Sambad
ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ରାଜଗଡ ପଞ୍ଚାୟତ ପଡାଗୟାସପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ଓ ମାଡପିଟ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି।ଆହତଙ୍କ ମଧ୍ୟରୁ ମଙ୍ଗୁଳି ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଖବର ନେବାରେ ଜଣାପଡିଛି ଏହି ଗ୍ରାମର ପଣ୍ଡା ସାହିରେ ବସବାସ କରୁଥିବା ବ୍ରାହ୍ମଣ ସଂପ୍ରଦାୟର ବ୍ୟକ୍ତି ମାନଙ୍କର ଇଷ୍ଟଦେବ ଭାବେ ଜଣାଶୁଣା ରାଧାଗୋବିନ୍ଦଙ୍କର ମନ୍ଦିର ରହିଛି। ଏହି ମନ୍ଦିରକୁ ଲାଗି କିଛି ଖାଲି ଜମି ରହିଛି। ବ୍ରାହ୍ମଣ ସଂପ୍ରଦାୟର ସୁରେନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଉକ୍ତ ଜାଗାକୁ ନିଜର ବୋଲି ଦାବି କରି ଏହା ଉପରେ ଚଳି ଆସୁଥିଲେ। ଯାହାକୁ ନେଇ ସାହିର ଅନ୍ୟାନ୍ୟ ବ୍ରାହ୍ମଣ ପରିବାରଙ୍କ ସହିତ ମତଭେଦ ରହିଥିଲା। ଏନେଇ ପୂର୍ବରୁ ସ୍ଥାନୀୟ ଥାନାରେ ଅନେକଥର ଅଭିଯୋଗ ଓ ପ୍ରତି ଅଭିଯୋଗ ହୋଇଥିବା ବେଳେ କୈାଣସି ନିଷ୍କର୍ସ ବାହାରି ପାରିନଥିଲା।
ଆଜି ଏହି ଘଟଣାକୁ ନେଇ ପୁଣି ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୁରେନ୍ଦ୍ର ପଣ୍ଡାଙ୍କ ପରିବାର ସହିତ କାଳନ୍ଦି ପଣ୍ଡା ଓ ମଙ୍ଗୁଳି ପଣ୍ଡାଙ୍କର ପାଟିତୁଣ୍ଡ ଆରମ୍ଭ ହୋଇ ଶେଷରେ ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା। ାଉଭୟପକ୍ଷଙ୍କ ମଧ୍ୟରେ ବାଡିଆପିଟା ଲାଗିବାରୁ ଘଟଣାସ୍ଥଳରେ ଦିଲ୍ଲୀପ ପଣ୍ଡା (୬୨) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଗଣ୍ଡଗୋଳରେ ସୁରେନ୍ଦ୍ର ପଣ୍ଡା, ସୁମନ୍ତ ପଣ୍ଡା, ସୁଶାନ୍ତ ପଣ୍ଡା, ବିଶ୍ୱଜିତ କର ଓ ମଙ୍ଗୁଳି ପଣ୍ଡା ପ୍ରମୁଖ ଆହତ ହୋଇଛନ୍ତି। ମଙ୍ଗୁଳି ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାହିରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସେଠାରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀପ ପଣ୍ଡାଙ୍କ ମୃତଦେହ ବ୍ୟବଛେଦ ନିମନ୍ତେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।
Follow Us