ମହିଳାଙ୍କୁ ଗଳାକାଟି ହତ୍ୟା: ରହସ୍ୟ ଉପରୁ କେବେ ହଟିବ ପର୍ଦ୍ଦା?

Advertisment
ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ମହାକାଳପଡା: ମହାକାଳପଡ଼ା ଜମ୍ବୁ ପଞ୍ଚାୟତରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ତାଙ୍କର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ ବର୍ଷ ଜୁନ୍‌ ମାସରେ ଘଟିଥିବା ଏହି ବିଭତ୍ସ ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟିବା ତ ଦୂରର କଥା ଏଯାଏ ମୃତା ମହିଳାଙ୍କ ପରିଚୟ ବି ମିଳି ପାରିଲାନାହିଁ। ପୁଲିସ ମାମଲା କରି ତଦନ୍ତ ଚଳାଇଥିବା ବେଳେ କୌଣସି ସୁରାକ୍ ହାତରେ ଲାଗୁନାହିଁ। ସୂଚନା ଅନୁସାରେ, ସେଦିନ ଥିଲା ୨୦୨୧ ମସିହା, ଜୁନ୍‌ ୨୫ ତାରିଖ। ଏହିଦିନ ରାତିରେ ଜମ୍ବୁ ପଞ୍ଚାୟତର କଣ୍ତରାପାଟିଆ ଘେରିବନ୍ଧ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କୁ ଗଳାକାଟି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଘଟଣାସ୍ଥଳଠାରୁ କିଛି ଦୂରରେ ତାଙ୍କର ୩ବର୍ଷର ଶିଶୁପୁତ୍ର ଆକ୍ରମଣର ଶିକାର ହୋଇ ଅଚେତ ଅବସ୍ଥାରେ ପଡିଥିଲା। ତାକୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁପୁତ୍ର ସୁସ୍ଥ ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତତ୍ବାବଧାନରେ ଅନାଥାଶ୍ରମ ଗୃହରେ ରହୁଛି। ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଯାଇଛି। ହେଲେ, ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ହଟିନାହିଁ କି ମହିଳାଙ୍କ ପରିଚୟ ବି ମିଳିପାରିନାହିଁ। ଅନ୍ୟପଟେ ଜମ୍ବୁ ସାମୁଦ୍ରିକ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ହତ୍ୟାର କିଛି ଦିନ ପରେ ପୁଲିସ ପକ୍ଷରୁ ତାଙ୍କର ଫଟୋଚିତ୍ରକୁ ପୋଷ୍ଟର ଓ ବ୍ୟାନର ଆକାରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଯିଏ ପରିଚୟ ଦେବ ତାଙ୍କୁ ପୁରସ୍କାର ମିଳିବ ବୋଲି ପୁଲିସ ଘୋଷଣା କରିଥିଲା। ତାହା ବି ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇ ପାରିନାହିଁ। ମହିଳା ଜଣଙ୍କ ସ୍ଥାନୀୟ ଅଂଚଳର ହୋଇଥିଲେ ହୁଏତ ପୋଷ୍ଟରରୁ ତାଙ୍କର ଫଟୋଚିତ୍ର ଦେଖି ତାଙ୍କୁ କେହିବି ଚିହ୍ନିବାରେ ସମର୍ଥ ହୋଇ ପାରିଥାନ୍ତେ। ଫଳରେ ଏହି ହତ୍ୟା ରହସ୍ୟ ସମ୍ପର୍କରେ କୈାଣସି ସୁରାକ୍‌ ମିଳି ପାରିଥା’ନ୍ତା। ଅପରପକ୍ଷେ ଦେଖିବାକୁ ଗଲେ ବାହାର ଅଂଚଳରୁ ଜଣେ ମହିଳାଙ୍କୁ ସୁଚିନ୍ତିତ ଭାବେ ଅଣାଯାଇ କଣ୍ତରାପାଟିଆ ଭଳି ଏକ ଉପାନ୍ତ ଓ ନିକା‌ଞ୍ଚନ ସ୍ଥାନରେ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଗଳାକାଟି ହତ୍ୟା କଲା ତାହା ମଧ୍ୟ ବୁଝା ପଡୁନାହିଁ। ପ୍ରାଥମିକ ତଦନ୍ତ ସମୟରେ ଘଟଣାସ୍ଥଳଠାରୁ ପ୍ରାୟ ୭ କିଲୋମିଟର ଦୂର ବେଣାକନ୍ଧା ବଜାରଠାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହଳଦିଆ ଶାଢୀ ପିନ୍ଧି ଏକ ବାଇକ୍‌ରେ ଦୁଇ ଜଣ ବ୍ୟକ୍ତିଙ୍କ ସହିତ ଶିଶୁପୁତ୍ରକୁ ଧରି ଜମ୍ବୁ ଆଡକୁ ଯାଉଥିବାର ଦୃଶ୍ୟ କଏଦ ହୋଇଥିଲା। ତେବେ ଏହି ଫୁଟେଜ୍‌ରୁ ବି ହତ୍ୟାକାରୀଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିନଥିଲା। ବାଇକ୍‌ର ନମ୍ବର ବି ଦୃଶ୍ୟମାନ ହୋଇନ ଥିଲା। ପୁଲିସ ହତ୍ୟାକାଣ୍ତର ତଦନ୍ତ ଚଳାଇଥିଲେ ମଧ୍ୟ କେବେ ଏହାର ପର୍ଦ୍ଦାଫାଶ ହେବ ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe