ନବରଙ୍ଗପୁର (ସୁରେଶ ନାଇଡୁ):  ନବରଙ୍ଗପୁର ସହର ଇନ୍ଦ୍ରାବତୀ ନଦୀ ପାର୍ଶ୍ବରେ ଥିବା ଇନ୍ଦ୍ରାବତୀ ଶ୍ମଶାନ ଓ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ମଶାନ ଉନ୍ନୟନ ପାଇଁ ଏକ କୋଟି ଟଙ୍କା ଅନୁଦାନ ଆସିଥିଲା। ପୌରପାଳିକା ପକ୍ଷରୁ ସ୍ମାର୍ଟ ଶ୍ମଶାନ ନିର୍ମାଣ ପାଇଁ ଡିପିଆର ବି ପ୍ରସ୍ତୁତ ହୋଇଥିଲା। ଟେଣ୍ଡର ହୋଇଥିଲା। ଜଣେ ଠିକାଦାର ଏହି କାମ ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ କିଛି କାମ କରି ନାହାନ୍ତି। ନବରଙ୍ଗପୁର ଜିଲ୍ଲା ନାଗରିକ କମିଟି, ସାମାଜିକ ସଂଗଠନ ଆଇକୋନ ଇନ୍ ମୋଶନ ସହ ବିଭିନ୍ନ ସାମାଜିକ ସଂଗଠନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। 

Advertisment

ସହରରେ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରବଟ ଶ୍ମଶାନ ପରେ ଇନ୍ଦ୍ରାବତୀ ନଦୀକୂଳରେ ରହିଛି ଏହି ଶ୍ମଶାନ। ସହରର ‌ବିଭିନ୍ନ ସମ୍ପ୍ରଦାୟର ଲୋକେ ନିଜ ସମ୍ପର୍କୀୟ ମରିଯିବା ପରେ ଏଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥାନ୍ତି। ତେବେ ଦୀର୍ଘ ଦିନ ହେବ ‌ପୌରପାଳିକା ଏହାର ଦେଖାରଖା, ରକ୍ଷଣାବେକ୍ଷଣ ନ କରିବାରୁ ଏବେ ଏହା ଶୋଚନୀୟ ଅବସ୍ଥାରେ ରହିଛି। ଗତ ୪ବର୍ଷ ହେବ ସହରବାସୀ ସ୍ମାର୍ଟ ଶ୍ମଶାନ ହେବା ସଭାସମିତିରେ ଲୋକପ୍ରତିନିଧିଙ୍କ ଭାଷଣରେ ପ୍ରତିଶ୍ରୃତି ଶୁଣି ଆସୁଛନ୍ତି। ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରୁନି। ବାରମ୍ବାର ପ୍ରଶାସନକୁ ଅବଗତ କରିବା ପରେ କିଛି ପଦକ୍ଷେପ ନ ନେବାରୁ  ଜିଲ୍ଲାର ସାମାଜିକ ସଂଗଠନ ଆଇକୋନ ଇନ୍ ମୋଶନର ଯୁବ ସ୍ବେଚ୍ଛାସେବୀ ମାନେ ନିଜ ଉଦ୍ୟମରେ ଶ୍ମଶାନ ସଫେଇ କରିବା ସହ  ରାସ୍ତାରେ କ୍ରସର ଗୁଣ୍ଡ ପକାଇ ଜେସିବି ଲଗାଇ ସାମୟିକ ମରାମତି କରାଇଛନ୍ତି।

କୋଟିଏ ଟଙ୍କାର ଅନୁଦାନ

ରାଜ୍ୟ ସରକାର କୋଟିଏ ଟଙ୍କା ଅନୁଦାନ ଦେଇଥିଲେ ସେହି ଟଙ୍କାରେ ୨୦୨୨-୨୩ଆର୍ଥିକ ବର୍ଷରେ ନିର୍ମାଣ କରିଥିଲେ ସୁରଖୁରରେ ନିର୍ମାଣ ସରିଥାନ୍ତା। ଦୀର୍ଘ ୪ବର୍ଷ ହେବ ସେହି ଟଙ୍କା ଖର୍ଚ୍ଚ ନ ହୋଇ ସେଭଳି ପଡି ରହିଛି। ଠିକା‌ ନେଇଥିବା ଠିକାଦାର ଜଣକ ପୌରପାଳିକା ଓ ସହରବାସୀଙ୍କୁ ଠକି ଦେଇଛନ୍ତି। ନୂଆରେ ଏହି ଶ୍ମଶାନର ପୁନଃରୁଦ୍ଧାର ଓ ରାସ୍ତା କାମ ଆଦି ହେବ ଭାବି ପୌରପାଳିକା ଆଉ କିଛି କାମ କରିନାହିଁ। ଫଳରେ ଏବେ ଶ୍ମଶାନ ଅବସ୍ଥା ଶୋଚନୀୟ। ଶ୍ମଶାନର ଲାଇଟ ସହ ରାସ୍ତାରେ ଥିବା ଲାଇଟ୍ ଗୁଡିକ ଲାଗୁନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଅବସ୍ଥା ନ କହିବା ଭଲ। ଛୋଟ ବଡ କୃତ୍ରିମ ପୋଖରୀ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ

କାମରେ ପରିଣତ ହେଉନି ପ୍ରତିଶ୍ରୁତି

ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେବା ପରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ, ନନ୍ଦାହାଣ୍ଡି ବିଡିଓ କ୍ଷେତ୍ରବାସୀ ସାହୁ ଯାଇ ତଦାରଖ କରିଥିଲେ। ନନ୍ଦାହାଣ୍ଡି ବିଡିଓ ତୁରନ୍ତ ରାସ୍ତାର ପ୍ରଶସ୍ତିକରଣ ସହ ଅନ୍ୟାନ୍ୟ ଅନୁସଙ୍ଗିକ ‌ସମସ୍ୟାର ସୁଧାର କରିବେ ବୋଲି କହିଥିଲେ। ‌ନିର୍ବାହୀ ଅଧିକାରୀ ଡ.କର୍ଣ୍ଣ ବି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଏହାରି ମଧ୍ୟରେ ୬ମାସ ବିତିଯାଇଥିଲେ ହେଁ ବିଧାୟକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନି। ବିଡିଓଙ୍କ ପ୍ରତିଶ୍ରୃତି ପ୍ରତିଶ୍ରୃତିରେ ରହିଯାଇଛି। ଅପରପକ୍ଷରେ ପୌରନିର୍ବାହୀ ଅଧିକାରୀ ପ୍ରତିଶୃତି କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ୪ବର୍ଷ ମଧ୍ୟରେ କଂଚାମାଲ, ବାଲି, ସିମେଣ୍ଟ, ଲୁହାଛଡ ଓଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀର ଦରଦାମ ବୃଦ୍ଧି ହୋଇଛି। ତେଣୁ ୨୦୨୨-୨୩ଆର୍ଥିକ ବର୍ଷରେ ଦେଇଥିବା କୋଟିଏ ଟଙ୍କା ଅନୁଦାନରେ ସ୍ମାଟ ଶ୍ମଶାନ ନିର୍ମାଣ ହୋଇପାରିବ ନାହିଁ। ତେଣୁ ଅନୁଦାନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ନୂଆ ଡିପିଆର ପ୍ରସ୍ତୁତ କରି ରାଜ୍ୟସରକାରଙ୍କୁ ଦିଆଯାଇଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।  

ଆହୁରି ପଢ଼ନ୍ତୁ: Reignition: ବିଜେଡିକୁ ଝଟକା! ନଗରପାଳଙ୍କ ସହିତ ଇସ୍ତଫା ଦେଲେ ୧୩ କାଉନ୍‌ସିଲର