ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ କିସିଣ୍ତା ଥାନା କିସିଣ୍ତା ଗ୍ରାମରେ ଗୁରୁବାର ଅପରାହ୍ଣରେ ଏକ ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତା ଦ୍ବୟ ହେଲେ ଗ୍ରାମର କିଶୋର ପଟେଲଙ୍କ ସାନ ଝିଅ ଉତ୍କଳିକା ପଟେଲ୍ (୧୫) ଓ ପତ୍ନୀ ସୁଜାତା ପଟେଲ୍ (୪୦)। ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଶ୍ରୀ ପଟେଲ୍, ବଡ଼ ଝିଅ ରୋଜି, ଶାଶୂ ଓ ଶ୍ବଶୁରଙ୍କ ସହ ଗତ ଶନିବାର ଏକ ବାହାଘରରେ ଯୋଗ ଦେବା ପାଇଁ କୁଚିଣ୍ତା ଯାଇଥିଲେ। ଗୁରୁବାର ଅପରହ୍ଣ ପ୍ରାୟ ସାଢେ ୧ଟା ବେଳେ ସମସ୍ତେ ଗାଁରେ ପହଞ୍ଚିଥିଲେ। ଗାଁରେ ପହଞ୍ଚି କିଶୋର ଘରକୁ ଯିବା ବେଳେ ଘରର କବାଟ ଖୋଲା ରହିଥିବା ଦେଖିଥିଲେ। ଘର ବାରଣ୍ତାରେ ସାନ ଝିଅ ଉତ୍କଳିକା ଏବଂ ସ୍ତ୍ରୀ ସୁଜାତାଙ୍କ ଶବ ଖଟିଆରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ସଙ୍ଗେ ସଙ୍ଗେ କିସିଣ୍ତା ଥାନାକୁ ସୂଚନା ଦେଇଥିଲେ। ଥାନା ଏସଆଇ ରାମେଶ୍ବର ସିଂହ, ଏଏସ୍ଆଇ କଷ୍ଟୁ ବେହେରା, ରେଢାଖୋଲ ଏସ୍ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ଏକ ହତ୍ୟାକାଣ୍ତ ବୋଲି କିଶୋର ଏବଂ ଗ୍ରାମବାସୀ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ଠୋସ୍ ସୂଚନା ମିଳିପାରି ନାହିଁ। ସନ୍ଧାନୀ କୁକୁର ଅଣାଯାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଶୁକ୍ରବାର ସକାଳେ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ସ୍ବାଇଁ କହିଛନ୍ତି।
Follow Us