୧୩.୬୩ କୋଟି ଟଙ୍କାରେ ମୁଗୁରାନାଳୀ ପାଇବ ଜୀବନ୍ୟାସ, ଉପକୃତ ହେବେ ମାଳମରିଚପୁର ବାସୀ

Advertisment
୧୩.୬୩ କୋଟି ଟଙ୍କାରେ ମୁଗୁରାନାଳୀ ପାଇବ ଜୀବନ୍ୟାସ, ଉପକୃତ ହେବେ ମାଳମରିଚପୁର ବାସୀ

Sambad

ମାଛଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ମୁଗୁରାନାଳୀର ପୁନରୁଦ୍ଧାର ଓ ଦଳ ସଫେଇ ପାଇଁ ୧୩ କୋଟି ୬୩ ଲକ୍ଷ ମଞ୍ଜୁର କରିବା ସହ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନାରେ ଖାଲଗାଁ ଠାରୁ ୪ କିମି ନୂଆଗାଁ ପର୍ଯ୍ୟନ୍ତ ସଫେଇ କରାଯିବ। ଏହାଦ୍ବାରା ହଜାର ହଜାର ଏକର ଚାଷ ଜମି ଜଳସେଚନ ସୁବିଧା ପାଇପାରିବା ସହ ମାଛ ଧରି ମଧ୍ୟ ବହୁ ଲୋକ ଜୀବିକା ନିର୍ବାହ କରିପାରିବେ। ତେଣୁ ମାଳ ମରିଚପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବତାର ରୂପ ନେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସେଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅଞ୍ଚଳରେ କେନାଲ ସୁବିଧା ନଥିବାରୁ ଚାଷୀମାନେ ହଇରାଣ ହେଉଥିଲେ। ପୂର୍ବରୁ ଏହି ଅଞ୍ଚଳର ଖାଲଗାଁ,ଅପଣ୍ଡରା, ଓଷକଣା,ଅନନ୍ତପୁର, କୁଶୁପୁର, ବରମୁଣ୍ଡଳୀ, ନହରଣା ଓ ମରିଚପୁରକୁ ସଂଯୋଗ କରିଥିବା ମୁଗୁରାନାଳୀର ମଧୁର ପାଣି ସାହାଯ୍ୟରେ ଚାଷୀମାନେ କ୍ଷେତକୁ ଜଳସେଚିତ କରୁଥିଲେ। କାଳକ୍ରମେ ତାହା ଦଳ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଲା। ଏହାର ପୁନରୁଦ୍ଧାର ସହ ଦେବୀନଦୀର ମଧୁର ଜଳକୁ ଉପରିଭାଗରୁ ମୁଗୁରାନାଳୀକୁ ପ୍ରବେଶ କରାଇବା ପାଇଁ ଅଞ୍ଚଳବାସୀ ବିଧାୟକ, ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କାର୍ଯ୍ୟକାଳ ସମୟରେ ୩ କୋଟି ୨୦ ଲକ୍ଷ ଟଙ୍କା ବିନିମୟରେ ମୁଗୁରାନାଳୀର ଉପରି ଭାଗ ଅର୍ଥାତ ବେଲପୁର ଠାରେ ଏକ ଚେକ ଡ୍ୟାମ ନିର୍ମାଣ କରାଯାଇଥିଲା। ଗତ ୩ ବର୍ଷ ଭିତରେ ତାହା ଦଳ ଓ ପଙ୍କ ଭର୍ତ୍ତି ହୋଇ ପଡ଼ିଥିଲା। ଏହାର ପୁନରୁଦ୍ଧାର ପାଇଁ ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାର ପୁନରୁଦ୍ଧାର ପାଇଁ ମନ୍ତ୍ରୀ ରଘୁନନ୍ଦନ ଦାଶ ଏକ ବଡ଼ ନିଷ୍ପତ୍ତି ନେବା ସହ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ପ୍ରକଳ୍ପର ପୁନରୁଦ୍ଧାର ନିମନ୍ତେ ପରାମର୍ଶ ଦେଇଥିଲେ। ତେବେ ନାଳୀର ପୁନରୁଦ୍ଧାର ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅବସରପ୍ରାପ୍ତ ଅଧ୍ୟାପକ ନଟବର ନାୟକଙ୍କ ଦେହାନ୍ତ ହୋଇ ସାରିଛି। ଅନ୍ୟ ଜଣେ ଅବସରପ୍ରାପ୍ତ ଅବକାରୀ ବିଭାଗ କର୍ମଚାରୀ ବନ୍ଧୁ ନାୟକ ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ମୁଗୁରାନାଳୀ ପାଣିକୁ ସମୁଦ୍ର ମଧ୍ୟକୁ ପ୍ରବେଶ କରାଇ ନଦେବା ପାଇଁ ବିଭିନ୍ନ ସ୍ଥାନରେ ୫ ଟି ସ୍ଲୁଇସ୍‌ ଗେଟ ନିର୍ମାଣ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe