୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ଗର୍ଭବତୀଙ୍କ ସମେତ ୪ଗୁରୁତର

Advertisment
୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ  ଗର୍ଭବତୀଙ୍କ ସମେତ ୪ଗୁରୁତର

ଝରିଗାଁ: ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଯାଉଥିବା ଏକ ୧୦୮ ଆମ୍ବୁଲାନ୍‌ସ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୌଡଗୁଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗର୍ଭବତୀ ମହିଳାଙ୍କ ସମେତ ଆଶା କର୍ମୀ, ଫାର୍ମାସିଷ୍ଟ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗର୍ଭବତୀ ମହିଳା ଓ ଆଶା କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାପଦର ଗ୍ରାମର ମନ ଜାନୀଙ୍କ ପତ୍ନୀ ଲକ୍ଷ୍ମୀ ଜାନୀ(୩୫) ଗତକାଲି ରାତି ପ୍ରାୟ ୧୦ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ପରିବାର ଲୋକ ସ୍ଥାନୀୟ ଆଶାକର୍ମୀ ମାଣିକ ଜାନୀଙ୍କୁ ଖବର ଦେଇଥିଲେ। ପରେ ମାଣିକ ୧୦୮ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଏହାର କିଛି ସମୟ ପରେ ଆମ୍ବୁଲାନ୍‌ସ ମୁଣ୍ଡାପଦର ଗ୍ରାମରେ ପହଞ୍ଚିବା ପରେ ଲକ୍ଷ୍ମୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ତେବେ ଗୌଡଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍‌ସଟି ଏକ କଲଭର୍ଟରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଗର୍ଭବତୀ ଲକ୍ଷ୍ମୀଙ୍କ ସମେତ ଆଶା କର୍ମୀ ମାଣିକ ଜାନୀ, ଆମ୍ବୁଲାନ୍‌ସ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫାର୍ମାସିଷ୍ଟ ଜୟରାମ ମାଝୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିବାରୁ ଆଶା କର୍ମୀ ମାଣିକ ଓ ଗର୍ଭବତୀ ଲକ୍ଷ୍ମୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାଣିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ଉଭୟଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦୁଘର୍ଟଣାରେ ଲକ୍ଷ୍ମୀଙ୍କ ପେଟରେ ଥିବା ଶିଶୁଟିର ମୃତ୍ୟୁ ହୋଇଥିବା ସନ୍ଦେହ କରି କୋରାପୁଟ ସ୍ଥାନାନ୍ତର କରାଯାଇଥିବା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe