୍ତି। ଚଳିତ ବର୍ଷ ବାତ୍ୟା, ବନ୍ୟା ଓ ପରେ ଅଧିକ ଖର୍ଚ୍ଚାନ୍ତ ହୋଇ ଚାଷୀ ଖରିଫ ଧାନ ଅମଳ କରିଛନ୍ତି। ଧାନ ଅମଳ ପାଇଁ ଚାଷୀ ଋଣ ସହିତ ସାହୁକାରଙ୍କ ଠାରୁ ହାତ ଉଧାରି ଆଣିଛନ୍ତି। ଅମଳ ଫସଲ ବିକିଲେ ପରିବାର ପେଟରେ ବର୍ଷକର ଦାନା ଦେବା ସହ ସାହୁକାର ଓ ଋଣ ସୁଝିବାକୁ ଚିନ୍ତା କରିଥିଲେ। ମାତ୍ର ତାଙ୍କ ହକକୁ ଅଜାଣତରେ ସଂପାଦକ ଛଡାଇ ନେଇଛନ୍ତି। ନିରଂଜନଙ୍କ ମୋବାଇଲକୁ ୬୦ କୁଇଂଟାଲ ଧାନ ବିକିବାକୁ ମେସେଜ ଆସିଥିଲା।

ପ୍ରାଥମିକ କୃଷି ସେବା ସମବାୟ ସମିତିରେ ପହଁଚି ସଂପାଦକଙ୍କୁ ଏ ନେଇ ଜଣାଇବା ସହିତ ଧାନ କେବେ ଆଣିବେ ବୋଲି କହିଥିଲେ। ଯେତିକି ଧାନ ଦେବାକୁ ମେସେଜ ଆସିଛି, ତା’ର ୩ ଭାଗରୁ ଭାଗେ ଧାନ ଦେଇପାରିବେ ବୋଲି ସଂପାଦକ କହିଥିଲେ। ତେବେ ଧାନ କିପରି ବିକିବି ବୋଲି ନିରଂଜନ ନେହୁରା ହେବାରୁ ୨୭ କୁଇଂଟାଲ ଧାନ ଦିଅ ବୋଲି ସଂପାଦକ କହିଥିଲେ। ନିରଂଜନ ଜାନୁଆରି ଶେଷ ସପ୍ତାହରେ ୨୭ କୁଇଂଟାଲ ଧାନ ଦେଇଥିଲେ। ମାତ୍ର ଆକାଉଂଟକୁ ୩୧ ଜାନୁଆରି ୨୦୨୨ରେ ୧ ଲକ୍ଷ ୧୬ ହଜାର ୪ଶହ ଟଙ୍କା ଆସିଥିଲା। ଅର୍ଥାତ୍ ନିରଂଜନ ୬୦ କୁଇଂଟାଲ ଧାନ ଦେଇଥିବା ସଂପାଦକ ଦର୍ଶାଇ ତାଙ୍କ ଆକାଉଂଟକୁ କୁଇଂଟାଲ ପିଛା ୧୯୪୦ ଟଙ୍କା ହିସାବରେ ୧ ଲକ୍ଷ ୧୬ ହଜାର ୪ଶହ ଟଙ୍କା ଛାଡିଥିଲେ। ଫେବ୍ରୃଆରି ୨ ତାରିଖରେ ଚେକ୍ ନଂ ୨୪୫୨୬୯ରେ ଆକାଉଂଟ ନଂ ୨୩୪୮୦୧୦୦୦୦୭୬୨୯କୁ ଏନଇଏଫଟି କରାଯାଇଥିଲା। ଏହାପରେ ସେବା ସମବାୟ ସମିତିର ସଂପାଦକ ନିରଂଜନଙ୍କୁ ଡାକି ୨୭ କୁଇଂଟାଲ ଧାନ ବାବଦକୁ ୫୨୩୮୦ ଟଙ୍କା ହୋଇଥିଲା। ତାଙ୍କ ପିସି ୧୩୮୦ ଟଙ୍କା ରଖି ୫୧ହଜାର ଟଙ୍କା ଦେଇଥିଲେ। ନିରଂଜନଙ୍କ ଅଭିଯୋଗ ହେଲା ତାଙ୍କ ଆକାଉଂଟରୁ ଟଙ୍କା ଉଠାଇବାକୁ ସେ ଯାଇନାହାଁନ୍ତି।

୪ ବର୍ଷ ତଳେ ତାଙ୍କ ନାଁରେ ସଂପାଦକ ଚେକ୍ ଇସ୍ୟୁ କରି ଆଣିବା ପରେ ସମସ୍ତ ସେଥିରେ ଦସ୍ତଖତ ନେଇ ସଂପାଦକ ନିଜ ପାଖରେ ରଖିଥିଲେ। ଋଣ ଅଦଳ ବଦଳ ଏବଂ ଛାଡ ଟଙ୍କା ଆଡଜଷ୍ଟ କରିବା ପାଇଁ ସେ ଚେକ ତାଙ୍କ ପାଖରେ ରଖିଥିଲେ। ତାଙ୍କ ଆକାଉଂଟକୁ ଟଙ୍କା ଆସିବା ପରେ ସଂପାଦକ ସତ୍ୟନାରାୟଣ ନାୟକ ତାଙ୍କ ପାଖରେ ରଖିଥିବା ମୋ ଚେକ ମାଧ୍ୟମରେ ଟଙ୍କା ଉଠାଇ ନେଇ ମୋତେ ୫୧ ହଜାର ଟଙ୍କା ଦେଇଥିଲେ। ମୁଁ ସଂପାଦକଙ୍କୁ ଏ ନେଇ ପଚାରିବାରୁ ଯେତିକି ଧାନ ଦେଇଥିଲ, ସେତିକି ଟଙ୍କା ପାଇଲ, ତମ ଆକାଉଂଟକୁ କେତେ ଟଙ୍କା ଆସିଲା, କେତେ ଟଙ୍କା ଉଠିଲା କିଛି ବୁଝିବାର ନାହିଁ ବୋଲି କହିଥିଲେ। ଏ ନେଇ ସୋସାଇଟି ଅଫିସ ଆଗରେ ୩ଦିନ ଧାରଣାରେ ବସିବାରୁ ତାଙ୍କ ଭାଇମାନେ ଘର ପାଖରେ ପହଁଚି ମୋତେ ମାରିଦେବାକୁ ଧମକ ଦେଇଥିବା ନେଇ କହିଛନ୍ତି। ଏ ସଂପର୍କରେ ଓସ୍ତିଆ ସେବା ସମବାୟ ସମିତିର ସଂପାଦକ ସତ୍ୟ ନାରାୟଣ ନାୟକଙ୍କୁ ପଚାରିବାରୁ ଦଳୀୟ ମନୋଭାବ ନେଇ ମିଛ ଅଭିଯୋଗ କରାଯାଉଛି, ଆମେ କାହାରି ଧାନ କାଟିନୁ କି କାହା ଟଙ୍କା ଉଠାଇନୁ ବୋଲି କହିଛନ୍ତି। ଏ ସଂପର୍କରେ ଆସିଷ୍ଟାଂଟ ରେଜିଷ୍ଟ୍ରାର ସନ୍ତୋଷ କୁମାର ଦାସଙ୍କୁ ପଚାରିବାରୁ ଏହା ଠିକ୍ କଥା ନୁହେଁ, ତଦନ୍ତ ପାଇଁ କର୍ମଚାରୀ ଯାଇଛନ୍ତି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। କିନ୍ତୁ କେଉଁ କର୍ମଚାରୀ ତଦନ୍ତ ପାଇଁ ଯାଇଛନ୍ତି, ତାହା କହିପାରିନଥିଲେ। ସୂଚନାଯୋଗ୍ୟ ଯେ ଓସ୍ତିଆ ସେବା ସମବାୟ ସମିତିରେ ଚାଷୀଙ୍କୁ ମନଇଚ୍ଛା ଶୋଷଣ କରାଯାଉଛି। ଆଜିଯାଏ ଯେତିକି ଧାନ ଉଠିଛି, ତାର ତିନି ଭାଗରୁ ଭାଗେ ନିଜେ ସଂପାଦକ ବେପାରୀ ସାଜି ଧାନ କିଣି ଚାଷୀଙ୍କ ନାଁରେ ଚାଷୀଙ୍କ ଅଜାଣତରେ ଦେଇ ତାଙ୍କ ପାଖରେ ଥିବା ଚାଷୀଙ୍କ ଚେକ୍ ମାଧ୍ୟମରେ ଟଙ୍କା ଉଠାଇ ନେଇଥିବାର ଗୁରୁତର ଅଭିଯୋଗ ହୋଇଛି। ବଡକଥା ହେଲା ଚାଷୀଙ୍କ ବ୍ଲାଙ୍କ ଚେକରେ ଦସ୍ତଖତ ମାରି ସଂପାଦକ ନିଜ ପାଖରେ ରଖିବାର ଅଧିକାର ଅଛି ତ? ଏ ନେଇ ସମବାୟ ବିଭାଗ କାହିଁକି ହାତବାନ୍ଧି ବସିଛି, ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe