କବାଟ ବନ୍ଦ ଘରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆସନ୍ତାକାଲି ଖୋଲାଯିବ ତାଲା

Advertisment
କବାଟ ବନ୍ଦ ଘରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆସନ୍ତାକାଲି ଖୋଲାଯିବ ତାଲା

ସମ୍ବଲପୁର: ଟାଉନ୍‌ ଥାନା ମୁଦିପଡ଼ା ନିକଟସ୍ଥ ସ୍ପର୍ଶ ନର୍ସିଂହୋମ୍‌ ସମ୍ମୁଖ ବସ୍ତିର ଏକ ଘରୁ ଗୁରୁବାର ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଘର ବାହାରୁ ତାଲା ଝୁଲାଯାଇଥିବା ବେଳେ ଭିତରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଘରେ ରହୁଥିବା ଲୋକଙ୍କୁ ମଧ୍ୟ ୨ ଦିନ ହେବ ଆଖପାଖ ଲୋକେ ଦେଖିନାହାନ୍ତି। ଏଭଳି ସ୍ଥିତିରେ ଘର ଭିତରେ କିଛି ଅଘଟଣ ଘଟିବା ପରେ ତାଲା ପକାଇ କେହି ଚାଲିଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘର ଭିତରେ ଶବ ପଡ଼ି ପଚିବା ପରେ ଉକ୍ତ ଦୁର୍ଗନ୍ଧ ବାହାରୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନା ପାଇ ଆଜି ସନ୍ଧ୍ୟାରେ ଟାଉନ୍‌ ଥାନା ପୁଲିସ୍‌ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା। ଉକ୍ତ ଘର ସମ୍ମୁଖରେ ଝୁଲୁଥିବା ପରଦା ଉଠାଯିବାରୁ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ିଥିଲା ଓ ଭିତରୁ ଭଣ ଭଣ ହୋଇ ମାଛି ବାହାରିଥିଲେ। ତେବେ ଘର ମାଲିକ ସେଠାରେ ରହୁ ନଥିବାରୁ ତାଙ୍କୁ ପୁଲିସ୍‌ ଡକାଇଛି। ଶୁକ୍ରବାର ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ଉକ୍ତ ଘରର ତାଲା ଭଙ୍ଗାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ କହିଛି।

ଅଞ୍ଚଳବାସୀଙ୍କ କହିବାନୁସାରେ ଗତ ୨୦ ଦିନ ହେବ ଶ୍ରମିକ ଭାବେ କାମ କରୁଥିବା ଏକ ଦମ୍ପତି ଓ ସେମାନଙ୍କର ୪ ବର୍ଷର ଶିଶୁ ଉକ୍ତ ଘରେ ଆସି ରହୁଥିଲେ। ସେମାନେ କାହା ସହ ମିଳାମିଶା କରୁନଥିବାରୁ ସେମାନେ କିଏ ଥିଲେ ଓ କେଉଁଠୁ ଆସିଥିଲେ ତାହା ମଧ୍ୟ କେହି ଜାଣି ନାହାନ୍ତି। ସକାଳୁ ଉଭୟ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଛୁଆକୁ ନେଇ କାମ କରିବାକୁ ଯାଆନ୍ତି ଓ ସଞ୍ଜ ହେଲେ ଫେରି କବାଟ ବନ୍ଦ କରି ଘରେ ରହନ୍ତି। ଗତ ମଙ୍ଗଳବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା କିନ୍ତୁ କିଛି ସମୟରେ ପରେ ସବୁକିଛି ଶାନ୍ତ ପଡ଼ିଥିଲା। ସକାଳୁ ଉକ୍ତ ଘର ସମ୍ମୁଖରେ ତାଲା ଝୁଲୁଥିଲା ସମୟରେ ଆଉ କେହି ଘରକୁ ଯିବା ଆସିବା କରିଥିବା ଅଞ୍ଚଳବାସୀ ଦେଖିନାହାନ୍ତି। ସେପଟେ, କିଛି ଲୋକଙ୍କ କହିବାନୁସାରେ ଘଟଣା ଦିନ ବିଳମ୍ବିତ ରାତିରେ ଉକ୍ତ ଘର ଭିତରୁ ଯୁବକଜଣଙ୍କ ବାହାରି କେଉଁଆଡ଼େ ଚାଲିଯାଇଥିଲେ। ତେବେ କବାଟ ଭାଙ୍ଗିବା ପରେ ପ୍ରକୃତ ତଥ୍ୟ ଆସିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe