ଝରିଗାଁ: ପ୍ରସବ ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଅନ୍ୟପଟେ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ୫ଶହ ମିଟର ଦୂରରେ ଅଟକି ଯାଇଥିଲା। ପରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ବନୁଗୁଡ଼ା ଗ୍ରାମରେ।
ସୂଚନା ଅନୁଯାୟୀ, ବନୁଗୁଡ଼ା ଗ୍ରାମର ନକୁଳ ସାନ୍ତାଙ୍କ ପତ୍ନୀ ବେଲବତୀ (୨୨) ଗତକାଲି ଅପରାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଜାଣିବା ପରେ ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶାକର୍ମୀ ତୁଳସୀ ମୁଦୁଲି ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍ସ ବନୁଗୁଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ନଥିବାରୁ ଗାଁ ଠାରୁ ୫ଶହ ମିଟର ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଇତି ମଧ୍ୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଲମତୀ ନିଜ ଘରେ ହିଁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ଧରି ଗାଁରେ ପହଞ୍ଚିଥିଲେ। ପ୍ରସବ ପରେ ବେଲମତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦେଖି ଗ୍ରାମର ଚନ୍ଦ୍ର ସାନ୍ତା, ଘାସି ସାନ୍ତା, ନକୁଳ ସାନ୍ତା ଓ ଗୁରୁନାଥ ସାନ୍ତା ପ୍ରମୁଖ ମୋବାଇଲ ଲାଇଟ୍ ଯୋଗେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ବେଲମତୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରସୂତି ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି
Advertisment
Follow Us