ନବରଙ୍ଗପୁର (ସୁରେଶ ନାଇଡୁ): ବାଲ୍ୟବିବାହ କ୍ଷେତ୍ରରେ ରାଜ୍ୟରେ ନବରଙ୍ଗପୁରଜିଲ୍ଲା ପ୍ରଥମ। (କେନ୍ଦ୍ର ସରକାରଙ୍କ ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ) ଏନ୍ଏଫ୍ଏଚ୍ଏସ୍-୫ ସର୍ଭେ ଅନୁଯାୟୀ, ୧୮ବର୍ଷରୁ କମ୍ ବୟସରେ ୩୯ ପ୍ରତିଶତ ନାବାଳିକା ବିବାହ କରି ଗର୍ଭବତୀ ହେବା ସହ ମାତୃତ୍ଵ ଲାଭ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ପ୍ରତିଶତ ମା’ ରକ୍ତହୀନତା‌ର ଶିକାର ହୋଇ ପ୍ରସବ ସମୟରେ ରକ୍ତ ପାଇଁ ଜୀବନ ମରଣସ୍ଥିତି ରହୁଛି ବୋଲି କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ) ଦ୍ରୌପଦୀ କହଁର। ଦୁଇ ବର୍ଷ ତଳେ ସର୍ବଭାରତସ୍ତରରେ ଜିଲ୍ଲା ପ୍ରଥମ ରହିଥିଲା। ବ୍ୟାପକ ସଚେତନତା ଏବଂ ବାଲ୍ୟବିବାହକୁ ରୋକାଯିବାରୁ ଏବେ ଏହା ଖସି ଓଡ଼ିଶାରେ ୧ ନଂରେ ପହଚିଂଛି ବୋଲି କହିଛନ୍ତି ଡିଏସଡବ୍ଲୁଓ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। କିଭଳି ରୋକାଯାଇ ହେବ ସେ ନେଇ ଉଦ୍ୟମ ଆରମ୍ଭ କରାଯିବା ସହ ସବୁ ଜିଲ୍ଲାସ୍ତରୀୟ ବିଭାଗ ଏଦିଗରେ ମିଶନ ମୋଡରେ କାମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ। 

Advertisment

ନବରଂଗପୁର ଜିଲ୍ଲାରେ ୨୦୧୯-୨୦ ଆର୍ଥିକବର୍ଷରେ ପଞ୍ଜୀକରଣ ହୋଇଥିବା ଗର୍ଭବତୀ ମାଙ୍କ ମଧ୍ୟରେ ୫୪୯୪ଜଣ ନାବାଳିକା ରହିଥିଲେ। ୨୦୨୦-୨୧ରେ ୪୪୯୮ଜଣ, ୨୦୨୧-୨୨ରେ ୪୩୧୫, ୨୦୨୨-୨୩ରେ ୩୫୧୪ଜଣ ଓ ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ମାସ ସୁଦ୍ଧା ୭୪୬୦ଜଣ ଏଭଳି ୫ବର୍ଷରେ ୨୫୨୮୧ଜଣ ନାବାଳିକା ଗର୍ଭବତୀ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।  

୧୦୫୮ଟି ଗାଁକୁ ବାଲ୍ୟ ବିବାହମୁକ୍ତ

ଜିଲ୍ଲାର ୧୦ଟି ବ୍ଲକରେ ୧୦୫୮ଟି ଗାଁକୁ ବାଲ୍ୟ ବିବାହମୁକ୍ତ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ମାସରେ ଜିଲ୍ଲାରେ ୩୮୧ଟି ବାଲ୍ୟ ବିବାହ ରୋକାଯାଇଛି। ଜିଲ୍ଲାରେ ଜାନୁଆରିରେ ୪୯ଟି, ଫେବ୍ରୁଆରିରେ ୪୪ଟି, ମାର୍ଚ୍ଚରେ ୨୭ଟି, ଏପ୍ରିଲରେ ୨୯ଟି, ମେ’ରେ ୪୦ଟି, ଜୁନରେ ୫୦ଟି, ଜୁଲାଇ ୩୯ଟି, ଅଗଷ୍ଠ ୨୮ଟି, ସେପ୍ଟମ୍ବର ୪୦ଟି ଏବଂ ଅକ୍ଟୋବରରେ ୩୫ଟି ଏଭଳି ୩୮୧ଟି ରୋକାଯାଇଛି। ଏହି ୧୦ ମାସରେ ସର୍ବାଧିକ ଉମରକୋଟ ବ୍ଲକରେ ୮୬ଟି ଓ ସର୍ବନିମ୍ନ ନନ୍ଦାହାଣ୍ଡି ବ୍ଲକରେ ୬ଟି ‌ରୋକାଯାଇଛି।  

ଆହୁରି ପଢ଼ନ୍ତୁ: ବାଲ୍ୟ ବିବାହ ପରେ ବୋହୂକୁ ଉଚ୍ଚଶିକ୍ଷିତ କରିବା ପାଇଁ ସ୍କୁଲରେ ନାମ ଲେଖାଇଲେ ଶାଶୁ

ଝରିଗାଁରେ ୫୫ଟି ନାବାଳିକା ଅଟକିଲା

ଝରିଗାଁରେ ୫୫ଟି, ଉମରକୋଟରେ ୨୭ଟି, ରାଇଘରରେ ୪୪ଟି, ତେନ୍ତୁଳିଖୁଣ୍ଟିରେ ୩୪ଟି, ଡାବୁଗାଁରେ ୩୪ଟି, ଚନ୍ଦାହାଣ୍ଡିରେ ୧୨ଟି, ନବରଙ୍ଗପୁର ୧୮ଟି ଓ ପାପଡାହାଣ୍ଡିରେ ୨୯ଟି ଓ କୋଷାଗୁମୁଡା ବ୍ଲକରେ ୬୩ଟି ରୋକାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ପରମ୍ପରା ନାଁରେ ନାବାଳିକା ତଥା କିଶୋରୀମାନଙ୍କୁ ବିବାହ ବୟସ ନ ହେଉଣୁ ବିବାହ କରିବା , କିମ୍ବା କିଶୋରୀ ମାନେ ଉଦୁଲିଆ ଯାଇ ପରେ ଦୀର୍ଘ କିଛି ମାସ ପରେ ଗର୍ଭ ସହ ବି ବିବାହ କରାଯାଉଛି। ଦାଦନ ଖଟିବାକୁ ଯାଇ ସେଠାରେ ନାବାଳିକାମାନେ ଅନ୍ୟ କିଛି କାରଣବଶତଃ ଗର୍ଭବତୀ ହୋଇ ଫେରିବା କିମ୍ବା ସେଠାରେ ବାହା ହେବା ପରେ ‌ ଫେରୁଥିବା ସୂଚନା ମିଳିଛି। କମ୍ ବୟସରେ ନାବାଳିକା ତଥା କିଶୋରୀ ମାନେ ବାହା ହେବା ପରେ ଗର୍ଭଧାରଣ କଲେ କଣ କଣ ସମସ୍ୟାର ସମ୍ମୁଖୀନ ହେବାକୁ ପଢ଼ୁଛି ସେ ନେଇ ସଚେତନତା ଆରମ୍ଭ ହୋଇଛି। ଜିଲ୍ଲାର ସବୁ ବ୍ଲକରେ ଶିଶୁ ସୁରକ୍ଷା ରଥ ସହ ବାଲ୍ୟ ବିବାହ ରୋକିବାକୁ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଡିଏସଡବ୍ଲୁଓ, ଡିସିପିଓ ସୁରେଶ ପଟ୍ଟନାୟକ ଓ ଜିଲ୍ଲାପାଳ। ଶୋଭା ଅନୁଷ୍ଠାନ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଏଦିଗରେ ପ୍ରଶାସନକୁ ସମ୍ପୁର୍ଣ୍ଣ ସହାୟତା ‌ଯୋଗାଯାଉଛି ବୋଲି କହିଛନ୍ତି ଶୋଭାର ସମ୍ପାଦକ ସଂଜିତ ପଟ୍ଟନାୟକ।  

ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ