ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଘନ ଘନ ଚଢାଉ କରାଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ଆରଏସସି-୧୬ ଗ୍ରାମରେ ଲଗାଯାଇଥିବା ପ୍ରାୟ ୪୨ ଏକର ସରକାରୀ ଜମିରେ ୬୩ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ସେହିପରି ଓର୍କେଲ ଥାନା ଅଂଚଳରେ ଥିବା ଯନ୍ତ୍ରୀ ଗ୍ରାମ ନିକଟରେ ମଧ୍ୟ ୪୩ ଏକର ସରକାରୀ ଜମିରେ ଲଗାଯାଇଥିବା୬୪ ହଜାର ୫ ଶହ ବେଆଇନ ଗଞ୍ଜେଇ ଗଛକୁ ସଂପୂର୍ଣ୍ଣ ଉପାଡି ପୋଡି ଦିଆଯାଇଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ପୁଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ନଷ୍ଟ କରିବା ପ୍ରକ୍ରିୟା ଜୋରଦାର କରାଯାଉଥିବା ନେଇ ସ୍ବାଭିମାନ ଅଂଚଳରେ ଏକ ପ୍ରକାର ଉତ୍ତେଜନା ଦେଖାଦେଉଛି। ପୁଲିସ ଏବଂ ଅବକାରୀ ସଂପୂର୍ଣ୍ଣ ଗଞ୍ଜେଇ ଚାଲାଣକୁ ରୋକିବାକୁ ଏଭଳି କଡା ପଦକ୍ଷେପ ନେଉଥିବା କୁହାଯାଇଛି।ଚିତ୍ରକୋଣ୍ଡାରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଦାୟୀତ୍ବ ନେବା ପରେ ଲଗାତାର ଗଂଜେଇ ଚାଲାଣ ରୋକିବାରେ ଏବଂ ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳତା ହାସଲ କରିଚାଲିଛନ୍ତି।ଯାହାକୁ ନେଇ ମାଫିଆଙ୍କ ମଧ୍ୟରେ ଭାଳେଣୀ ପଡିଲାଣି। ତେବେ ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଗଛକୁ ନଷ୍ଟ କରାଯିବା ସହ ଗଂଜେଇ ଚାଲାଣକୁ ମଧ୍ୟ ରୋକ ଲଗାଯିବ ବୋଲି ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି।
Follow Us