୩ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପ୍ରସାଶନ; ଜଣେ ଅଟକ

ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନରେ ରହିଥିବା ଖାଲେପାରା ଓ ପଖନାପାରା ଗ୍ରାମରେ ଆଜି ଜିଲ୍ଲା ପୁଲିସ, ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚାଷ ହୋଇଥିବା ପ୍ରାୟ ୪ ହଜାର ଗଞ୍ଜେଇ ଗଛ ଜବତ କରି ନଷ୍ଟ କରିଥିବା ଜଣାପଡିଛି।

contraband

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନରେ ରହିଥିବା ଖାଲେପାରା ଓ ପଖନାପାରା ଗ୍ରାମରେ ଆଜି ଜିଲ୍ଲା ପୁଲିସ, ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚାଷ ହୋଇଥିବା ପ୍ରାୟ ୪ ହଜାର ଗଞ୍ଜେଇ ଗଛ ଜବତ କରି ନଷ୍ଟ କରିଥିବା ଜଣାପଡିଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛିl ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଅଟକ ରଖି ପଚରାଉଚରା ଚଲାଇଛିl 

ସୂଚନା ଅନୁଯାୟୀ ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ୍, ଉମରକୋଟ ଏସଡିପିଓ ମିନାକ୍ଷୀ ଠାକୁର, ଉମରକୋଟ ଅତିରିକ୍ତ ତହସିଲଦାର ଚିତ୍ତରଂଜନ ପଟ୍ଟନାୟକ, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କ ସମେତ ଜିଲ୍ଲା ପୁଲିସର ଏକ ଟିମ୍‌ ତଥା ବନ ବିଭାଗ, ରାଜସ୍ୱ ବିଭାଗ ଓ ଅବକାରୀ ବିଭାଗ କୁନ୍ଦେଇ ଥାନ ଅନ୍ତର୍ଗତ କାଉଡଳା ଗ୍ରାମପଞ୍ଚାୟତର ଖାଲେପାରା ଓ ପକନାଗୁଡା ଗ୍ରାମରେ ମିଳିତ ଚଢ଼ାଉ କରିଥିଲେ।

ଭୋର ୪ଟା ସମୟରେ ଏହି ଚଢାଉ ଆରମ୍ଭ ହୋଇଥିଲା। ଲଙ୍କା ମରିଚ, ଧନିଆ, ଶାଗ ଆଦି କିଆରି ମଧ୍ୟରେ ଗଞ୍ଜେଇ ଚାଷ କରାଯାଇଥିବା ଦେଖିବାକୁ ମିଳିଥିଲାl ଏଥିରେ ଚାଷ ହୋଇଥିବା ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛ ଉପାଡ଼ିବା ପରେ ସେ ସବୁକୁ ନିଆଁ ଲଗାଇ ନଷ୍ଟ କରାଯାଇଥିବା ଜଣାପଡିଛି।

ଚାଷ କରାଯାଇଥିବା ଜମି ମାଲିକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ମଧ୍ୟରୁ ସନ୍ତୁରାମ୍ ଗଣ୍ଡଙ୍କୁ ଅବକାରୀ ବିଭାଗରେ କୌଣସି ସୁବିଧା ନଥିବାରୁ କୁନ୍ଦେଇ ଥାନାରେ ଅଟକ ରଖାଯାଇଛିl ଏଥିସହିତ ଚାଷ କରାଯାଇଥିବା ଜମି ପତିତ ଆଉ ପଥରାଜଂଗଲ କିସମର ହୋଇଥିବାରୁ ରାଜସ୍ୱ ବିଭାଗର ପରଚିପରା ଆର୍‌ ଆଈ, କୁନ୍ଦେଇ ଆର୍‌ ଆଈ ଓ ଦେଓଭରାଣ୍ଡି ଆର୍‌ ଆଈ ମଧ୍ୟ ଚଢାଉ ସମୟରେ ଉପସ୍ଥିତ ରହିଥିଲେl 

ପ୍ରକାଶ ଥାଉକି ଏହି ଅଂଚଳରେ ଗତ କିଛି ବର୍ଷ ଧରି ଗଞ୍ଜେଇ ଚାଷ ହୋଇ ଆସୁଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ବହୁବାର ଚଢାଉ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନଜିର ରହିଛି। ଗଞ୍ଜେଇ ଲଗାଯାଇଥିବା ଅନ୍ୟ ଜମି ଗୁଡ଼ିକ କାହା ନାମରେ ରହିଛି ସେଗୁଡ଼ିକ ଚି଼ହ୍ନଟ କରାଯାଇ ଜମି ମାଲିକଙ୍କୁ ବିରୋଧରେ କାର୍ଯନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆଗାମୀ ଦିନରେ ଏହିଭଳି ଗଞ୍ଜେଇ ଚାଷ ଠାରୁ ଦୁରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲାl 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe