ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

Advertisment
ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: କାମାକ୍ଷାନଗର ଏନ୍‌ଏସି ଅନ୍ତର୍ଗତ ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ୨୫ରୁ ଅଧିକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଗାଁ’ର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗାଁକୁ ଯୋଗାଣ ହେଉଥିବା ପାଇପ୍‌ ପାଣି ପାଇଁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତକାଲି ଗାଁର ଏକ ଭୋଜି ଖାଇଥିବା କିଛି ଲୋକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବରପାଇ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ। ସେ କହିଥିଲେ ଯେ ଦୂଷିତ ପାଣି ଓ ଫୁଡ୍ ପଏଜନ୍ ଏହାର କାରଣ ହୋଇପାରେ ବୋଲି ଡାକ୍ତର ଦଳ କହିଛନ୍ତି। ଏ ନେଇ ସେ ଜଳ ଯୋଗାଣ ବିଭାଗ ସହିତ ଆଲୋଚନା କରିଥିବା କହିଛନ୍ତି। ଡାକ୍ତରଖାନା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଗାମ୍ବର ସାହୁ ମଧ୍ୟ ତୁରନ୍ତ ପଦକ୍ଷେପ ନେଇ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ସେ କହିଛନ୍ତି।

ସହକାରୀ ଜିଲ୍ଲାପାଳ ମଦନମୋହନ ଜେନା ମଧ୍ୟ ଡାକ୍ତରଖାନା ଆସିଥିଲେ। ଖବର ପାଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ଡାକ୍ତରଖାନାରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଆଜି ସନ୍ଧ୍ୟାରେ ଗ୍ରାମର କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଡାକ୍ତରଖାନାରେ ପ୍ରତିମା ସାମଲ (୪୦) ,ବିଛନ୍ଦ ସାମଲ (୪୫ ),ଝିଲି ଦେହୁରୀ (୩୦ ), ଭରତ ଦେହୁରୀ (୪୦), ସୁନିତା ଦେହୁରୀ (୩୫), ସୁରେନ୍ଦ୍ର ଖଟୁଆ (୨୫), ସସ୍ମିତା ଖଟୁଆ (୨୪), ମଙ୍ଗୁଳି ଖଟୁଆ (୬୦), ଲବଣ୍ୟ ବେହେରା (୭୫), ବିନୋଦିନୀ ବେହେରା (୨୦ ), ବଡ଼ସୁ୍ଆଁଳ ଗାଁର ଆଲୋକ ରଞ୍ଜନ ସାହୁ (୨୧), ଚତୁର୍ଭୁଜ ସାହୁ (୫୦), ସ୍ଵର୍ଣ୍ଣଲଷ୍ମୀ ସାହୁ (୧୯) ପ୍ରମୁଖ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଅନୁରୂପ ଭାବରେ ଏଭଳି ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ପୁରୁଣା ରେକୁଳା ଓ ସଅର ସାହିର ଲୋକ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe