ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଝୁନା ଭୋଇଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ରାୟ ସଂରକ୍ଷିତ ରଖିଛନ୍ତି। କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ଚାନ୍ଦବାଲି ପୁଲିସ ୬୩/୨୨ରେ ପ୍ରଥମେ ତଦନ୍ତ ଭାର ନେଇଥିଲେ ବି ପରେ ମାମଲାର ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଗତ ମାର୍ଚ୍ଚ ୨୩ ତାରିଖରେ ମାମଲା ହସ୍ତାନ୍ତର କରିଥିଲେ। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ସମ୍ପୂର୍ଣ୍ଣା ୱେବ୍ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯିବା ପରେ ତାଙ୍କ ବୟାନ ଆଧାରରେ ସହଯୋଗୀ ଝୁନା ଭୋଇଙ୍କ ସମେତ କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ, ରଂଜନ କୁମାର ନାୟକଙ୍କୁ ମଧ୍ୟ ଗିରଫ କରିଥିଲା। ଇତିମଧ୍ୟରେ ମାମଲାରେ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି। ଚଳିତ ମାସ ୮ ତାରିଖରେ ମାମଲାଟି ବିଚାର ପାଇଁ ଜିଲ୍ଲା ଜଜ୍ କୋର୍ଟକୁ ସ୍ଥାନାନ୍ତର ହେବା ସହ ଚାର୍ଜଫ୍ରେମ ପାଇଁ ଅକ୍ଟୋବର ୧୦ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି।
ସେପଟେ ଅନ୍ୟତମ ଅଭିଯୁକ୍ତ ପରମେଶ୍ବର ରାଉତ ବିଏଲଏପିଏଲ ୪୭୮୯/୨୨ ମୂଳେ ଜାମିନରେ ମୁକୁଳି ସାରିଛନ୍ତି। ଗତ ୮ ତାରିଖରେ ଝୁନା ମଧ୍ୟ ଜାମିନ ଆବେଦନ କରିଥିଲେ। ଆଜି ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କୋର୍ଟରେ ଉକ୍ତ ଆବେଦନର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ମାନସ ହତ୍ୟାକାଣ୍ଡରେ ଝୁନା ଭୋଇଙ୍କର କୌଣସି ସଂପୃକ୍ତି ନ ଥିବା ଓ ପୁଲିସ ଆଗରେ ସ୍ବୀକାର କରିଥିବା ଦୋଷ ଆଇନ ଅନୁଯାୟୀ ଗ୍ରହଣୀୟ ନଥିବା ନେଇ ତଥ୍ୟ ଉପସ୍ଥାପନ କରି ତାଙ୍କୁ ଜାମିନ ପ୍ରଦାନ ପାଇଁ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। କ୍ରାଇମବ୍ରାଞ୍ଚ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାନସଙ୍କ କ୍ୟାମେରା ଓ ମୋବାଇଲ ଚିପ୍ ଝୁନା ପାଖରୁ ଜବତ ହୋଇଥିବାରୁ ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ଥିବା ଦର୍ଶାଇ ଜାମିନ ଖାରଜ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଜିଲ୍ଲା ଜଜ୍ ଶ୍ରୀ ନାୟକ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।
Follow Us