ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଅଭିନବ ପ୍ରୟାସରେ ପ୍ରଥମ ଥର ପାଇଁ ଗୁଡ଼ହାଣ୍ଡି ପର୍ବତାରୋହୀ ଦଳ ହିମାଳୟ ପର୍ବତର ମାଉଣ୍ଟ ଋଦୁଗେରାକୁ ଚଢ଼ି ଏକ ନୂଆ ରେକର୍ଡ ସୃଷ୍ଟି କରିପାରିଛନ୍ତି। ଅକ୍ଟୋବର ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିରେ ୧୫ ଜଣ ଛାତ୍ର ଏବଂ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ତତ୍ତ୍ୱାବଧାନରେ ଏହି ଦଳ ସଫଳତା ହାସଲ କରି ଅନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ କରିଛି। ଏହି ଦଳକୁ ଦିଲ୍ଲୀରେ ଡିଜି ଏନ୍ସିସି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଭୁବନେଶ୍ବରରେ ଉଚ୍ଚଶିକ୍ଷା ବିଭାଗର ସଚିବ ଏହି ଦଳକୁ ସ୍ବାଗତ କରିଥିଲେ। ଭବାନୀପାଟଣା ଷ୍ଟେସନରେ ପହଞ୍ଚିବା ପରେ କୁଳପତି ପ୍ର. ସଞ୍ଜୟ ଶତପଥୀ, ମେଜର ଡ. ଜୟଦେବ ସାହୁ, ଡକ୍ଟର ମହାନା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍ ଘୁମୁରା ଓ ବ୍ୟାଣ୍ଡ ସହ ସ୍ବାଗତ କରିଥିଲେ। ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ନେବା ପରେ ସେମାନଙ୍କୁ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ସ୍ବାଗତ କରିଥିଲେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ର. ଶତପଥୀ ଓ ସ୍ପୋର୍ଟସ ଡାଇରେକ୍ଟର ଡ. ଘନଶ୍ୟାମ ବେହେରା ଏହି ଦୁଃସାହସିକ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଡ. ଘନଶ୍ୟାମ ବେହେରା, ଡ. ପ୍ରିୟରଞ୍ଜନ ବେହେରା ଓ ଡ. ନଳିନୀକାନ୍ତ ରଣା ସାମିଲ ହୋଇଥିଲେ।
ଫେରିଲେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପର୍ବତାରୋହୀ ଦଳ
Advertisment
Follow Us