ରାୟଗଡା ପୌର ପରିଷଦ ମୁକ୍ତା ଯୋଜନାରେ ଖର୍ଚ୍ଚ କଲା ୪୬୬ ଲକ୍ଷ, ଚୋରି ହୋଇଗଲା ଜଳ ଅମଳ ପ୍ରକଳ୍ପ

Advertisment

କେବଳ କାନ୍ଥରେ ଲେଖାଥିବା ନାମ ଫଳକ ରହିଛି, ୨୦୨୩-୨୪ରେ ପୁଣି ୯୮ଟି ପ୍ରକଳ୍ପ ପାଇଁ ୮୪୬ ଲକ୍ଷ ଖର୍ଚ୍ଚ ହେବ

କେବଳ କାନ୍ଥରେ ଲେଖାଥିବା ନାମ ଫଳକ ରହିଛି, ୨୦୨୩-୨୪ରେ ପୁଣି ୯୮ଟି ପ୍ରକଳ୍ପ ପାଇଁ ୮୪୬ ଲକ୍ଷ ଖର୍ଚ୍ଚ ହେବ

ରାୟଗଡା ପୌର ପରିଷଦ ମୁକ୍ତା ଯୋଜନାରେ ଖର୍ଚ୍ଚ କଲା ୪୬୬ ଲକ୍ଷ, ଚୋରି ହୋଇଗଲା ଜଳ ଅମଳ ପ୍ରକଳ୍ପ

Sambad

ରାୟଗଡା: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ। କରୋନାରେ ଶ୍ରମିକ ମାନଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକ ମାନେ ଘର ବାହୁଡା ହେଲେ।ତେବେ ଏଠାରେ ମଧ୍ୟ କାମ ନମିଳିବାରୁ ଲୋକେ ଅତି ଦୟନୀୟ ଭାବେ ରହୁଥିଲେ। ତେବେ ସରକାରଙ୍କର ଏହି ଯୋଜନାରେ ଲୋକେ ଉପକୃତ ହେବେ ବୋଲି ଯେଉଁ ଆଶା କରାଯାଇଥିଲା। ତାହା ସଫଳ ହୋଇ ନଥିବା ଦେଖିବାକୁ ମିଳିଛି।

ମୁକ୍ତା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କର ଏହି ଯୋଜନାରେ ରାୟଗଡା ପୌର ପରିଷଦ ଅଧିନରେ ଗତ ୨୦୨୨-୨୩ ମସିହାରେ ୪ କୋଟି ୬୬ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିଲା। ତେବ ପୌର ପରିଷଦ ତରଫରୁ ୨୦୨୨-୨୩ ବର୍ଷରେ ୯୦ଟି ମିନି ପାର୍କ ନିର୍ମାଣ କରାଯାଇଥିବା ବେଳେ ଜଳ ଅମଳ ପ୍ରକଳ୍ପ ୯୦ଟି, ଭେଣ୍ଡିଂ ଜୋନ ୫ଟି, ୱାକିଂ ଟ୍ରାକ ୮ଟି, କାନ୍ଥରେ ଚିତ୍ରକଳା, ଖେଳ ପଡିଆ ଉନ୍ନତିକରଣ, ଲୁ ବା ଶୌଚାଳୟ ୧୦ଟି, ଖୋଲା ଜିମ ୧୦ଟି ନିର୍ମାଣ କରାଯାଇଛି। ଏହି ଯୋଜନାରେ ନିର୍ମାଣ ହୋଇଥିବା ଜଳ ଅମଳ ପ୍ରକଳ୍ପ ଚୋରି ହୋଇ ଯାଇଥିବା ଜଣାପଡିଛି। କାରଣ ଏହି ପ୍ରକଳ୍ପ ଗୁଡିକର ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ କାନ୍ଥରେ ନାମ ଫଳକଗୁଡିକ ପଡି ରହିଛି। ସିମେଣ୍ଟରେ ଟି-ବୋର୍ଡ କରିବା କଥା ଏହା ନକରି ଏହି ଟଙ୍କାକୁ ବି ଚଳୁ କରାଯାଇଛି।

ବିଭାଗୀୟ ଅଧିକାରୀ ମାନେ ଅତି ତରବରିଆ ଭାବେ ମନଇଛା ଯେଉଁଠି ପାରିଲେ ସେଇଠି ଏହି ପ୍ରକଳ୍ପକୁ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ମଧ୍ୟ ଏହି ଜଳ ଅମଳ ପ୍ରକଳ୍ପ ରହିଛି। କିନ୍ତୁ ତାହାର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ। ଜିଲ୍ଲାପାଳଙ୍କ ନାକ ତଳେ ଏହି ପ୍ରକଳ୍ପ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଟେର ପାଇ ପାରି ନାହାନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି କୁହାଯାଇଛି। ଅନ୍ୟ କାମ ଗୁଡିକର ଅବସ୍ଥା ନକହିବା ଭଲ। ଅତି ନିମ୍ନମାନର କାମ କରି ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଜଳ ଜଳ ଦିଶୁଛି। ଏବେ ବି କାମ ନମିଳିବାରୁ ଶ୍ରମିକ ମାନେ ଦାଦନ ଖଟିବାକୁ ପ୍ରତିଦିନ ବାହାର ରାଜ୍ୟକୁ ଯାଉଛନ୍ତି। ତାହାରର ହିସାବ ନାମ ପ୍ରଶାସନ ପାଖରେ ନା ଶ୍ରମ ବିଭାଗ ନିକଟରେ ରହିଛି। ସେହିପରି ଚଳିତ ୨୦୨୩-୨୪ ବର୍ଷ ପାଇଁ ମଧ୍ୟ ମୁକ୍ତା ଯୋଜନାରେ ପୌର ପରିଷଦର ୨୪ଟି ଵାର୍ଡରେ ୯୮ଟି ପ୍ରକଳ୍ପ ବାବଦକୁ ୮୪୬ ଲକ୍ଷ ଟଂକା ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଲାଣି।ସେଗୁଡିକ ମଧ୍ୟରୁ ୩ଟି ଶିଶୁ କ୍ରିଡା ଉଦ୍ୟାନ ପାଇଁ ୨୫ ଲକ୍ଷ ଟଙ୍କା, ସହରର ସୌନ୍ଦର୍ଯ୍ୟକରଣର ୧୨ଟି ପ୍ରକଳ୍ପ ପାଇଁ ୩୫ ଲକ୍ଷ ଟଙ୍କା, ଗୋଟିଏ ଡ୍ରେନ ପାଇଁ ୬ ଲକ୍ଷ ଟଙ୍କା, ୨୦ଟି ପରିଶ୍ରାଗାର ପାଇଁ ୧୧୦ ଲକ୍ଷ ଟଙ୍କା, ୧୪ଟି ପାର୍କ ପାଇଁ ୧୮୬ ଲକ୍ଷ ଟଙ୍କା, ୮ଟି କମ୍ୟୁନିଟି ସେଣ୍ଟର ପାଇଁ ୫୯ ଲକ୍ଷ ଟଙ୍କା, ୧୧ଟି ୱାକିଂ ଟ୍ରାକ ୧୫୮ ଲକ୍ଷ ଟଙ୍କା, ଗୋଟିଏ ସ୍ଥାନରେ ୧ ଲକ୍ଷ ଟଙ୍କାର ବୃକ୍ଷରୋପଣ କରାଯିବ।

publive-image Sambad

ସେହିପରି ଗୋଟିଏ ଖେଳପଡିଆ ପାଇଁ ୧୪ ଲକ୍ଷ ଟଙ୍କା, ୧୨ଟି ପବ୍ଲିକ ଜିମ ପାଇଁ ୧୦୪ ଲକ୍ଷ ଟଙ୍କା, ୫ଟି ଭେଣ୍ଡିଂ ଜୋନ ପାଇଁ ୫୮ ଲକ୍ଷ ଟଙ୍କା, ୧୦ଟି ଖୋଲା ସ୍ଥାନ ଉନ୍ନତିକରଣ ପାଇଁ ୮୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ତେବେ ୧ ନମ୍ବର ୱାର୍ଡରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୨.୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିବା ବେଳେ ୨ ନମ୍ବର ୱାର୍ଡରେ ୯.୩୬ ଲକ୍ଷ, ୩ ନମ୍ବର ୱାର୍ଡରେ ୪୫.୪୦ ଲକ୍ଷ, ୪ ନମ୍ବର ୱାର୍ଡରେ ୩୨.୧୦ ଲକ୍ଷ, ୫ ନମ୍ବର ୱାର୍ଡରେ ୧୧.୮୦ ଲକ୍ଷ, ୬ ନମ୍ବର ୱାର୍ଡରେ ୪୯.୯୦ ଲକ୍ଷ, ୭ ନମ୍ବର ୱାର୍ଡରେ ୧୭.୨୦ ଲକ୍ଷ, ୮ ନମ୍ବର ୱାର୍ଡରେ ୪୧.୧୦ ଲକ୍ଷ, ୯ ନମ୍ବର ୱାର୍ଡରେ ୪୧.୬୦ ଲକ୍ଷ, ୧୦ ନମ୍ବର ୱାର୍ଡରେ ୨୩.୧୦ ଲକ୍ଷ, ୧୧ ନମ୍ବର ୱାର୍ଡରେ ୧୬.୩୬ ଲକ୍ଷ, ୧୨ ନମ୍ବର ୱାର୍ଡରେ ୨୨.୩୦ ଲକ୍ଷ, ୧୩ ନମ୍ବର ୱାର୍ଡରେ ୭.୬୦ ଲକ୍ଷ, ୧୪ ନମ୍ବର ୱାର୍ଡରେ ୨୬ ଲକ୍ଷ, ୧୫ ନମ୍ବର ୱାର୍ଡରେ ୫୦.୮୦ ଲକ୍ଷ, ୧୬ ନମ୍ବର ୱାର୍ଡରେ ୫୩.୧୦ ଲକ୍ଷ, ୧୭ ନମ୍ବର ୱାର୍ଡରେ ୨୦.୧୦ ଲକ୍ଷ, ୧୮ ନମ୍ବର ୱାର୍ଡରେ ୫୯.୭୦ ଲକ୍ଷ, ୧୯ ନମ୍ବର ୱାର୍ଡରେ ୮୫.୩୦ ଲକ୍ଷ, ୨୦ ନମ୍ବର ୱାର୍ଡରେ ୪୮.୪୦ ଲକ୍ଷ, ୨୧ ନମ୍ବର ୱାର୍ଡରେ ୨୩.୨୦ ଲକ୍ଷ, ୨୩ ନମ୍ବର ୱାର୍ଡରେ ୭୪.୭୦ ଲକ୍ଷ ଏବଂ ୨୪ ନମ୍ବର ୱାର୍ଡରେ ୩୪.୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe