ଟ୍ରଲ୍‌ର ମାଲିକଙ୍କୁ ହତ୍ୟା ଘଟଣାରୁ ହଟିଲା ପର୍ଦ୍ଦା, ମାଷ୍ଟରମାଇଣ୍ଡ ଜାପାନୀ ଓ ବିଶୁ ଗିରଫ

ହତ୍ୟା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ଡିଲ୍‌

ଟ୍ରଲ୍‌ର ମାଲିକଙ୍କୁ ହତ୍ୟା ଘଟଣାରୁ ହଟିଲା ପର୍ଦ୍ଦା, ମାଷ୍ଟରମାଇଣ୍ଡ ଜାପାନୀ ଓ ବିଶୁ ଗିରଫ

ବାଲେଶ୍ବର : ବଳରାମଗଡ଼ି ଥାନା ନାଉପାଳଗଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନ ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟିଛି। କୁଖ୍ୟାତ ଅପରାଧୀ ତଥା ମାଷ୍ଟର ମାଇଣ୍ଡ ଟାଉନ୍‌ ଥାନା ଦରଘା ପଡ଼ିଆ ଅଞ୍ଚଳର ସେକ୍‌ ଜାପାନ ଓରଫ ଜାପାନୀ ଓରଫ ଇମ୍‌ରାନ୍‌(୩୫) ଏବଂ ସଦର ଥାନା କେଶରପୁର ଅଞ୍ଚଳର ବିଶ୍ବନାଥ ପରିଡ଼ା ଓରଫ ବିଶୁ ଓରଫ କଟିଛୁଆ (୩୬)କୁ ପୁଲିସ ଗିରଫ କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇଛି। ଥାନାରେ ଉଭୟଙ୍କୁ ମାରାଥନ ଜେରା ବେଳେ ଜଣାପଡ଼ିଛି ସତ। କେଶରପୁର ଅଞ୍ଚଳରେ ଇଲେକ୍ଟ୍ରି ତାରଟଣାକୁ ନେଇ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଆଉ ହତ୍ୟା ପାଇଁ ବିଶୁ ଜାପାନୀ ସହ ଅଢ଼େଇ ଲକ୍ଷ ଟଙ୍କାର ଡିଲ୍‌ କରିଥିଲା । ପୁଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି, ୩୨ହଜାର ଟଙ୍କା ଏବଂ ୩ଟି ମୋବାଇଲ୍‌ ଜବତ କରିଛି। ଉଭୟଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ପୁଲିସ ଘଟଣାରେ ୧୨ଜଣଙ୍କୁ ଗିରଫ କରିଥିବା ବେଳେ ଆଜିକୁ ମିଶାଇ ମୋଟ ୧୪ଜଣ ଘଟଣାରେ ଗିରଫ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ଗତ ମାର୍ଚ୍ଚ ୧୫ ଅପରାହ୍ନ ୪ଟାରେ ବିଜୟ ନାଉପାଳଗଡ଼ିରେ ଟ୍ରଲରୁ ମାଛ ଅନ୍‌ଲୋଡ୍‌ କରୁଥିବା ବେଳେ କେତେକ ଯୁବକ ମୁଖାପିନ୍ଧି ସେଠାରେ ପହଞ୍ଚି ତାଙ୍କୁ ଗୁଳିକରି ହତ୍ୟା କରିବା ସହ ଫେରାର୍‌ ହୋଇ ଯାଇଥିଲେ ।

ସୁପାରୀ ‌ଦେଇଥିଲା ବିଶୁ
ଗତ ଜାନୁଆରି ୨୦ ତାରିଖରେ କେଶରପୁର ଅଞ୍ଚଳରେ ବିଦ୍ୟୁତ୍ ତାର ସଂଯୋଗକୁ ନେଇ ବିଜୟଙ୍କ ଭଣଜା ଶତ୍ରୁଜିତ ପ୍ରଧାନଙ୍କ ସହ ବିଶୁର ପାଟିତୁଣ୍ଡ ହୋଇଥିଲା। ସାମାନ୍ୟ ତାରଟଣାକୁ ନେଇ କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା। ବିଶୁ ଗୋଷ୍ଠୀର ଯୁବକଙ୍କ ଆକ୍ରମଣ ଯୋଗୁଁ ଶତ୍ରୁଜିତ୍‌, ସାନଭାଇ ବିଶ୍ବଜିତ୍‌ ଏବଂ ବାପା ଉତ୍ତମ ପ୍ରଧାନ ଆହତ ହୋଇଥିଲେ। ଘଟଣାରେ ସଦର ଥାନା ପୁଲିସ ସିକୁନ୍‌ ମାଝି ଓ ଗୋପାଳ ଦଳେଇକୁ ଗିରଫ କରିଥିଲା। ହେଲେ ବିଜୟଙ୍କ ଚାପ ଯୋଗୁଁ ଅଭିଯୁକ୍ତ ଗିରଫ ହୋଇଥିବାରୁ ସେ ବିବାଦ ଘେରକୁ ଆସିଥିଲେ। ଆଉ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଶୁ ଯୋଜନା କରିଥିଲା। ଏଥିପାଇଁ ସେ ଜାପାନୀର ସହାୟତା ନେଇଥିଲା। ବିଜୟଙ୍କୁ ହତ୍ୟା କରିବାକୁ ଅଢ଼େଇ ଲକ୍ଷ ଟଙ୍କା ଦେବ ବ‌ୋଲି କହିଥିଲା। ଏହାଛଡ଼ା ଯଦି କେହି ଧରାପଡ଼ନ୍ତି ସମସ୍ତଙ୍କ ଜାମିନ ମଧ୍ୟ ସେ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଆଉ ଅଗ୍ରୀମ ଆକାରରେ ଜାପାନୀକୁ ୪୨ ହଜାର ଟଙ୍କା ଦେଇଥିଲା ବିଶୁ ।

୪ ରାଉଣ୍ଡ ଗୁଳି କରିଥିଲା ଜାପାନୀ
ହତ୍ୟାକାଣ୍ଡ ପୂର୍ବରୁ ଜାପାନୀ ଘଟଣାର ନକ୍ସା ପ୍ରସ୍ତୁତ କରିଥିଲା। କିଏ ଗୁଳିକରିବ‌, କିଏ ଖଣ୍ଡାରେ ହାଣିବ ଏବଂ ହତ୍ୟା କରିବା ପରେ କିଏ କେଉଁ ଆଡ଼େ ଯିବେ ସେ ନେଇ ଜାପାନୀ ପ୍ରସ୍ତୁତ କରିଥିଲା ଯୋଜନା। ହତ୍ୟାକାଣ୍ଡ ଦିନ ନିଜେ ଜାପାନୀ ବିଜୟଙ୍କୁ ୪ ରାଉଣ୍ଡ ଗୁଳି କରିଥିଲା। ହତ୍ୟାକାଣ୍ଡ ପରେ ସମସ୍ତେ ନିଜ ନିଜ ବାଟରେ ଫେରି ଯାଇଥିଲେ। ଆଉ ଜାପାନୀ ଓ ବିଶୁ କୋରାପୁଟର ଜଣେ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିଲା। ଯାହାଙ୍କ ସହ ଜାପାନୀର ଗଞ୍ଜେଇ କାରବାର ଥିଲା। ସେଠାରେ ନିଜର ନାଁ ପରିବର୍ତ୍ତନ କରି ରହୁଥିଲା। ହେଲେ ପୁଲିସ ଟ୍ରାକିଂରେ ଥିବା ଜାପାନୀ ଖସିପାରି ନଥିଲା। ବିଭିନ୍ନ ନେଟ୍‌ୱର୍କର ସିମ୍‌ ବଦଳାଇ ଚାଲିଥିଲେ ବି ପୁଲିସ ତାଠାରୁ ଆଉ ଦୁଇପାଦ ଆଗକୁ ଯାଇ ନମ୍ବର ଟ୍ରାକିଂ କରିବା ସହ କଡ଼ା ନଜର ରଖିଥିଲା। ବୁଧବାର ରାତିରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ସେଠାରେ ଚଢ଼ଉ କରି ଜାପାନୀ ଓ ବିଶୁକୁ ଗିରଫ କରିବାରେ ସଫଳ ହୋଇଥିଲା।

ପୁଲିସର ନିଦ ହଜାଇଥିଲା
ବହୁଦିନ ଧରି ଜିଲ୍ଲାରେ ବିଭିନ୍ନ ଅପରାଧିକ ଘଟଣାରେ ସମ୍ପୃକ୍ତ ରହିବା ସହ ଆତଙ୍କ ସୃଷ୍ଟି କରିଥିଲା ଜାପାନୀ। ଏପରିକି ପୁଲିସର ନିଦ ହଜାଇ ଦେଇଥିଲା। ହେଲେ ଏବେ ସେ ପୁଲିସ ପଞ୍ଝାରେ। ଜିଲ୍ଲା ଏବଂ ଜିଲ୍ଲା ବାହାର ଅପରାଧୀଙ୍କୁ ବନ୍ଧୁକ ଯୋଗାଇବାଠାରୁ ଆରମ୍ଭ କରି ଅପରାଧ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ଦାଦାବଟି, ହତ୍ୟା, ଡକାୟତି, ଛିନ୍‌ତାଇ, ନିଶା କାରବାର ସବୁଥି‌ରେ ନିଜର ଦବ୍‌ଦବା ରଖିଥିଲା ଜାପାନୀ। ଆଉ ସବୁ ଅପରାଧିକ କାଣ୍ଡରେ ସାମିଲ୍‌ ଥିଲେ ମଧ୍ୟ ପୁଲିସକୁ ଚକ୍‌ମା ଦେଇ ସହଜରେ ଖସିଯାଉଥିଲା। ଜାପାନୀକୁ ଧରିବା ଜିଲ୍ଲା ପୁଲିସ ପାଇଁ କାଠିକରପାଠ ହୋଇପଡ଼ିଥିଲା। ଦୀର୍ଘଦିନର ଛକାପଞ୍ଝା ପରେ ପୁଲିସକୁ ବଡ଼ ସଫଳତା ମିଳିଛି। ତାକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି। ଫଳରେ ତାର ଅନ୍ୟ ଗ୍ୟାଙ୍ଗ ସହ ସମ୍ପୃକ୍ତି ନେଇ ଅନେକ ରହସ୍ୟ ପଦାକୁ ଆସିପାରିବ। ପୂର୍ବରୁ ଜାପାନୀ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe