ରାସ୍ତା ପାଲଟିଛି କାଦୁଅ : ଦୁଇ ସଦର ମହକୁମାକୁ ଯାତାୟାତ ବିଚ୍ଛିନ୍ନ

ରାସ୍ତା ପାଲଟିଛି କାଦୁଅ : ଦୁଇ ସଦର ମହକୁମାକୁ ଯାତାୟାତ ବିଚ୍ଛିନ୍ନ

କୋଇଡ଼ା:କୋଇଡ଼ା ବ୍ଲକ୍ ସଦରମହକୁମାରୁ ୧୬ କିଲୋମିଟର ଦୂରରେ ରହିଛି ରାଜସ୍ଵ ଗ୍ରାମ ଗଣୁଆଁ। ମାତ୍ର ଗଣୁଆଁ ଗ୍ରାମକୁ ଆଜି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। କେବଳ ଗଣୁଆଁ ନୁହେଁ ମାଲଦା ପଞ୍ଚାୟତର ଜଡ଼ିପଦା, ଗି​ଡ଼େଇ, ଦେଓଘର, ଦଳିତା, ପଟବେଡ଼ା, ମଣ୍ଡଜୋଡ଼ା ଅଞ୍ଚଳ ଓ ପାଟମୁଣ୍ଡା ପଞ୍ଚାୟତର ପାନପୋଷିଆ, ସର୍ଗିଗଡ଼ ଆଦି ଗ୍ରାମକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷାରେ ରାସ୍ତା ଅବସ୍ଥା ଏତେ ଶୋଚନୀୟ ହୋଇ ପଡ଼ିଛି ଯେ ଖାଲି ପାଦରେ ଚାଲି ଯିବା ଦୁଃସାଧ୍ୟ ହୋଇପଡ଼ିଛି। ମୋଟର୍‌ ସାଇକଲ୍‌ରେ ଯିବା ତ ଏକପ୍ରକାର ଅସମ୍ଭବ ବ୍ୟାପାର ପାଲଟିଛି। କାଭାଁ ଆସୁଥିବା ଚାରିଚକିଆ ଗାଡ଼ିର ଚକ କାଦୁଅରେ ବୁଡ଼ି ଯାଉଛି। ହେଲେ ଖଣି ପରିବହନ ଯୋଗୁ ଜୀବନକୁ ବାଜି ଲଗାଇ ପେଟ ପାଇଁ ମାଲ୍‌ବାହୀ ଗାଡ଼ି ଚାଳକମାନେ ଅହରହ ଏହି ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।

ଏହି ୧୬ କିଲୋମିଟର ରାସ୍ତାର ଅନେକ ସ୍ଥାନରେ କର୍ଦ୍ଦମାକ୍ତ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀ, ଛାତ୍ରଛାତ୍ରୀ, କର୍ମଜୀବୀମାନେ ଏହି ରାସ୍ତାରେ ଯାତାୟତବେଳେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଖରାପ ରାସ୍ତା ଯୋଗୁ ଆମ୍ବୁଲାନ୍‌ସ, ଅଗ୍ନିଶମ ଗାଡ଼ି ଆଦି ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। ତେଣୁ ପରୋକ୍ଷଭାବେ ସ୍ବାସ୍ଥ୍ୟ ସେବା ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଆର୍‌ଡି ବିଭାଗ ଅଧୀନସ୍ଥ ଏହି ୧୬ କିଲୋମିଟର ରାସ୍ତାର କେତେକାଂଶରେ ରାସ୍ତାର କୌଣସି ଚିହ୍ନବର୍ଣ୍ଣ ନଥିବା ପରି ଦୃଶ୍ୟମାନ ହେଉଛି। ଖଣିଜ ପଦାର୍ଥ ଭରା କୋଇଡ଼ାରୁ ଆଦାୟ ହେଉଥିବା ରାଜସ୍ବରେ ସାରା ରାଜ୍ୟ ଓ ଦେଶ ପରିପୁଷ୍ଟ ହେଉଥିବାବେଳେ ଏହି ଅଞ୍ଚଳର ବିକାଶର ପଥ ଏତେ ଅସଜଡ଼ା ହୋଇପାରେ ତାହା ବାହାର ଲୋକଙ୍କ କଳ୍ପନାର ବାହାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe