୭ମାସ ହେଲା ସୁଷମ ଖାଦ୍ୟ ପାଇ ପାରୁନାହାଁନ୍ତି ଶିଶୁ-ଗର୍ଭବତୀ, ହଜାର ହଜାର ଅଣ୍ତା ପୋଡିଦେଲେ ଅଙ୍ଗନବାଡି ଦିଦି

Advertisment
୭ମାସ ହେଲା ସୁଷମ ଖାଦ୍ୟ ପାଇ ପାରୁନାହାଁନ୍ତି ଶିଶୁ-ଗର୍ଭବତୀ, ହଜାର ହଜାର ଅଣ୍ତା ପୋଡିଦେଲେ ଅଙ୍ଗନବାଡି ଦିଦି

ଦଶପଲ୍ଲା: ରାଜ୍ୟରୁ ଅପପୁଷ୍ଟି ଦୂର କରିବା ପାଇଁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି କୁନିକୁନି ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସରକାର ସୁଷମ ଖାଦ୍ୟ ପ୍ରଦାନ କରୁଛନ୍ତି। ଅଣ୍ତା, ଛତୁଆ ଠାରୁ ଆରମ୍ଭ କରି ବାଦାମ ଲଡୁ ଏବଂ ରନ୍ଧାଖାଦ୍ୟ ପ୍ରଭୃତି ଯୋଗାଇ ଦିଆଯାଉଛି। ହେଲେ ଏସବୁ ଖାଦ୍ୟ ଶିଶୁ ଓ ଗର୍ଭବତୀଙ୍କୁ ଦେବା ବଦଳରେ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ପୋଡି ଦିଆଯାଉଛି। ୫୦ କି ଶହେ ନୁହେଁ, ପୁରା ହଜାର ହଜାର ସଂଖ୍ୟାରେ ଅଣ୍ତାକୁ କାଠ ଓ ବାଉଁଶ ପକାଇ ପୋଡି ନଷ୍ଟ କରିଦେଇଛନ୍ତି ଦିଦି। ଖାଲି ସେତିକି ନୁହେଁ ରହିଥିବା ଛତୁଆ ଓ ଚାଉଳ ପୋକ ସାଲୁବାଲୁ ହୋଇଥିବା ବେଳେ ମହାମାରୀ କୋଭିଡ୍ ପାଇଁ ଲୋକଙ୍କୁ ଯୋଗାଇ ଦେବାକୁ ଥିବା ମାସ୍କ ଓ ସାବୁନ ପ୍ରଦାନ କରାଯାଇନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଳା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡି ପଂଚାୟତର ପିପଳପଦର ଅଙ୍ଗନବାଡି କେନ୍ଦ୍ରରେ। ଯାହାକୁ ନେଇ ଗ୍ରାମରେ ଉେତ୍ତଜନା ମୂଳକ ପରିସ୍ଥିତି ଉପୁଜିବା ସହ ତୁରନ୍ତ ସଂପୃକ୍ତ ଅଙ୍ଗନବାଡି କମିର୍ଙ୍କୁ ବହିଷ୍କାର ଦାବି କରିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅଙ୍ଗନବାଡି କମିର୍ ଭାବେ କାର୍ଯ୍ୟରତ ଥିବା ପୁଷ୍ପଲତା ଜାନୀଙ୍କ ଘର କେନ୍ଦ୍ର ଠାରୁ ମାତ୍ର ୧କିମି ଦୂର ପୁଟୁବାରୀ ଗ୍ରାମରେ। ସେ ଚାକିରି କରିବା ଦିନଠାରୁ ସଠିକ୍ ଭାବେ କେନ୍ଦ୍ରକୁ ଆସୁ ନାହାଁନ୍ତି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଖାଦ୍ୟ ପ୍ରଦାନ କରାଯାଉନାହିଁ। ଗାଁ କଲ୍ୟାଣ ସମିତି ପାଇଁ ଆସୁଥିବା ଅନୁଦାନ ଅର୍ଥକୁ ବାଟ ମାରଣା କରାଯାଉଛି। ଯାହାକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ମାତ୍ର ଗତ ସେପ୍ଟେମ୍ବର ମାସଠାରୁ କମିର୍ଙ୍କ ଆଉ ଦେଖାମିଳୁନି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଅଣ୍ତା, ଛତୁଆ ପ୍ରଭୃତି ପ୍ରଦାନ କରାଯାଉନାହିଁ। ଗାଁ କଲ୍ୟାଣ ସମିତି ଟଙ୍କାର ହିସାବ ମାଗିଲେ ଦିଆଯାଉନାହିଁ। ଖାଦ୍ୟ ସମ୍ପର୍କରେ ପଚାରିଲେ ପାଲଟା ନାଲିଆଖି ଦେଖାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହେଲେ ଗତ ୩ ଦିନ ହେଲା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲିଥିବା ବେଳେ ଗତକାଲି ଦିଦି ଅଙ୍ଗନବାଡି କେନ୍ଦ୍ରକୁ ଆସିଥିଲେ। ଗାଁ ମୁଣ୍ତରେ ଅଙ୍ଗନବାଡି କେନ୍ଦ୍ରଟି ରହିଥିବା ବେଳେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ରହିଥିବା ପ୍ରାୟ ୭ ମାସର ଅଣ୍ତାକୁ କେନ୍ଦ୍ର ସମ୍ମୁଖରେ ପକାଇ ଏଥିରେ ନିଆଁ ଲଗାଇ ଦେଇଥିଲେ। ଏହାକୁ କିଛି ଲୋକ ଦେଖିବା ପରେ ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚିଥିଲେ। ଯାହାକୁ ନେଇ କମିର୍ ଜଣଙ୍କ ହଡବଡେଇ ଯାଇଥିଲେ।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଙ୍ଗନବାଡି କେନ୍ଦ୍ରକୁ ଗ୍ରାମବାସୀ ତାଲା ପକାଇ ଦେଇଥିଲେ। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ତାଲା ଖୋଲାଯିବା ପରେ ଘର ମଧ୍ୟରେ ପ୍ରାୟ ୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ଓ ଛତୁଆ ପ୍ରଭୃତି ପୋକ ସାଲୁବାଲୁ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଗତ ସେପ୍ଟେମ୍ବର ମାସରୁ କାହାରିକୁ ଛତୁଆ, ଲଡୁ କିମ୍ବା ଅଣ୍ତା ଦିଆଯାଇନଥିବା ନିଜେ କମିର୍ ଜଣଙ୍କ ସ୍ବୀକାର କରିଥିଲେ। ଏପରିକି ଅଣ୍ତା ଗୁଡିକ ନଷ୍ଟ ହୋଇ ଯାଇଥିବାରୁ ପୋଡି ଦେଇଥିବା କମିର୍ ଶ୍ରୀମତୀ ଜାନୀ ପ୍ରକାଶ କରିଥିଲେ। ଏହି କେନ୍ଦ୍ରରେ ୪୦ ଜଣ ଶିଶୁ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ପଦାର୍ଥକୁ ଏଭଳି ନଷ୍ଟ କରି ଦିଆଯାଇଛି। ତୁରନ୍ତ କର୍ମୀଙ୍କୁ ବହିଷ୍କାର କରିବା ଦାବିରେ ଗ୍ରାମବାସୀ ଅଡି ବସିଛନ୍ତି। ଗୋଟିଏ ପାର୍ଶ୍ବରେ ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏସବୁ ସୁଷମ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଏଭଳି କର୍ମୀଙ୍କ ଦ୍ବାରା ସରକାରଙ୍କ ଲକ୍ଷ୍ୟ କିଭଳି ସଫଳ ହେଉଛି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏସମ୍ପର୍କରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ରୀନା ସରିତା ଲରେନ୍ସ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ସଂପୃକ୍ତ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe