ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରବଳ ଶୀତରଲହରି ଓ ଥଣ୍ଡାରେ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ। ଘରେ ଥିବା ଲୋକେ ବିଭିନ୍ନ ଶୀତବସ୍ତ୍ର ପିନ୍ଧି ଶୀତରୁ ରକ୍ଷା ପାଇଯାଉଛନ୍ତି। ଜିଲ୍ଲାରେ ମଙ୍ଗଳବିଭାଗ, ଶିକ୍ଷାବିଭାଗ ଆଦି ୪୮୨ଛାତ୍ରାବାସରେ ଆନ୍ତେବାସୀ ଭାବେ  ରହି ପାଠ ପଢ଼ୁଥିବା ୫୨,୨୩୪ ପିଲା ଶୀତବସ୍ତ୍ର ସୁଇଟର ଆଦି ନଥାଇ ଥଣ୍ଡାରେ ଥରି ଥରି ରହୁଛନ୍ତି। ଅଧିକାଂଶ ଅନ୍ତେବାସୀଙ୍କୁ ଥଣ୍ଡା ଜ୍ବର, କାଶ ଆଦି ଲାଗି ରହୁଛି। ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଶତାଧିକ ଅନ୍ତେବାସୀ  ଜ୍ବର, ମୁଣ୍ଡବ୍ୟାଥା, କାଶ ଆଦି ପାଇଁ ଆସି ଚିକିତ୍ସିତ ହୋଇ ଔଷଧ ନେଇ ଫେରୁଛନ୍ତି।

Advertisment

କେବଳ ଏହି ୫୨ହଜାର ୨୩୪ହିଁ ନୁହଁ ବଳକା ଦେଢ଼ ଲକ୍ଷ ପିଲା ବି ଶୀତରେ ଥରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ସନ୍ତୋଷ ମିଶ୍ର। ଗତ ମାସକ ହେବ ଜିଲ୍ଲାରେ ଶୀତର ଲହରି କମିବା ନାଁ ନେଉନି। ମଧ୍ୟାହ୍ନ ୩ଟାରୁ ଥଣ୍ଡା ଆରମ୍ଭ ହେଉଛି। ସଂଧ୍ୟାରେ କୁହୁଡି ସାଙ୍ଗକୁ କାରକ ପଡ଼ୁଥିବା ଦେଖିବାକୁ ମିଳୁଛି। ସଂଧ୍ୟାରେ ୯ରୁ ୧୦ଡିଗ୍ରି ସେଲସିୟସ୍ ଥଣ୍ଡା ଆରମ୍ଭ ହୋଇ ମଧ୍ୟ ରାତ୍ର ବେଳକୁ ତାହା ଯାଇ ୭ରେ ପହଚୁଂଛି। ସକାଳ ସାଢ଼େ ୮ଟା ଯାଏଁ କୁହୁଡିର ଚାଦର ଦେଖିବାକୁ ମିଳୁଛି।

ଗାଁରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ସହର ଠାରୁ ଗାଁରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଖାସ୍ କରି ଛାତ୍ରାବାସ ଗୁଡିକ ଗାଁର କୌଣସି ମୁଣ୍ଡରେ ଏବଂ ଖୋଲାସ୍ଥାନରେ ରହୁଛି। ଫଳରେ ଥଣ୍ଡା ପବନ ଲାଗି ରହୁଛି। ଅଧିକାଂଶ ଛାତ୍ରାବାସରେ ଗରମ ପାଣି କରିବା ପାଇଁ ଗିଜର ନଥିବାରୁ ଅନ୍ତେବାସୀ ମଧ୍ୟ ସକାଳୁ ସ୍କୁଲ ଯିବା ପାଇଁ ଥଣ୍ଡାରେ ଥଣ୍ଡା ପାଣି ଗା‌ଧଉଛନ୍ତି। ଗତ ୪ବର୍ଷ ତଳେ ସରକାର ଶୀତବସ୍ତ୍ର ଅନ୍ତେବାସୀଙ୍କୁ ଯୋଗାଇଥିଲେ। ତା ପର ଠାରୁ ଆଉ ଯୋଗାଯାଉନଥିବା କିଛି ଶିକ୍ଷକ ମାନେ କହିଛନ୍ତି। ଜିଲ୍ଲାରେ ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ଥିବା ବିଭିନ୍ନ ହୋଷ୍ଟେଲରେ ଅନୁସୂଚିତ ଜନଜାତି ୩୩,୩୬୧ଅନ୍ତେବାସୀ ଓ ଅନୁସୂଚିତ ଜାତି ୩୭୨୩ ଜଣ ଏଭଳି ୩୭,୩୮୪ଜଣ ଅନ୍ତେବାସୀ ରହୁଛନ୍ତି।ଏହାସହ ଶିକ୍ଷାବିଭାଗକୁ ମିଶାଇ ମଙ୍ଗଳ ବିଭାଗର ହୋଷ୍ଟେଲରେ ୯,୫୬୫ଛାତ୍ର ଓ ୫,୨୮୫ଛାତ୍ର ଏଭଳି ୧୪,୮୫୦ଜଣ ଅନ୍ତେବାସୀ ରହୁଛନ୍ତି। ଏଭଳି ଜିଲ୍ଲାରେ ଥିବା ଏହି ଛାତ୍ରାବାସ ଗୁଡିକରେ ୫୨.୨୩୪ଅନ୍ତେବାସୀ ଶୀତରେ ହଇରାଣ ହେଉଛନ୍ତି ତୁରନ୍ତ ଶୀତବସ୍ତ୍ର ସୁଇଟର  ଯୋଗାଇବାକୁ ମାନବାଧିକାର କର୍ମୀ ସନ୍ତୋଷ ମିଶ୍ର ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Cold Wave: ନଗଡ଼ାରେ ହାଡ଼ଥରା ଜାଡ଼, କୁହୁଡ଼ି ଆସ୍ତରଣ

ଅଧିକାଂଶ ବିଦ୍ୟାଳୟର ଭିତ୍ତିଭୂମି ଠିକ ନାହିଁ

ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଭିତ୍ତିଭୂମି ଠିକ ନାହିଁ। କେଉଁ ସ୍କୁଲର ଝରକା, କବାଟ ଭାଙ୍ଗି ଯାଇଛି ତ ଆଉକିଛି ସ୍କୁଲର ଟିଣ କଣା। ଏମାନଙ୍କ ବାଦେ ବିଦ୍ୟାଳୟ ଯାଉଥିବା ବଳକା ଦେଢ଼ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ସୁଇଟର ଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଶିଶୁମାନଙ୍କୁ ସେମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାର ପ୍ରଦାନ କରାଯାଉ ବୋଲି କହିଛନ୍ତି ଶ୍ରୀ ମିଶ୍ର। ଯଦି ପିଲାଙ୍କ ବାପା ମା’ ଗରିବ ଆର୍ଥିକସ୍ଥିତି ସ୍ବଚ୍ଛଳ ନାହିଁ ଭାବି ୟୁନିପର୍ମ, ଜୋତା, ବ୍ୟାଗ୍ ଆଦି ଦିଆଯାଉଥିବା ବେଳେ ଶୀତବସ୍ତ୍ର କାହିଁକି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର। ଗଣଶିକ୍ଷା ବିଭାଗରେ ଶୀତବସ୍ତ୍ର କିମ୍ବା ସୁଇଟର ଦେବା ପାଇଁ ସ୍ବତନ୍ତ୍ର ଅନୁଦାନ ନାହିଁ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ। ଗତ କିଛି ବର୍ଷ ତଳେ ସୁଇଟର ସହ କାଜୁଆଲ୍ ଡ୍ରେସ୍ ଦିଆଯାଇଥିଲା ଏବଂ ଏହି ବର୍ଷ ସ୍ପୋର୍ଟସ୍ ଡ୍ରେସ , କାଜୁଆଲ୍ ସହ କମ୍ବଳ ବି  ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର।

ଆହୁରି ପଢ଼ନ୍ତୁ: Bangladesh : ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ