ରାୟଗଡ଼ାରେ କରୋନା: ପୁଣି ୩୮ ଆକ୍ରାନ୍ତ, ଜଣେ ମୃତ

Advertisment

ପଦ୍ମପୁର ବ୍ଲକ୍ ଅଫିସ୍, କାଶୀପୁର ତହସିଲ ବନ୍ଦ ନିର୍ଦେଶ, ସିଲ୍ ହେଲା କାଶୀପୁର, ଟିକିରି ରାଜସ୍ବ ଅଧିକାରୀଙ୍କ ଅଫିସ୍

ପଦ୍ମପୁର ବ୍ଲକ୍ ଅଫିସ୍, କାଶୀପୁର ତହସିଲ ବନ୍ଦ ନିର୍ଦେଶ, ସିଲ୍ ହେଲା କାଶୀପୁର, ଟିକିରି ରାଜସ୍ବ ଅଧିକାରୀଙ୍କ ଅଫିସ୍

ରାୟଗଡ଼ାରେ କରୋନା: ପୁଣି ୩୮ ଆକ୍ରାନ୍ତ, ଜଣେ ମୃତ

ରାୟଗଡ଼ା: ରାୟଗଡ଼ାରେ ସାଂଘାତିକ ରୂପ ନେଉଛି କରୋନା। ବଢ଼ି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଆଜି ପୁଣି ୩୮ ଆକ୍ରାନ୍ତ ଚିହ୍ନଟ ସହ ଜଣଙ୍କ ମୃତ୍ୟୁ ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ତାଲିକାରେ କୋଭିଡ଼୍ ‌ଯୋଦ୍ଧା ଥିବାରୁ ପଦ୍ମପୁର ବ୍ଲକ୍ ଅଫିସ୍, କାଶୀପୁର ତହସିଲକୁ ବନ୍ଦ ନିର୍ଦେଶ ସହ କାଶୀପୁର ଓ ଟିକିରି ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରିଛି ପ୍ରଶାସନ।

ନୂତନ ୩୮ ପଜିଟିଭଙ୍କୁ ମିଶାଇ ରାୟଗଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୨ରେ ପହଞ୍ଚିଛି। ଗତ ୪୮ ଘଣ୍ଟାରେ ଜିଲ୍ଲାରୁ ୩୪୧ ଆକ୍ରାନ୍ତ ଚିହ୍ନଟ ସହ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ପୁଣି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଫଳରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ୩, ୪ ପୁଲିସ୍, ସିଆରପିଏଫର ଜଣେ, ଆରପିଏଫର ଜଣେ, ଶିକ୍ଷା ବିଭାଗର ଜଣେ ଆକ୍ରାନ୍ତ ହୋଇଛନ୍ତି। ଗୁଣପୁର ପୌରାଞ୍ଚଳରୁ ୬ ଜଣ, ଗୁଣପୁର ବ୍ଲକରୁ ଜଣେ, ରାୟଗଡ଼ା ପୌରାଞ୍ଚଳରୁ ୨୪, କୋଲନରାରୁ ଜଣେ, ମୁନିଗୁଡ଼ାରୁ ୩, କାଶୀପୁରରୁ ୨, ରାମନାଗୁଡ଼ାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ଜଣେ ଆକ୍ରାନ୍ତ ବିଶାଖାପାଟଣାରୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାୟଗଡ଼ା ବ୍ୟାଙ୍କ କଲୋନି ପ୍ରଥମ ଲାଇନ୍, ଗାୟତ୍ରୀ ନଗର ଚତୁର୍ଥ ଲାଇନ୍, କସ୍ତୁରୀ ନଗର ତୃତୀୟ ଲାଇନ୍, ଆରକେ ନଗର, ଟିକିରି ଉତ୍କଳ ଆଲୁମିନା କ୍ୟାମ୍ପସ, କାଶୀପୁର ବାଇଗଣିଗୁଡା, କୋଲନରା ଗାଡ଼ିଶେଷଖାଲ, ରାମନାଗୁଡ଼ାର ଆମେତିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ପଦ୍ମପୁର ବ୍ଲକ୍ ଅଫିସକୁ ୫ ତାରିଖ, କାଶୀପୁର ତହସିଲ ଅଫିସକୁ ୯ ତାରିଖ, କାଶୀପୁର ଓ ଟିକିରି ରାଜସ୍ବ ଅଧିକାରୀଙ୍କ ଅଫିସକୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଛନ୍ତି।

ଆସନ୍ତାକାଲି ୩ ଦିନିଆ ସଟଡାଉନ୍ ସମୟ ଶେଷ ହେଉଥିବା ବେଳେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ସାପ୍ତାହର ଶନିବାର, ରବିବାର ସଟଡାଉନ୍ ଏବଂ ଅନ୍ୟ ଦିନ ଗୁଡ଼ିକରେ ସକାଳ ୬ଟାରୁ ମଧ୍ୟାହଣ୍ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦେଶ ହୋଇଛି। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ସକାଳ ୭ରୁ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଧାରଣ କରାଯାଇଛି। ଅନ୍ୟପକ୍ଷରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସ୍ଥିତି ସୁଧାରିବା ପରେ ରାୟଗଡ଼ା ସହରର ଇନ୍ଦିରା ନଗର ଷଷ୍ଠ ଲାଇନ୍, ଗାୟତ୍ରୀ ନଗର ଦ୍ବିତୀୟ ଲାଇନ୍, ଚର୍ଚ ସାହି (ସେକ୍ରେଡ୍ ହାର୍ଟ ସ୍କୁଲ୍ ନିକଟ), ଡିଆରଡିଏ କ୍ବାର୍ଟର୍ସ, ଡିଏଫ୍ଓ ଅଫିସ୍ ଚତୁର୍ଥ ଲାଇନ୍, ଏସଆର ଟାୱାର (କୈଳାସ ହୋଟେଲ୍ ପାଖ), ରାଣୀଗୁଡା ଫାର୍ମ ତ୍ରିନାଥ ମନ୍ଦିର, ହାଉସିଂ ବୋର୍ଡ କଲୋନିରୁ  କଣ୍ଟେନମେଣ୍ଟ୍ ଜୋନ୍ ହଟାଇବାକୁ ଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe