ନବରଙ୍ଗପୁର (ସୁରେଶ ନାଇଡୁ): ରାଜ୍ୟର ଚାରୋଟି ସହର ଅଧିକା ବାୟୁପ୍ରଦୁଷଣ ଚିହ୍ନଟ ହୋଇଛି। ପ୍ରାକୃତିରେ ଭରା ଭାବେ ପରିଚିତ ନବରଙ୍ଗପୁରର ବାୟୁ ପ୍ରଦୁଷଣ ନେଇ ଏକ୍ୟୁ ୱେଦରରେ ୧୩୦ଥିବା ସ୍ପଷ୍ଟ ହୋଇଛି। ଆଇକ୍ୟୁଏୟାର ରିପୋର୍ଟ ପୁଣି ଥରେ ବାୟୁ ପ୍ରଦୂଷଣ ନେଇ ସାଂଘାତିକ ତଥ୍ୟ ପ୍ରକାଶ କରିଛି। ପ୍ରକୃତିରେ ଭରପୂର ନବରଙ୍ଗପୁର ଜିଲ୍ଲାରେ ଏଭଳି ହେଲା କାହିଁକି ତାହାକୁ ନେଇ ପ୍ରଶ୍ନ। ପ୍ରଥମତଃ ସହର ମଧ୍ୟରେ ଥିବା ମଙ୍ଗଳମ୍ ଟିମ୍ବରସ୍‌ର ପ୍ରମୁଖତା ରହିଛି। ଏହା ବାଦେ  ଭାରତମାଳା, ଏନଏଚର ବାଇପାସ, ରାଜ୍ୟରାଜପଥ ପାଇଁ ଗତ ୩ବର୍ଷ ମଧ୍ୟରେ ୫୦ହଜାରରୁ ଊର୍ଦ୍ଧ୍ବ ଗଛ କଟାଗଲାଣି।

Advertisment

ସହରମାନଙ୍କରେ ଜନସଂଖ୍ୟାର ସାନ୍ଦ୍ରତା ଅଧିକ। ଯେଉଁଠାରେ ଜନସଂଖ୍ୟା ଯେତେ ବେଶି, ସେଠାରେ ଏହା ସେତେ ଅଧିକ। ଅତଏବ ସେଠାର ଜଳ ଓ ବାୟୁ ସେହି ଅନୁପାତରେ ଅଧିକ ପ୍ରଦୂଷିତ। ପ୍ରଚଳିତ ବାୟୁମାନ ଗଣନାଙ୍କ ଅନୁସାରେ ତାହା ୦(ଶୂନ)ରୁ ୫୦ ଭିତରେ ରହିବା ଖୁବ୍‌ ଉତ୍ତମ ଏବଂ ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ। କିନ୍ତୁ ଏହାର ସୀମା ୧୦୧ରୁ ୨୦୦, ୨୦୧ରୁ ୩୦୦, ୩୦୧ରୁ ୪୦୦ ଏବଂ ୪୦୧ରୁ ୫୦୦ ବା ଅଧିକ ରହିଲେ ତାହାକୁ ଯଥାକ୍ରମେ ଖରାପ, ବେଶ୍‌ ଖରାପ, ଅତି ବେଶି ଖରାପ ଏବଂ ଭୟଙ୍କର ଭାବେ ଖରାପ ବୋଲି କୁହାଯାଏ। ଆମ ପ୍ରଦୂଷିତ ସହରମାନଙ୍କର ବାର୍ଷିକ ହାରାହାରି ବାୟୁ ପ୍ରଦୂଷଣ ସୂଚନାଙ୍କ ଖରାପରୁ ଅତି ଖରାପ ମଧ୍ୟରେ ଥାଏ। ସେଥିପାଇଁ ବାୟୁପ୍ରଦୂଷଣ ଜନିତ ଆୟୁ କ୍ଷୟ, ଅକାଳମୃତ୍ୟୁ, କ୍ୟାନସର, ଚର୍ମରୋଗ ସହ ଅନ୍ୟାନ୍ୟ ‌ରୋଗ ହୋଇପାରେ ବୋଲି ବି ପରିବେଶବିତ୍ ସୁଜିତ ମିଶ୍ର , ଡ. ଦେବ ପ୍ରସାଦ ମିଶ୍ର  କହିଛନ୍ତି।

ପ୍ରଦୂଷଣ ରୋକିବାକୁ ଅଭିଯୋଗ

ନବରଙ୍ଗପୁର ଜିଲ୍ଲାର ଏକମାତ୍ର ବଡ ଶିଳ୍ପାନୁଷ୍ଠାନ ମଙ୍ଗଳମଟିମ୍ବର୍ସ। ଏଠାରେ ପ୍ଲାଇ ଉତ୍ପାଦ ହେଉଛି। ତେବେ ଦୀର୍ଘ ବର୍ଷ ହେବ ଏହି କମ୍ପାନି ବାୟୁ ପ୍ରଦୁଷଣ ରୋକିବା ପାଇଁ କିଛି ବ୍ୟବସ୍ଥା କରି ନଥିବା ଅଭିଯୋଗ ହୋଇ ଆସୁଛି। ଏପରିକି ପରିବେଷ ପ୍ରଦୁଷଣ ବିଭାଗ ପକ୍ଷରୁ ବି କଡା ତାଗିଦ୍ କରାଯାଇଥିଲା। ଏଠାରୁ ବାୟୁରେ ଆସି ପାଖରେ ଥିବା ହିର୍ଲି, ଇଛାବତୀଗୁଡା, ଭାଟିଶାଳଗୁଡା, ଗାନ୍ଦିନଗର, କୁସୁମି ଆଦି ଅଂଚଳରେ  କାଠ ଓ ବାଉଁଶ ଗୁଣ୍ଡ ଘର ଗୁଡିକ ଉପରେ ଆସ୍ତରଣ ଜମୁଥିବା ଦେଖିବାକୁ ମିଳୁଥିଲା। କାଉନସିଲର ଅମିତ ପ୍ରଧାନ ସାହିବାସିନ୍ଦାକୁ ନେଇ ଆନ୍ଦୋଳନ କରିବା ସହ ଜିଲ୍ଲାପ୍ରଶାସନକୁ ଏସମ୍ପର୍କରେ ଅବଗତ କରିଛନ୍ତି। ବାରମ୍ବାର ଏହାକୁ ସଜାଡିବା ପାଇଁ କହିବା ସତ୍ବେ୍ କମ୍ପାନି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏ ନେଇ ପୌରପାଳିକା ପକ୍ଷରୁ ବି କଡା ଚିଠି କରାଯାଇଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ।

ଆହୁରି ପଢ଼ନ୍ତୁ: Census 2027 Update: ଜନଗଣନା,ମୋବାଇଲ୍ ଆପ୍‌ରେ ନିଜର ଗଣନା କରିପାରିବେ ନିଜେ

ପ୍ରଦୂଷଣ ରୋକିବାକୁ ବ୍ୟବସ୍ଥା

ଏଭଳି ଅଭିଯୋଗ ଆସିବା ପରେ ମଙ୍ଗଳମ ଟିମ୍ବର୍ସ ପକ୍ଷରୁ ଏହାକୁ ୭୦ପ୍ରତିଶତ ସଜାଡାଯାଇଛି ‌ବୋଲି କହିଛନ୍ତି ଏମଟିପିଏଲ୍ ମାନବସମ୍ବଳ ବିଭାଗ ପ୍ରବନ୍ଧକ ଦିଲ୍ଲୀପ ପାତ୍ର କହିଛନ୍ତି। ବ୍ଲାଷ୍ଟ ପର୍ଣ୍ଣେସରୁ ବାହାରୁଥିବା କୋଇଲା ଭସ୍ମ ବାହାରେ ପ୍ଲାଇ ଆସ୍ ଇଟା ନେବା ଲୋକଙ୍କ ପାଇଁ ପକାଯାଉଛି ବୋଲି କହିଛନ୍ତି ଶ୍ରୀ ପାତ୍ର। ଭାରତମାଳା, ଏନଏଚ ଓ ରାଜ୍ୟରାଜପଥରେ କଟାଯାଇଥିବା ଗଛର ୨ଗୁଣା ଗଛ ଲଗାଯିବା ସହ ୫ବର୍ଷ ଯାଏଁ ବନବିଭାଗ ଧ୍ୟାନ ରଖୁଛି ବୋଲି କହିଛନ୍ତି ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା। ବାୟୁ ହେଉଛି ଜୀବନ। ଶୁଦ୍ଧ ବାୟୁ ବିନା, ମାନବ ସମାଜ ତଥା ଜୀବଜଗତ କ୍ଷଣେ ତିଷ୍ଠି ପାରିବ ନାହିଁ। ବେଳହୁଁ ସଜାଗ, ସତର୍କ, ସଚେତନ ନହେଲେ ବିନାଶ ହିଁ ସାର ହେବ।

ଆହୁରି ପଢ଼ନ୍ତୁ: Pakistan : ଗିରଫ ହେବେ କି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?